ବିହନ ଯୋଗାଇବାରେ ବିଫଳ ଉଦ୍ୟାନ କୃଷି ବିଭାଗ: ଚଢ଼ା ଦରରେ ବିହନ କିଣୁଛନ୍ତି ଚିନାବାଦାମ୍ ଚାଷୀ

ଯାଜପୁର: ଚିନାବାଦମ ଚାଷ ଆରମ୍ଭରୁ ବିହନ ସମସ୍ୟା । ଚାଷ ପାଇଁ ବିହନ ମିଳୁନଥିବାରୁ ଚିନ୍ତାରେ ବଡ଼ଚଣା ଅଞ୍ଚଳର ଶହ ଶହ ଚାଷୀ । ଜମିକୁ ବେଉସଣ କରି ରଖିଥିଲେ ମଧ୍ୟ ଉଦ୍ୟାନ କୃଷି ବିଭାଗ ଚିନାବାଦମ ବିହନ ଯୋଗାଇବାରେ ବିଫଳ ହୋଇଛି । ଫଳରେ ବଜାରରୁ ଚଢା ଦରରେ ଚାଷୀ ବିହନ କିଣିବାକୁ ବାଧ୍ୟ ହେଉଛନ୍ତି ।

ଚାଷ ଆରମ୍ଭରୁ ବିହନ ସମସ୍ୟା । ମିଳୁନି ଚିନାବାଦାମ ବିହନ, ଚାଷୀଙ୍କୁ ଘାରିଲାଣି ଚିନ୍ତା । କେତେବେଳେ ନିଅଣ୍ଟିଆ ବର୍ଷା ତ ପୁଣି କେତେବେଳେ ବିହନ ଆଉ ସାର ସମସ୍ୟା । ଚିନାବାଦାମ ଚାଷ ନେଇ ଚିନ୍ତାରେ ଏବେ ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳର ଚାଷୀ । ଉଦ୍ୟାନ କୃଷି ବିଭାଗ ବିହନ ଯୋଗାଇବାରେ ବିଫଳ ହୋଇଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ଲାଭ ଖୋର୍ ବ୍ୟବସାୟୀ । କ୍ୱିଣ୍ଟାଲ ପିଛା ୯ହାଜରରୁ ୧୦ହଜାର ଟଙ୍କାରେ ଚିନାବାଦମ ବିକ୍ରି କରୁଛନ୍ତି । ଫଳରେ ଉପାୟ ନପାଇ ଚଢା ଦରରେ କିଣିବାକୁ ବାଧ୍ୟ ହୋଇଛନ୍ତି ଚାଷୀ ।

ବଡ଼ଚଣା ବ୍ଲକର କେଲୁଆ, ଗେଙ୍ଗୁଟି ଓ ବିରୂପା ନଦୀର ଅବବାହିକାରେ ଭଲ ଚିନାହାଦାମ ଚାଷ ହୋଇଥାଏ । ପ୍ରାୟ ୧୪ଶହ ହେକ୍ଟର ଜମିରେ ଚାଷ କରିଥାନ୍ତି ଚାଷୀ । ଚଳିତ ବର୍ଷ ଚାଷ ପାଇଁ ଜଳବାୟୁ ଉପଯୁକ୍ତ ରହିଥିଲେ ବିହନ ସମସ୍ୟା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ଏନେଇ ବଡ଼ଚଣା କୃଷି ଅଧିକାରୀଙ୍କୁ ପଚାରିବାରୁ, ଚାଷୀଙ୍କ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ହେଇକି ବିହନ ସମସ୍ୟା କି ଫସଲର ଅଭାବି ବିକ୍ରି । ସବୁବେଳେ ସମସ୍ୟା ଘେରରେ ରହୁଛନ୍ତି ଚାଷୀ । ତେବେ ଏଦିଗରେ କୃଷି ବିଭାଗ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।

ଏଥିସହିତ ପଢ଼ନ୍ତୁ: କ୍ରାଇମବ୍ରାଞ୍ଚ କବ୍‌ଜାରେ ନକଲି ଆଇଏଏସ୍: ପ୍ରଜେକ୍ଟ କରେଇଦେବା ନାଁରେ କୋଟିଏ ଟଙ୍କା ଠକିଥିଲେ

Leave a Reply