ଲାଞ୍ଚ ନେବା ପରେ ବି ବାଦାମ ଗାଡ଼ି ଛାଡ଼ିଲେଣି ପୂର୍ବତନ ଆଇଆଇସି ପ୍ରକାଶ ରଥ !

ଭୁବନେଶ୍ବର: ବାଦାମ ଗାଡ଼ି ଛାଡ଼ଇବାକୁ ଲାଞ୍ଚ ନେଲେ । ଗାଡି ବି ଛାଡିଲେ । ହେଲା ବାଦାମ ବାହାର କରି ରଖି ଦେଲେ । ଏମିତି ଅଭିଯୋଗ ଆସିଛି କପ୍ତିପଦା ଥାନାର ପୂର୍ବତନ ଆଇଆଇସି ପ୍ରକାଶ ରଥଙ୍କ ବିରୋଧରେ । ଜଣେ କର୍କଟ ରୋଗରେ ଆକ୍ରାନ୍ତ ବ୍ୟବସାୟୀଙ୍କ ବାଦାମ ଗାଡିକୁ ଅଟକାଇ ଲାଞ୍ଚ ମାଗିଲେ, ଲାଞ୍ଚ ନେଇ ଗାଡି ଝାଡି ଦେଲେ ମଧ୍ୟ ଗୋଦାମରେ ବାଦାମକୁ ପକାଇ ନଷ୍ଟ କଲେ ।

ଅଭିଯୋଗ ଅନୁସାରେ, ବହୁବନ୍ଧ ଗ୍ରାମର ବ୍ୟବସାୟୀ ବିଶେଶ୍ୱର ବିଶ୍ୱାଳ ଗତ ଜାନୁଆରୀ ମାସରେ ବାଲେଶ୍ୱରରୁ ବାଦାମ ନେଇ ଠାକୁରମୁଣ୍ଡା ଯାଉଥିଲେ । ଏହି ସମୟରେ ନୁଦଡିହା ଫାଣ୍ଡି ପୋଲିସ ବାଦାମ ଗାଡି ଅଟକାଇବା ପରେ କପ୍ତିପଦା ଥାନାର ପୂର୍ବତନ ଅଧିକାରୀ ପ୍ରକାଶ ରଥ ଉକ୍ତ ବାଦାମ ଗାଡିକୁ କପ୍ତିପଦା ଥାନାକୁ ନେଇଥିଲେ । କପ୍ତିପଦା ଥାନାରେ ଗାଡି ଅଟକ ରଖିବା ପରେ ସମସ୍ତ କାଗଜପତ୍ର ଯାଞ୍ଚ କରିଥିଲେ । କାଗଜପତ୍ର ଠିକ ଥିବା ଯାଞ୍ଚ କରିବା ପରେ ମଧ୍ୟ ବାଦାମ ବୋଝେଇ ଗାଡିକୁ ଛାଡି ନ ଥିଲେ । ବରଂ କ୍ୟାନ୍ସର ପୀଡିତ ବିଶେଶ୍ୱରଙ୍କୁ ବାରମ୍ବାର ଥାନା ଦଉଡ଼ାଇ ଥିଲେ । ଶେଷରେ ଗାଡି ଛାଡ଼ିବା ପାଇଁ ୧୫ ହଜାର ଲାଞ୍ଚ ମାଗିଥିଲେ । ଜଣେ ମଧ୍ୟସ୍ଥି ମାଧ୍ୟମରେ ୧୫ ହଜାର ଟଙ୍କା ନେବା ପରେ ବାଦାମ ବୋଝେଇ ଗାଡିକୁ ଛାଡି ଦେଇଥିଲେ । ହେଲେ ବାଦାମ ବସ୍ତା ଗୁଡିକୁ ଜଣେ ବେପାରୀଙ୍କ ଗୋଦାମରେ ଷ୍ଟକ ରଖିଥିଲେ ପୂର୍ବତନ ଆଇଆଇସି ପ୍ରକାଶ ରଥ । ଯାହାକି ସେଠାରେ ପଡି ରହି ୨ ମାସ ଭିତରେ ନଷ୍ଟ ହୋଇଗଲାଣି । ଏହି ବାଦାମର ମୂଲ୍ୟ ୨ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡ଼ିଛି ।

ସେପଟେ ବାରମ୍ବାର ଥାନା ଦୌଡ଼ି ନୟାନ୍ତ ହେବା ପରେ ଏ ନେଇ ଫୋନ ଯୋଗେ ଏସପିଙ୍କୁ ମଧ୍ୟ ଅଭିଯୋଗ କରିବା ସହ ଏସଡିପିଓଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ତଦନ୍ତ ହୋଇ ନଥିବା ବିଶେଶ୍ବର କହିଛନ୍ତି । କେବଳ ସେତିକି ନୁହେଁ, ଜବତ ବାଦାମ ବସ୍ତା ଛାଡ଼ିବା ପାଇଁ ଆହୁରି ୫୦ ହଜାର ଟଙ୍କା ପୂର୍ବତନ ଆଇଆଇସି ପ୍ରକାଶ ରଥ ମାଗିଥିବା କହିଛନ୍ତି କ୍ୟାନ୍ସର ପୀଡିତ ବ୍ୟବସାୟୀ ବିଶେଶ୍ୱର । ସେପଟେ ଘଟଣା ବାବଦରେ ଏସଡିପିଓଙ୍କୁ ପଚାରିବାରୁ ଏସପିଙ୍କ ସହିତ କ’ଣ ଆଲୋଚନା ହୋଇଛି ତାହା କହିବେ ନାହିଁ ବୋଲି କହିଛନ୍ତି ।