ବନୀକରଣ ନାଁରେ ଟଙ୍କା ଖାଇଗଲେ ବାବୁ, ତଦନ୍ତ ଦାବି

ବଲାଙ୍ଗୀର: ବନୀକରଣ ନାଁରେ କୋଟି କୋଟି ଟଙ୍କା ହରିଲୁଟ୍ ଅଭିଯୋଗ । ଆରଟିଆଇ ତଥ୍ୟରେ ସାମ୍ନାକୁ ଆସିଲା ସାଂଘାତିକ ସତ । ଗତ ୧୦ ବର୍ଷରେ ୧୯୦ କୋଟି ଟଙ୍କା ଅନୁଦାନରେ ୭୫ ଲକ୍ଷ ହେକ୍ଟର ବନୀକରଣ କରାଯାଇଥିବା କୁହାଯାଉଥିବା ବେଳେ ଏଥିରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା । ଏପରିକି ଅନେକ ଜାଗାରେ ଗଛ ନ ଲଗାଇ କାମ୍ପା ଯୋଜନା ଟଙ୍କା ହରିଲୁଟ ହୋଇଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, କ୍ଷତିପୂରକ ବନୀକରଣ ପାଇଁ ବଲାଙ୍ଗୀର ଜିଲ୍ଲାକୁ କାମ୍ପା ଯୋଜନାରେ ଗତ ୧୦ ବର୍ଷରେ ୧୯୭ କୋଟି ଟଙ୍କା ଆସିଛି । ହେଲେ ସେଥିରୁ ୭ କୋଟି ଟଙ୍କା ଫେରିଯାଇଛି । ତେବେ ୧୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ପ୍ରାୟ ୭୫ ଲକ୍ଷ ଚାରା ଲଗାଯାଇଥିବା ଆରଟିଆଇ ତଥ୍ଯ କହୁଛି । ଜିଲ୍ଲାର ବଲାଙ୍ଗୀର, ଲୋଇସିଂହା, ପାଟଣାଗଡ, ଟିଟିଲାଗଡ, ମୁରିବାହାଲ, ସଇଁତଲା, ଦେଓଗାଁ ଭଳି ୧୧ଟି ଫରେଷ୍ଟ ରେଞ୍ଜରେ ବୃକ୍ଷରୋପଣ କରାଯାଇଛି । ଗୋଟିଏ ଚାରା ପିଛା ଅଢେଇ ଶହ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଜିଲ୍ଲାର ଜନସଂଖ୍ୟା ଅନୁସାରେ ଜଣ ପିଛା ୫ଟି ଗଛ ଲଗାଯାଇଥିବା ତଥ୍ଯ କହୁଛି । ଏବେ ପ୍ରଶ୍ନ ଉଠୁଛି ଏତେ ବୃକ୍ଷରୋପଣ ସତ୍ତ୍ବେ ଜିଲ୍ଲାର ତାପମାତ୍ରା କାହିଁକି ବୃଦ୍ଧି ପାଉଛି ? ଏହାଛଡ଼ା ଲୋକେ କାମଧନ୍ଦା ଅଭାବରୁ ଦାଦନ ଯାଉଥିବା ବେଳେ ଯୋଜନା ଅର୍ଥ କାହିଁକି ଫେରାଇ ଦିଆଗଲା ବୋଲି ସୂଚନା ଅଧିକାର କର୍ମୀ ପ୍ରଶ୍ନ କରିଛନ୍ତି ।

ବନୀକରଣ ଟଙ୍କା ସିଧାସିଧା ବାବୁଙ୍କ ପକେଟ ଯାଇଥିବା ଅଭିଯୋଗ କରିଛନ୍ତି ଆଇନଜୀବୀ ଓ ସଚେତନ ନାଗରିକ । ଯେଉଁ ଜିଲ୍ଲାରେ ନବୀକରଣ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ସେଠାକୁ ପୁଣି ଆଦାନୀ ବନୀକରଣ କରିବାକୁ ଆସୁଛି । ଆଦାନୀ କର୍ପୋରେଟ କମ୍ପାନୀ ଗନ୍ଧମାର୍ଦ୍ଦନ ଅଞ୍ଚଳରେ ବନୀକରଣ ନାଁରେ ଜମି କିଣିଛି । କିନ୍ତୁ ସେହି ଅଞ୍ଚଳଗୁଡିକରେ ପ୍ରତିବର୍ଷ ୫୦ ହଜାର ଗଛ ଲଗାଯାଇଥିବା ତଥ୍ୟରୁ ଜଣାପଡ଼ିଛି । ସେପଟେ ଅଭିଯୋଗକୁ ଖଣ୍ଡନ କରିଛି ବଲାଙ୍ଗୀର ବନବିଭାଗ । ଜିଲ୍ଲାର ବିଭିନ୍ନ ସ୍ଥାନରେ ବନୀକରଣ କରାଯାଇଛି । ଯଦି ଅଭିଯୋଗକାରୀ ଚାହିଁବେ ଆମ ସହିତ ଯାଇ ତଦାରଖ କରିପାରିବେ ବୋଲି କହିଛନ୍ତି ବଲାଙ୍ଗୀର ଏସିଏଫ ।