କରୋନା ଯୋଦ୍ଧାଙ୍କୁ ଦୁର୍ବ୍ୟବହାର: ନର୍ସଙ୍କୁ ପଠାଉଥିଲେ ଅଶ୍ଳୀଳ ମେସେଜ୍

ବାଲେଶ୍ୱର: କରୋନା ଯୋଦ୍ଧାଙ୍କୁ ର୍ଦୁବ୍ୟବହାର ଅଭିଯୋଗରେ ୨ଜଣ ଅଟକ । ବାଲେଶ୍ୱର ସ୍ୱତନ୍ତ୍ର କୋଭିଡ଼୍‌ ହସ୍‌ପିଟାଲରେ ନର୍ସଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଗତକାଲି ରାତିରେ ମହିଳା କର୍ମଚାରୀମାନେ ଆନ୍ଦୋଳନ କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜଣେ ଅଭିଯୁକ୍ତଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ।

ସ୍ୱତନ୍ତ୍ର କୋଭିଡ ହସ୍‌ପିଟାଲରେ କାମ କରୁଥିବା ନର୍ସମାନଙ୍କ ମୋବାଇଲକୁ ଏହି ହସ୍‌ପିଟାଲର ମ୍ୟାନେଜର ସଚ୍ଚିଦାନନ୍ଦ ପାଢୀ ବାରମ୍ବାର ଅଶ୍ଳୀଳ ମେସେଜ୍‌ ପଠାଉଥିବା ଅଭିଯୋଗ ହୋଇଛି ।

ଏନେଇ ନର୍ସମାନେ ସିଡ଼ିଏମ୍‌ଓ, ଏଡ଼ିଏମ୍‌ଓଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନନେବାରୁ ନର୍ସମାନେ କାମ ବନ୍ଦକରି ମୁଖ୍ୟ ଫାଟକ ନିକଟରେ ଆନ୍ଦୋଳନ କରିଥିଲେ । ଘଟଣା ସମ୍ପର୍କରେ ସୂଚନାପାଇ ପୋଲିସ ଓ ମାଜିଷ୍ଟ୍ରେଟ୍‌ ପହଞ୍ଚି ତଦନ୍ତ କରିଛନ୍ତି ।

            ତେବେ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଭଳି କରୋନା ଯୋଦ୍ଧାଙ୍କୁ ଦୁର୍ବ୍ୟବହାର କିମ୍ୱା ଆକ୍ରମଣ କରିବା ଅତ୍ୟନ୍ତ ଗୁରୁତର ଅପରାଧଭାବେ ବିବେଚନା କରିଛନ୍ତି ରାଜ୍ୟ ସରକାର । ସେମାନଙ୍କ ଅପମାନ ରାଜ୍ୟକୁ ଅପମାନ କଲା ଭଳି ।

ଏହାକୁ ଦେଶଦ୍ରୋହ ଭଳି ଅପରାଧଭାବେ ବିବେଚନା କରାଯିବା ସହ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି । ତଥାପି କିଛି ଲୋକ ଏଭଳି କରୁଥିବା ନଜର ଆସୁଛି । ପୂର୍ବରୁ କିଛି ସ୍ଥାନରେ ଡାକ୍ତର ଆକ୍ରମଣର ଶିକାର ହୋଇଥିବା ବେଳେ ଏବେ ନର୍ସ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି ।

Leave a Reply