ବ୍ରହ୍ମପୁର ଏମକେସିଜି ମେଡିକାଲ କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ, ଯମ ଯନ୍ତ୍ରଣା ଭୋଗୁଛନ୍ତି ବୃଦ୍ଧା

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲ କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ଯୋଗୁ ଜଣେ ୬୫ବର୍ଷୀୟ ବୃଦ୍ଧା ଏବେ ଯମ ଯନ୍ତ୍ରଣା ଭୋଗୁଛନ୍ତି । ନିଜ ଦୋଷ ଲୁଚାଇବାକୁ ଡାକ୍ତରଖାନା କର୍ତ୍ତୃପକ୍ଷ ଏବେ ବୃଦ୍ଧାଙ୍କୁ କେତେବେଳେ ଭୁବନେଶ୍ୱର ଏମ୍‌ସ ତ କେତେବେଳେ କଟକ ଏସ୍‌ସିବି ମେଡିକାଲକୁ ପଠାଉଛନ୍ତି । ଫଳରେ ଏହି ଗରିବ ବୃଦ୍ଧା ଜଣକ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଗତ ୩୧ ତାରିଖରେ ଚକ୍ଷୁ ପରୀକ୍ଷା ପାଇଁ ବ୍ରହ୍ମପୁର ହୁଗୁଳାପଟା ଗାଁର ୬୫ବର୍ଷୀୟ ବୃଦ୍ଧା ପୁନା ସାହୁ ନିଜ ପୁଅ ସହ ଏମ୍‌କେସିଜି ମେଡିକାଲର ଦ୍ୱିତୀୟ ମହଲାରେ ଥିବା ଚକ୍ଷୁ ବିଭାଗରେ ପହଞ୍ଚିଥିଲେ । ଚକ୍ଷୁ ବିଭାଗରେ ଆଖି ପରୀକ୍ଷା କରିବାକୁ ବୃଦ୍ଧା ଜଣକ ବସିଥିବା ବେଳେ ତାଙ୍କ ପୁଅ ଡମ୍ବୁରଧର ସାହୁ ରକ୍ତ ରିପୋର୍ଟ ଆଣିବାକୁ ତଳକୁ ଯାଇଥିଲେ । ଏହି ସମୟରେ ନିର୍ମାଣାଧୀନ ଲିଫ୍ଟର କବାଟ ବନ୍ଦ ନଥିବାରୁ, ତାହା ଶୌଚାଳୟ ଭାବି ବୃଦ୍ଧା ଜଣକ ଭିତରକୁ ପଶିଯାଇଥିଲେ । ହେଲେ ଲିଫ୍ଟ ଖୋଲା ଥିବାରୁ ବୃଦ୍ଧା ଜଣକ ସିଧା ଦୁଇମହଲାରୁ ତଳକୁ ଖସି ପଡ଼ିଥିଲେ । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ଓ ଦୁଇଟି ହାତ ଏବଂ ଅଣ୍ଟା ଭାଙ୍ଗି ଯାଇଛି ।

ଦୀର୍ଘ ସମୟ ଧରି ତଳେ ରକ୍ତାକ୍ତ ହୋଇ ବୃଦ୍ଧା ଜଣକ ପଡ଼ିରହିଥିଲେ ମଧ୍ୟ ତାଙ୍କୁ ଉଦ୍ଧାର କରାଯାଇନଥିଲା । ସେପଟେ ବୃଦ୍ଧାଙ୍କୁ ପୁଅ ତାଙ୍କୁ ଉଦ୍ଧାର କରି ତୁରନ୍ତ କାଜୁଆଲଟିରେ ଭର୍ତ୍ତି କରିଥିଲେ । ହେଲେ ନିଜ ଦୋଷ ଲୁଚାଇବାକୁ ଯାଇ ଏମକେସିଜି ମେଡିକାଲ କର୍ତ୍ତୃପକ୍ଷ ବୃଦ୍ଧାଙ୍କୁ ଚିକିତ୍ସା କରିବା ପରିବର୍ତ୍ତେ ବାରମ୍ବାର ଅନ୍ୟ ଡାକ୍ତରଖାନାକୁ ପଠାଉଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

Leave a Reply