ନୂଆ ବର୍ଷ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା: ବଡଦାଣ୍ଡରେ ବନ୍ଦ ରହିବ ସମସ୍ତ ଦୋକାନ

ପୁରୀ: ନୂଆ ବର୍ଷଦିନ ବଡ଼ଦାଣ୍ଡରେ ସମସ୍ତ ଦୋକାନ ବନ୍ଦ ରହିବ । ଭକ୍ତଙ୍କ ସୁବିଧାକୁ ଆଖି ଆଗରେ ରଖି ନିଷ୍ପତ୍ତି ନିଆଯାଇଛି । ନୂଆ ବର୍ଷ ଓ ବଡ଼ ଦିନରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିବାରୁ ଏମିତି ଏକ ପଦକ୍ଷେପ ନେଇଛି ପ୍ରଶାସନ । ଭକ୍ତ କିଭଳି ସୁବିଧାରେ ଦର୍ଶନ କରି ଫେରିବେ ସେନେଇ ମଧ୍ୟ ଧ୍ୟାନ ଦେଇଛି ପ୍ରଶାସନ । ଭକ୍ତ ସିଂହଦ୍ୱାର ଦେଇ ପ୍ରବେଶ କରି ଅନ୍ୟ ତିନିଦ୍ଵାର ଦେଇ ପ୍ରସ୍ଥାନ କରିବେ । ମହାପ୍ରଭୁଙ୍କ ନୀତି ଶୃଙ୍ଖଳିତ କରିବା ଲାଗି ଭୋରୁ ଶ୍ରୀମନ୍ଦିର ଦ୍ୱାର ଫିଟାଯାଇ ନୀତି ତ୍ୱରାନ୍ୱିତ କରାଯିବ । ଅନ୍ୟପଟେ  ଚାରିଚକିଆ ଯାନ ଓ ଅଟୋ ବନ୍ଦ କରାଯାଇଥିବା ବେଳେ ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ପାଦଚଲା ରାସ୍ତା ନିର୍ମାଣ ହୋଇଛି । 

ବଡ଼ଦିନ ଓ ନୂଆବର୍ଷକୁ ନଜରରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି  । ଟ୍ରାଫିକ ନିୟନ୍ତ୍ରଣ, ଭକ୍ତ ଓ ଶ୍ରଦ୍ଧାଳୁମାନେ କିଭଳି ଶୃଙ୍ଖଳିତ ଭାବରେ ଦର୍ଶନ କରିବେ ସେନେଇ ଜିଲ୍ଲା ପ୍ରଶାସନ ପ୍ରଥମ କରି ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି ।

ପଦକ୍ଷେପ ଗୁଡ଼ିକ ହେଲା

ଶ୍ରୀମନ୍ଦିର ସମ୍ମୁଖରେ ଅଧିଗ୍ରହଣ କରାଯାଇଥିବା ସ୍ଥାନରେ ନୂତନ କରି ବ୍ୟାରିକେଡ ନିର୍ମାଣ ହୋଇଛି । ଭକ୍ତ ଓ ଶ୍ରଦ୍ଧାଳୁମାନେ ଏହି ବ୍ୟାରିକେଡ୍ ଦେଇ ସିଂହଦ୍ୱାରକୁ ପ୍ରବେଶ କରିବେ । ବ୍ୟାରିକେଡରେ ସ୍ୱତନ୍ତ୍ର ସିସିଟିଭି ସହ ଭିଡିଓଗ୍ରାଫି, ଡ଼ାକବାଜି ଯନ୍ତ୍ରର ବ୍ୟବସ୍ଥା କରାଯାଇଛି । ଭକ୍ତମାନଙ୍କ ଜୋତା,ଚପଲ ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ରଖିବା ପାଇଁ ମାଗଣା ଲକର ଓ ଜୋତା ଷ୍ଟାଣ୍ଡ ମଧ୍ୟ ଉପଲବ୍ଧ କରାଯାଇଛି । ଦୂରଦୂରାନ୍ତରୁ ଆସିଥିବା ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ପ୍ରତି କିଭଳି ଭଲ ଅନୁଭୂତି ନେଇ ଫେରିବେ ସେନେଇ ବିଶେଷ ଭାବରେ ପ୍ରଶାସନ ବ୍ୟବସ୍ଥା କରିଥିବା ବେଳେ ପିଇଵା ପାଣି ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରିଛି ।

ନୂଆ ବର୍ଷ ଲାଗି ଟାଉନ ଥାନାର ଟ୍ରାଫିକ କଟକଣା

ବସ ଓ ଅନ୍ୟାନ୍ୟ ଚାରିଚକିଆ ଗାଡିକୁ ମାର୍କେଟ ଛକରୁ ରିଟର୍ଣ୍ଣ କରାଯିବ । ଟ୍ରାଫିକ ନିୟନ୍ତ୍ରଣ ପାଇଁ ମୁନିସିପାଲିଟି ମାର୍କେଟ,  ପୁରୁଣା ଜେଲ ଓ ଶ୍ରୀ ଜଗନ୍ନାଥ  ବଲ୍ଳଭରେ ପାର୍କିଂ ବନ୍ଦୋବସ୍ତ । ପାଦଚଲା ଭକ୍ତଙ୍କ ସଂଖ୍ୟା ଅଧିକ ହେତୁ ସେମାନେ କିଭଳି ଦର୍ଶନ ସୁରୁଖୁରୁରେ କରିପାରିବେ ସେନେଇ ମରିଚିକୋଟ ଛକ ଠାରୁ ବ୍ୟାରିକେଡ । ପ୍ରଶାସନର ଏଭଳି ବନ୍ଦୋବସ୍ତକୁ ଭକ୍ତଙ୍କ ମହଲରେ ସ୍ୱାଗତ କରାଯାଇଛି  ।

ବେଳେ ବେଳାଭୂମିରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି:

ବାଲିରେ ୩ଟି ପୋଲିସ ଟେଣ୍ଟ୍ କରାଯିବା ସହ ସମୁଦ୍ରରେ ସୁରକ୍ଷିତ ସ୍ନାନ ପାଇଁ ଅଗ୍ନିଶମ ବିଭାଗ ଓ ୧୦୦ରୁ ଉର୍ଦ୍ଧ ଲାଇଫଗାର୍ଡ଼ ମୁତୟନ ରହିବେ ।

Leave a Reply