ସରିଲା ସର୍ବଦଳୀୟ ବୈଠକ, ବିଧାନସଭା ଅଧିବେଶନ ସୁରୁଖୁରୁରେ ଚାଲିବା ନେଇ ଆଲୋଚନା

ଭୁବନେଶ୍ବର: ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେଶନ କେମିତି ସୁରୁଖୁରରେ ଚାଲିବ ସେ ନେଇ ଆଲୋଚନା ହୋଇଛି ।

ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଆଇନ ମନ୍ତ୍ରୀଙ୍କ ସମେତ ଦଳୀୟ ନେତା ସାମିଲ ହୋଇଥିଲେ । ବଜେଟ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ଲାଗି ସମସ୍ତଙ୍କର ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି । ଆସନ୍ତାକାଲି ଦିନ ୧୧ଟାରୁ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ଅଧିବେଶନକୁ ସୁରୁଖୁରୁରେ ସମ୍ପାଦନ କରିବାକୁ ବିରୋଧୀଙ୍କ ସହଯୋଗ ଲୋଡିଛି ଶାସକ ଦଳ । ତେବେ ବଜେଟ ଆଲୋଚନ ସହ ରାଜ୍ୟପାଳଙ୍କ ଅଭିଭାଷଣ କିପରି ଭଲ ଭାବେ ଚାଲିବ, ସେ ଦିଗରେ ଆଲୋଚନା ହୋଇଛି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ତେବେ ବୈଠକରେ କଂଗ୍ରେସ ବିଧାୟକ ସାମିଲ ହୋଇ ନଥିଲେ ।

ବୈଠକ ପରେ ବାଚସ୍ପତି କହିଛନ୍ତି, ‘ବିଧାନସଭା ଅଧିବେଶନ କିପରି ସୂଚାରୁ ରୂପେ ସମ୍ପାଦନ ହେବ ସେ ନେଇ ସମସ୍ତଙ୍କ ମତାମତ ନିଆଗଲା । ଆସନ୍ତାକାଲି ସକାଳ ୧୧ଟାରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ରାଜ୍ୟପାଳଙ୍କ ଉଦବୋଧନରୁ ଅଧିବେଶନ ଆରମ୍ଭ ହେବ ।’

ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ‘ଗୃହ କିପରି ସୁରୁଖୁରରେ ଚାଲିବ ଆଲୋଚନା ହୋଇଛି । ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ ଓ ବଜେଟ ନେଇ ଆଲୋଚନା କଲୁ ।’

ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ‘ଆସନ୍ତାକାଲି ଆମର ନୂଆ ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭ ହେବ । ସୁରୁଖୁରୁରେ ଅଧିବେଶନ ଚାଲିବା ନେଇ ଆଲୋଚନା ହୋଇଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବୀନ ନିବାସ ଯାଇ ସର୍ବଦଳୀୟ ବୈଠକରେ ଯୋଗ ଦେବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ବଛା ଯାଇ ନଥିବାରୁ ପିସିସି ସଭାପତିଙ୍କ ସହ ଫୋନରେ କଥା ହୋଇଥିଲି । ଦଳ ତରଫରୁ କେହି ବୈଠକକୁ ଆସି ନଥିଲେ । ସିପିଆଇଏମ ନେତା ଲକ୍ଷ୍ମଣ ମୁଣ୍ଡାଙ୍କ ସହ ମଧ୍ୟ କଥା ହୋଇ ଥିଲି, ସେ ଆସିପରିନାହାନ୍ତି । ମୋଟାମୋଟି ଭାବେ ସର୍ବସମ୍ମତି କ୍ରମେ ସୁରୁଖୁରରେ ବିଧାନସଭା ଚଲାଇବାକୁ ନିଷ୍ପତ୍ତି ହୋଇଛି ।