ସରଗରମ ହେବ ବଜେଟ୍ ଅଧିବେଶନ, ମାଳମାଳ ପ୍ରସଙ୍ଗ ନେଇ କମ୍ପିବ ଗୃହ
1 min read![](https://nandighoshatv.com/wp-content/uploads/2025/02/ଏଥର-ପେପରଲେସ୍-ବିଧାନସଭା-1024x576.jpg)
ଭୁବନେଶ୍ବର ; ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ଧାନମଣ୍ଡିରେ ଜାରି ରହିଛି କଟନିଛଟନି । କୋଟିଆ, ମହାନଦୀ ଓ ପୋଲାଭରମରେ ରାଜ୍ୟ ସ୍ବାର୍ଥକୁ ଅଣଦେଖା । କଣାସ ଓ ବାଙ୍କୀରେ ହଇଜା ବ୍ୟାପୁଛି । ନିର୍ବାଚନୀ ପ୍ରତିଶୃତି ପାଲଟିଛି ପାଣିର ଗାର । ବଜେଟ ଅଧିବେଶନରେ ଏସବୁ ପ୍ରସଙ୍ଗକୁ ଅସ୍ତ୍ର କରି ଶାସକ ଦଳକୁ ଘେରିବେ ବିରୋଧୀ । ଲୋକଙ୍କ ସ୍ବର ସାଜି ଆକ୍ରମଣାତ୍ମକ ଭୂମିକା ତୁଲାଇବ ମୁଖ୍ୟ ବିରୋଧୀ ବିଜେଡି । ନାରୀ ନିର୍ଯାତନା, ଭୁବନେଶ୍ବରର ଦିନ ଦିପହରେ ହତ୍ୟା, ଚୋରି, ନେତାଙ୍କ ଉପରେ ଆକ୍ରମଣ ଆଦି ପ୍ରସଙ୍ଗକୁ ଅସ୍ତ୍ର କରିବ ବିଜେଡି। ଏହା ସହ ବାରବାଟୀ ଫ୍ଲଡ ଲାଇଟ ବନ୍ଦ ହୋଇଯିବାରୁ ଓଡିଶା ବଦନାମ ହେବା ପ୍ରସଙ୍ଗରେ ବି ବିଜେଡି ଡବାବ ମାଗିବ। ସରକାରଙ୍କ ବିଫଳତା ନେଇ ଘେରିବ କଂଗ୍ରେସ।
ବଜେଟ ଅଧିବେଶନକୁ ସୁରୁଖୁରୁରେ ଶେଷ କରିବାକୁ ସର୍ବଦଳୀୟ ବୈଠକରେ ଶାସକ ଓ ବିରୋଧୀ ଦଳର ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି ସୁରମା ପାଢୀ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି- ଚିରାଚରିତ ପ୍ରଥାରେ ଚାଲିବ ବିଧାନସଭା । ଅନ୍ୟପଟେ ବଜେଟ ଅଧିବେଶନରୁ ବିଧାନସଭା ପେପରଲେସ ହୋଇଛି । ଟ୍ୟାବରେ ବିଧାୟକମାନେ ପଢିବାର ବ୍ୟବସ୍ଥା ହୋଇଛି । ବିଧାନସଭାର ୧୪୭ ବିଧାୟକଙ୍କ ଆସନରେ ଟ୍ୟାବ ଲାଗିଛି । ତେଣେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି -ପେପରଲେସ ବିଧାନସଭା ପୂର୍ବ ସରକାର ଅମଳରୁ ଆରମ୍ଭ ହୋଇଥିବା । ତାହାକୁ ଏବେ କାର୍ଯ୍ୟକାରୀ କରାଯିବା ଭଲ କଥା । ଶାସକ ଦଳର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ଟ୍ଯାବ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଟ୍ୟାବ ବ୍ୟବସ୍ଥାରେ ବହୁତ କିଛି ନାହିଁ ବୋଲି ସେ କହିଛନ୍ତି। ବାଚସ୍ପତି କହିଛନ୍ତି- ବିଧାନସଭାକୁ ପେପରଲେସ କରାଯାଇଛି । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ । ୧୩ରୁ ୨୧ ପ୍ରଥମ ପର୍ଯ୍ୟାୟ, ମାର୍ଚ୍ଚ ୭ରୁ ଏପ୍ରିଲ ୫ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ବସିବ। ରହିବ ମୋଟ ୨୮ଟି କାର୍ଯ୍ୟଦିବସ । ୧୭ରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ। ଅଧିବେଶନରେ ପରସ୍ପରକୁ ଘେରିବା ପାଇଁ ଶାସକ ଓ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି ।