ମେଣ୍ଟରୁ ଓହରିଲେ ସହଯୋଗୀ, ଉପହାର ଫେରସ୍ତ ମାଗିଲେ ଅଖିଳେଶ

ଲକ୍ଷ୍ଣୌ; ସମ୍ପ୍ରତି ଉତ୍ତରପ୍ରଦେଶର କୌଣସି ନିର୍ବାଚନ ନାହିଁ । ରାଜ୍ୟସଭା ନିର୍ବାଚନ ମଧ୍ୟ ସାରିଯାଇଛି ତଥାପି ସରଗରମ ରହିଛି ଏଠାକାର ରାଜନୈତିକ ମାହୋଲ । ରାଜ୍ୟସଭା ନିର୍ବାଚନରେ ସମାଜବାଦୀ ପାର୍ଟିର ୩ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବେଳେ ବିଧାନ ପରିଷଦର ୩ ଆସନ ସପା ଖାତାକୁ ଯାଇଛି । ଯେଉଁଥିରୁ କୌଣସି ବି ଆସନ ଅନ୍ୟ ସହଯୋଗୀ ଦଳକୁ ଦେଇନାହିଁ ସମାଜବାଦୀ ପାର୍ଟି ।

          ତେବେ ଦଳର ଏଭଳି ନିଷ୍ପତ୍ତିରେ ନାରାଜ ହୋଇଛନ୍ତି ସହଯୋଗୀ ମହାନ ଦଳର ମୁଖ୍ୟ କେଶବ ଦେବ ମୌର୍ଯ୍ୟ । ଏବଂ ମେଣ୍ଟ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛନ୍ତି । ଆଉ ସହଯୋଗୀ ଦଳର ଏଭଳି ନିଷ୍ପତ୍ତି ପରେ ସପା ପକ୍ଷରୁ ଉପହାର ବାବଦରେ ଦିଆଯାଇଥିବା ଦାମୀ କାର୍‌କୁ ଫେରସ୍ତ ମାଗିଛନ୍ତି ସପା ମୁଖ୍ୟ ଅଖିଳେଶ ଯାଦବ ।

ବିଧାନସଭା ନିର୍ବାଚନ ପୂର୍ବରୁ ସପାର କେଶବ ଦେବ ମୌର୍ଯ୍ୟଙ୍କୁ ଏକ ଫର୍ଚୁନର କାର୍ ଉପହାର ଦେଇଥିଲା । ଏବେ ମେଣ୍ଟ ଭାଙ୍ଗିବା ପରେ ଦଳ ପକ୍ଷରୁ କାରକୁ ଫେରସ୍ତ ମଗାଯାଇଛି ।

ମହାନ ଦଳ ଓ ସପା ଗଠବନ୍ଧନ କରିବା ପରେ ମେଣ୍ଟରେ ମହାନ ଦଳକୁ ମାତ୍ର ଦୁଇଟି ସିଟ୍ ମିଳିଥିଲା। ସପାର ନିର୍ବାଚନୀ ଚିହ୍ନ ସାଇକେଲ ସହ କେଶବଙ୍କ ପତ୍ନୀ ଏବଂ ପୁଅ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ଉଭୟ ପରାସ୍ତ ହୋଇଥିଲେ । ମହାନ ଦଳ ସହ ଗଠବନ୍ଧନ କରି ସପା ପୁଣି ଥରେ କ୍ଷମତାକୁ ଫେରିବ ବୋଲି ଭାବିଥିଲେ ବି ନିର୍ବାଚନ ପରେ ସେଭଳି ହୋଇପାରିନଥିଲା। ବିଧାନସଭା ନିର୍ବାଚନ ସମୟରେ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ଦାଦା ପ୍ରଫେସର ରାମ ଗୋପାଳ ଯାଦବ କେଶବ ଦେବ ମୌର୍ଯ୍ୟଙ୍କୁ ପ୍ରଶଂସା କରିଥିଲେ ଏବଂ ତାଙ୍କୁ ଭଗବାନ କୃଷ୍ଣଙ୍କ ଅବତାର ବୋଲି ବର୍ଣ୍ଣନା କରିଥିଲେ। ହେଲେ ନିର୍ବାଚନରେ ମହାନ ଦଳର ବିଶେଷ ପ୍ରଭାବ ନପଡ଼ିବାରୁ ସପା ମହାନ ଦଳକୁ ଗୁରୁତ୍ୱ ଦେଇନଥିଲା।

ଏଥିସହିତ ପଢ଼ନ୍ତୁ: ଭଗବାନଙ୍କୁ ଦାନ କଲେ ରୂପା ଅଫିମ ଗଛ