ଆମ ସରକାର ଆସିଲେ ହଟିବ ଇଭିଏମ୍ : ଅଖିଲେଶ ଯାଦବ

ନୂଆଦିଲ୍ଲୀ:  ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ମଙ୍ଗଳବାର ଲୋକସଭାରେ ଚର୍ଚ୍ଚାରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କ ବିୟାନ । ସେ ଇଭିଏମ୍ ଏବଂ ଅଗ୍ନିବୀର ଭଳି ପ୍ରସଙ୍ଗରେ କେନ୍ଦ୍ରସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଏ ସରକାର ଚାଲିବନି ବରଂ ଭାଙ୍ଗିଯିବ। ସମ୍ବିଧାନ ହିଁ ସଞ୍ଜିବନୀ ଏବଂ ଏହି ନିର୍ବାଚନରେ ସମ୍ବିଧାନର ରକ୍ଷକଙ୍କର ବିଜୟ ହୋଇଛି । ଏ ଦେଶ କାହାର ବ୍ୟକ୍ତିଗତ ଆଂକାକ୍ଷାରେ ନୁହେଁ ବରଂ ଜନ ଆକାଂକ୍ଷାରେ ଚାଲିବ । ଏପରି ବିଭିନ୍ନ ପ୍ରସଙ୍ଗ ଉଠାଇ ଅଖିଳେଶ ଯାଦବ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ।

କେବଳ ଏତିକି ନୁହେଁ ଇଭିଏମକୁ ନେଇ ସଂସଦରେ ବଡ ବୟାନ ରଖିଛନ୍ତି ଅଖିଳେଶ ଯାଦବ । ଅଖିଳେଶ କହିଛନ୍ତି, ଯେତେବେଳେ ନିର୍ବାଚନ ଆଚରଣ ବିଧି ଲାଗୁ ହେଲା ସେତେବେଳେ ନିର୍ବାଚନ ଆୟୋଗ କିଛି ଲୋକଙ୍କୁ ବହୁତ ସହଯୋଗ କଲେ । ନିର୍ବାଚନ କମିଶନ ଭଳି ସଂସ୍ଥା ନିରପେକ୍ଷ ହେଲେ ହିଁ ଭାରତର ଗଣତନ୍ତ୍ର ମଜବୁତ ହେବ । ଏପରିକି ଆଜି ବି ଇଭିଏମ ଉପରେ ମୋର ଭରସା ନାହିଁ । ଉତ୍ତରପ୍ରଦେଶର ୮୦ରୁ ୮୦ ଆସନ ଜିତିଗଲେ ମଧ୍ୟ ଇଭିଏମ ଉପରେ ଭରସା ଆସିବନି । ଆମେ ନିର୍ବାଚନରେ କହିଥିଲୁ ଇଭିଏମରେ ଜିତିବୁ ଏବଂ ଇଭିଏମକୁ ହଟାଇବୁ ।

ଅଗ୍ନିବୀର ଯୋଜନାକୁ ନେଇ ସରକାରଙ୍କୁ ଘେରିଛନ୍ତି ଅଖିଳେଶ ଯାଦବ । ସଂସଦରେ ଅଖିଳେଶ କହିଛନ୍ତି, ମୁଁ ନିଜେ ସୈନିକ ସ୍କୁଲରେ ପାଠ ପଢିଛି । ଅଗ୍ନିବୀର ଯୋଜନା ସାହାରାରେ ସୀମାର ସୁରକ୍ଷା କରାଯାଇ ପାରିବନି । ଇଣ୍ଡିଆ ମେଣ୍ଟର ସରକାର ଆସିଲେ, ଅଗ୍ନିବୀର ଯୋଜନାକୁ ବନ୍ଦ କରିବାକୁ କାମ କରିବ । ଏହି ସରକାର ଯୁବବର୍ଗଙ୍କ ଠାରୁ ଚାକିରି ଛଡାଇ ନେଇଛି । ତେଣୁ ଏ ସରକାରରେ ନା ନିଯୁକ୍ତିର ସୁଯୋଗ ଅଛି ନା ରୋଜଗାରର । ତେଣୁ ଆସନ୍ତା ଥର ରାଷ୍ଟ୍ରପତିଙ୍କ ଅଭିଭାଷଣ ହେଉ, ସରକାରୀ ଭାଷଣ ନହେଉ ।