ମହଙ୍ଗା ହେବ ବିମାନ ଯାତ୍ରା, ୧୬ ପ୍ରତିଶତ ପର୍ଯ୍ୟନ୍ତ ନ୍ୟୁନତମ ଭଡ଼ା ବଢାଇଲା କେନ୍ଦ୍ର, ୧ ଜୁନରୁ ଲାଗୁହେବ ନୂଆ ଦର

ନୂଆଦିଲ୍ଲୀ: ଏବେ ପକେଟ୍‌ଉପରେ ଭାରି ପଡ଼ିବ ବିମାନ ଯାତ୍ରା । ନିକଟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିମାନ ଟିକେଟ ଦର ବୃଦ୍ଧି କରିଛନ୍ତି । ତେବେ ଜୁନରେ ନୂଆ ଦର ଲାଗୁ ହେବ । କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ସମୟର ବିମାନର ଭଡ଼ା ୧୩ରୁ ୧୬ ପ୍ରତିଶତକୁ ବୃଦ୍ଧି କରାଯାଇଛି ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁସାରେ ୪୦ ମିନିଟ୍‌ଦୂରତା ବିଶିଷ୍ଟ ବିମାନ ଭଡ଼ା ନ୍ୟୁନତମ ୨୩୦୦ ଟଙ୍କାରୁ ବଢି ୨୬୦୦ ଟଙ୍କା କରାଯାଇଛି । ଅନ୍ୟପଟେ ୪୦ରୁ ୬୦ ମିନିଟ୍‌ବା ଏକ ଘଣ୍ଟା ଯାତ୍ରା କରୁଥିବା ବିମାନ ଭଡ଼ା ବ୍ୟକ୍ତି ପିଛା ନ୍ୟୁନତମ ୨୯୦୦ ଟଙ୍କାରୁ ବୃଦ୍ଧି ହୋଇ ୩୩୦୦ ଟଙ୍କା ଧାର୍ଯ୍ୟ ହୋଇଛି । ତେବେ ବିଶ୍ୱବ୍ୟାପି କରୋନା ମହାମାରୀ ସମୟରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

କରୋନା ଯୋଗୁଁ ବିମାନ ଚଳଚଳ କ୍ଷେତ୍ର ଉପରେ ଏକ ବଡ଼ ଧରଣର ପ୍ରଭାବ ପଡ଼ିଛି । ସେଣ୍ଟର ଫର ଏସିଆ ପେସିଫିକ୍‌ଏଭିଏସନ୍‌ଅନୁସାରେ ଏହି ସେକ୍ଟରକୁ ଆର୍ଥିକ ବର୍ଷରେ ଛଅରୁ ସାଢେ ଛଅ ଆରବ ଡଲାରର କ୍ଷତି ହୋଇପାରେ । ଏହି ସଙ୍ଗଟରୁ ବର୍ତ୍ତିବା ପାଇଁ ପ୍ରାୟ ୫ ଆରବ ଡଲାର ନିବେଶର ଆବଶ୍ୟକତା ରହିଛି ।

ଗତବର୍ଷ ଇଣ୍ଟରନ୍ୟାସନାଲ ଏବିଏସନ ଟ୍ରାଭେଲ ଆସୋସିଏସନ ଏକ ରିପୋର୍ଟରେ ଦାବି କରିଥିଲାଯେ, କରୋନା ହେତୁ ଭାରତୀୟ ବିମାନ ସେବା କମ୍ପାନୀ ଗୁଡ଼ିକୁ ୨୦୨୦ରେ ୧୧୨୨ କୋଟି ଡଲାରର କ୍ଷତି ସହିବାକୁ ପଡ଼ିବ ଏବଂ ୨୯ ଲକ୍ଷରୁ ଅଧିକ ଲୋକ ବେରୋଜଗାର ହୋଇପାରନ୍ତି ।

ସୂଚନାଯୋଗ୍ୟ ୨୦୨୧ ଫେବୃଆରୀ ମାସରେ ରେଲଓ୍ୱେ ମନ୍ତ୍ରଣାଳୟ ଲୋକାଲ ଟ୍ରେନର ଭଡ଼ା ଦାମ୍‌ବଢାଇ ଦେଇଥିଲେ । ପୂର୍ବରୁ ୨୦ କିଲୋମିଟର ଯାତ୍ରା ପାଇଁ ୧୦ ଟଙ୍କା ଭଡ଼ା ଦେବାକୁ ପଡ଼ୁଥିଲା, ପରେ ସେହି ସମାନ ରାସ୍ତା ଯାତ୍ରା ପାଇଁ ୩୦ ଟଙ୍କା ଦେବାକୁ ଧାର୍ଯ୍ୟ ହୋଇଥିଲା ।

Leave a Reply