ଦୀପାବଳି ପୂର୍ବରୁ ଖରାପ ହେଲାଣି ବାୟୁ ଗୁଣାତ୍ମକ ମାନ, ବିଷ ବଳୟରେ ଓଡିଶାର ୮ ସହର !

1 min read

ଭୁବନେଶ୍ୱର: ଦୀପାବଳି ପୂର୍ବରୁ ଖରାପ ହେଲାଣି ବାୟୁ ଗୁଣାତ୍ମକ ମାନ। ଦିଲ୍ଲୀ ପରେ ଓଡ଼ିଶାର ସହରାଞ୍ଚଳ, ଶିଳ୍ପାଞ୍ଚଳ ବାୟୁର ମାନ ଦିନକୁ ଦିନ ଖରାପ ହେବାକୁ ବସିଲାଣି । ରାଜ୍ୟ ସରକାର ଚେଇଁ ଶୋଇଲା ଭଳି ଲାଗୁଛି । ଦୀପାବଳି ଆସିଲେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କେବଳ ଖବରକାଗଜରେ ଔପଚାରିକ ବିଜ୍ଞାପନ ଦେଇ କାମ ସାରି ଦେଉଛି । କେବଳ କାଗଜ କଲମରେ ଚାଲିଛି ପରିବେଶ ସଂରକ୍ଷଣ ଅଧିନିୟମ ୧୯୮୬ର ବ୍ୟବସ୍ଥା । ଫଳରେ ଦିଲ୍ଲୀ ପରେ ରାଜ୍ୟର ଦ୍ବୈତ ନଗରୀ ଭୁବନେଶ୍ବର-କଟକ, ଶିଳ୍ପାଞ୍ଚଳ ରାଉରକେଲା, ଝାରସୁଗୁଡ଼ା, ତାଳଚେର, ପାରାଦୀପ, ଅନୁଗୁଳ ଓ କଳିଙ୍ଗନଗର ଧୀରେ ଧୀରେ ବିଷ ବଳୟ ଭିତରକୁ ଠେଲି ହୋଇଯାଉଛି । ଖୋଦ ରାଜଧାନୀରେ ଆଉ ଏୟାର କ୍ବାଲିଟି ଇଣ୍ଡେକ୍ସ୍ ନେଇ ଏଲ୍ଇଡି କାମ କରୁନି । ଏପରିକି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଅଫିସରେ ଆଗରୁ ଥିବା ଏଲ୍ଇଡିର ଦେଖା ନାହିଁ । ବାଣ ଫୁଟିଲେ ଶବ୍ଦ ଓ ବାୟୁ ପ୍ରଦୂଷଣ କେବଳ ମଣିଷ ନୁହେଁ ଜୀବଜନ୍ତୁଙ୍କ ଜୀବନ ପାଇଁ ବି ବିପଜ୍ଜନକ । ହେଲେ ମାନୁଛି କିଏ ? ବିଶେଷଜ୍ଞଙ୍କ ମତରେ ଏକ୍ୟୁଆଇକୁ ୬ଟି ବର୍ଗରେ ବିଭକ୍ତ କରାଯାଇଛି । ଶୂନରୁ ୫୦ ସବୁଜ ବର୍ଗ, ୫୧ରୁ ୧୦୦ ହଳଦିଆ, ୧୦୧ରୁ ୧୫୦ ନାରଙ୍ଗୀ । ଏଭଳି ଅବସ୍ଥାରେ ଛୋଟ ପିଲାଙ୍କ ଶ୍ବାସକ୍ରିୟାରେ କଷ୍ଟ ହୋଇଥାଏ । ୧୫୧ରୁ ୨୦୦ ଲାଲ୍ । ଯାହାକି ସମସ୍ତଙ୍କ ପାଇଁ ଅସ୍ବାସ୍ଥ୍ୟକର । ୨୦୧ରୁ ୩୦୦ ବାଇଗଣି ରଙ୍ଗ ଯୋଗୁ ଅତ୍ଯନ୍ତ ଅସ୍ବାସ୍ଥ୍ୟକର । ୩୦୧ରୁ ଅଧିକ ହେଲେ ବାଦାମୀ ରଙ୍ଗ ବର୍ଗରେ ଗଣାଯାଏ । ବାଦାମୀ ବର୍ଗ ଅଞ୍ଚଳରେ ଥିବା ବାୟୁ ଜୀବନ ପାଇଁ ବିଷ ।

ଜଳବାୟୁ ପରିବର୍ତ୍ତନ ଏବେ ବଡ଼ ଚାଲେଞ୍ଜ । ବାୟୁ ପ୍ରଦୂଷଣ ଓ ସବୁଜଗୃହ ବାଷ୍ପ ବଢୁଥିବାରୁ ଓଡ଼ିଶା ଫି’ ବର୍ଷ ବାତ୍ୟା ଦେଖୁଛି । ତଥାପି ଏନ୍ଫୋର୍ସମେଣ୍ଟ୍ ଏଜେନ୍ସିମାନେ ନିହାଲ ହୋଇ ବସିଛନ୍ତି । ସହରାଞ୍ଚଳରେ ବେପରୁଆ ଭାବେ କୋଠାବାଡ଼ି ନିର୍ମାଣ ଓ ଭଙ୍ଗାଭଙ୍ଗି ଯୋଗୁଁ ପ୍ରଦୂଷଣ ବଢୁଛି । ସହରାଞ୍ଚଳରେ ଥିବା ବୃକ୍ଷ ଓ ଲତାଦିର ପତ୍ରରେ ଧୂଳିର ମୋଟ ଆସ୍ତରଣ ପଡୁଛି । ତାକୁ ପାଣି ପକାଇ ସଫା କରାଯାଉନି । ଶବ୍ଦ ପ୍ରଦୂଷଣ ସୃଷ୍ଟି କରୁଥିବା ଗାଡ଼ିଗୁଡ଼ିକ ଉପରେ ଯେପରି ଅଙ୍କୁଶ ଲାଗିବା କଥା ସେପରି ହେଉନାହିଁ । କେବଳ ପର୍ବପର୍ବାଣୀ କିମ୍ବା ସ୍ବତନ୍ତ୍ର ଦିବସରେ ପ୍ରଚାର ପାଇଁ କର୍ତ୍ତୃପକ୍ଷ କିଛିଟା କରିଦେଇ ଚୁପ ବସିପଡ଼ୁଛନ୍ତି । ବର୍ଷତମାମ ରାସ୍ତାଘାଟ ଖୋଳା ଚାଲିଛି । ଭୁବନେଶ୍ବରର ସବୁ ଗଳି କନ୍ଦି ରାସ୍ତାକୁ ଫେବର୍ ବ୍ଲକ୍ ପକାଇ ଚଟାଣ କରିଦିଆଯାଉଛି । ଏହାଯୋଗୁ ଭୂତଳ ଜଳ ରିଚାର୍ଜ ହୋଇପାରିବନି । କୁହାଯାଉଛି ସବୁଜ ବାଣ ପ୍ରଦୂଷଣ ସୃଷ୍ଟି କରେନି । କିନ୍ତୁ ସେଥିରେ ଶବ୍ଦ ପ୍ରଦୂଷଣର ମାତ୍ରା ରହିଛି । ପରମ୍ପରା ନାଁରେ କେବଳ ପରିବେଶକୁ ଧ୍ବଂସ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି ପରିବେଶବିତ୍ ।

ଏକ ଅନୁଧ୍ୟାନରୁ ଜଣାପଡ଼ିଛି ବାୟୁ ପ୍ରଦୂଷଣରେ ବିଶ୍ବରେ ପ୍ରତିବର୍ଷ ୮୧ ଲକ୍ଷ ଲୋକଙ୍କ ପ୍ରାଣହାନୀ ଘଟୁଛି । ସେଥିରୁ ଭାରତରେ ପ୍ରାଣ ହରାଉଛନ୍ତି ୨୧ ଲକ୍ଷ ଲୋକ । ଆଗୁଆ ପଦକ୍ଷେପ ନ ନେଲେ ଓଡ଼ିଶା ଯେ ଦିନେ ଦିଲ୍ଲୀ ସ୍ଥିତିକୁ ଆସିଯିବ ସେଥିରେ ସନ୍ଦେହ ନାହିଁ।

 

 

 

 

 

ନଜର ପକାନ୍ତୁ