ନବରଙ୍ଗପୁରରେ ଚତୁର୍ଥ ପର୍ଯ୍ୟାୟରେ ଆରମ୍ଭ ହେଲା ବାୟୁ ସ୍ୱାସ୍ଥ୍ୟ ସେବା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯୋଡ଼ି ହେଲା ଆଉ ଏକ ଫର୍ଦ୍ଦ । ଚତୁର୍ଥ ପର୍ଯ୍ୟାୟରେ ଜିଲ୍ଲାରେ ଆରମ୍ଭ ହେଲା ବାୟୁ ସ୍ୱାସ୍ଥ୍ୟ ସେବା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ପର୍ଯ୍ୟାୟ ପଞ୍ଜିକୃତ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଭୁବନେଶ୍ଵରରୁ ଅଭିଜ୍ଞ ଡାକ୍ତରମାନେ ଜୟପୁର ଏୟାରପୋର୍ଟରୁ ନବରଙ୍ଗପୁର ଆସି ପ୍ରାଥମିକ ଚିକିତ୍ସା ଯୋଗାଇ ଦେଉଛନ୍ତି । ଟିମରେ ଅଛନ୍ତି ୟୁରୋଲୋଜିଷ୍ଟ ଡାକ୍ତର ବିଶ୍ବଜିତ ସାହୁ, ଜେନେରାଲ ସର୍ଜରୀ ଡାକ୍ତର ଜ୍ୟୋତିର୍ମୟ ଦାସ, ହେପାଟୋଲୋଜିଷ୍ଟ ଡାକ୍ତର ଜ୍ଞାନ ରଞ୍ଜନ ପରିଡ଼ା, ନେଫ୍ରୋଲୋଜିଷ୍ଟ ଚିନ୍ମୟ ନନ୍ଦ ଦାସ  ଓ ରେଡଓଲୋଜିଷ୍ଟ ଡାକ୍ତର ଦିନେଶ କୁମାର ସାମଲ ଭଳି ବିଶେଷଜ୍ଞ ଡାକ୍ତର । ଆଜିଠାରୁ ୧୭ ତାରିଖ ପର୍ଯ୍ୟନ୍ତ ରୋଗୀଙ୍କ ଚିକିତ୍ସା କରିବେ ଏହି ବିଶେଷଜ୍ଞ ଡାକ୍ତର ।

ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରୁ ନବରଙ୍ଗପୁର ଭଳି ଆଦିବାସୀ ଅଞ୍ଚଳରେ ହାତ ପାଆନ୍ତାରେ ଉନ୍ନତ ଚିକିତ୍ସା ପାଉଛନ୍ତି ଲୋକେ । ଏଥିପାଇଁ ନବରଙ୍ଗପୁର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ ୧୦ଟି ବ୍ଲକ ଓ ଦୁଇଟି ମ୍ୟୁନିସିପାଲିଟିର ୧୨୨ ଜଣ ରୋଗୀ ପଞ୍ଜିକରଣ କରିଛନ୍ତି । ଜିଲ୍ଲାରେ ୩ ଥର ସଫଳତାର ସହ ବାୟୁ ସ୍ବାସ୍ଥ୍ୟ ସେବା ଶେଷ ହେବା ପରେ ପୁଣି ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ ।