ସୁପ୍ରିମକୋର୍ଟଙ୍କ ଉପରେ ଟିପ୍ପଣୀ ପ୍ରସଙ୍ଗ: ବିଜେପି ନେତାଙ୍କୁ ଟ୍ୟୁବଲାଇଟ୍ କହିଲେ ଓଓ୍ବେସୀ

ନନ୍ଦିଘୋଷ ବ୍ୟୁରୋ: ସୁପ୍ରିମକୋର୍ଟଙ୍କୁ ନେଇ ବିଜେପି ସାଂସଦଙ୍କ ଟିପ୍ପଣୀ ବିବାଦ ତେଜିବାରେ ଲାଗିଛି । ଏହି ପ୍ରସଙ୍ଗରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ ଟାର୍ଗେଟ କରିଛନ୍ତି ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ ଓଓ୍ବେସୀ । ସେ କହିଛନ୍ତି, ‘ତୁମେ ମାନେ (ବିଜେପି) ଟ୍ୟୁବଲାଇଟ୍’ । ଏଥିପାଇଁ ଏମିତି କୋର୍ଟଙ୍କୁ ଧମକାଉଛ । ସମ୍ବିଧାନର ଅନୁଚ୍ଛେଦ ୧୪୨ରେ କ’ଣ ଅଛି ଜାଣିଛ ନା ନାହିଁ ? ଏହାକୁ ଡ. ବିଆର ଆମ୍ବେଡକର ବନାଇଛନ୍ତି । ସେ ତୁମମାନଙ୍କଠାରୁ ଅଧିକ ଦୁରଦର୍ଶୀ ଥିଲେ । ବିଜେପି ଠକେଇ କରୁଛି ଓ ଧାର୍ମିକ ଯୁଦ୍ଧର ଧମକ ଦେଉଛି ।

ସେ ଆହୁରି କହିଛନ୍ତି, ‘ଆପଣ ଶାସନ ଗାଦିରେ ବସିଛ, ହେଲେ ଏତେ କଟ୍ଟରପନ୍ଥି ହୋଇଗଲଣି ଯେ, କୋର୍ଟଙ୍କୁ ବି ଧର୍ମ ଯୁଦ୍ଧର ଧମକ ଦେଉଛ । ମୋଦି ଜୀ ଏମାନଙ୍କୁ ଆପଣ ନ ଅଟକାଇଲେ ଦେଶ ଦୁର୍ବଳ ହୋଇଯିବ । ଦେଶ ଆପଣଙ୍କୁ କ୍ଷମା କରିବନି, ହୋଇପାରେ କାଲି ଆପଣ କ୍ଷମତାରେ ବି ରହି ନପାରନ୍ତି । ଦେଶରେ ହିନ୍ଦୁ ବି ଜାଣି ସାରିଛନ୍ତି ଓ୍ବାକଫ ଆଇନ ହେଲେ ସେମାନଙ୍କୁ ଚାକିରି ମିଳିବ କି ନାହିଁ । ଭୋଟ ଆାହତେଇବା ପାଇଁ ମୁସଲିମଙ୍କ ପ୍ରତି ବିରୋଧ ସୃଷ୍ଟି କରୁଛ ବୋଲି ହିନ୍ଦୁ ଜାଣି ସାରିଲେଣି । ଦେଶରେ ସାଢ଼େ ୪ କୋଟି ଯୁବବର୍ଗଙ୍କ ପାଖରେ ରୋଜଗାର ନାହିଁ । ଏମାନଙ୍କୁ ରୋଜଗାର ଦେବାକୁ ଆପଣଙ୍କ ପାଖରେ କୌଣସି ପ୍ଲାନ ନାହିଁ ।’

ସୂଚନାଯୋଗ୍ୟ, ଝାରଖଣ୍ଡ ଗୋଡ୍ଡାର ବିଜେପି ସାଂସଦ ନିଶିକାନ୍ତ ଦୁବେ ସୁପ୍ରିମକୋର୍ଟଙ୍କୁ ନେଇ ବୟାନ ଦେଇଛନ୍ତି । ଦୁବେ କହିଛନ୍ତି, ଦେଶରେ ଯେତେ ଗୃହଯୁଦ୍ଧ ହେଉଛି, ଏଥିପାଇଁ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଦାୟୀ । ସୁପ୍ରିକକୋର୍ଟ ଦେଶରେ ଧାର୍ମିକ ଯୁଦ୍ଧକୁ ଉସକାଉଛନ୍ତି । କୋର୍ଟ ନିଜ ସୀମାରୁ ଆଗକୁ ଯାଉଛି । ସଂସଦରେ ପାରିତ ଆଇନକୁ କୋର୍ଟ ରଦ୍ଦ କରି ଦେଉଛନ୍ତି । ଯେଉଁ ରାଷ୍ଟ୍ରପତି ସୁପ୍ରିମକୋର୍ଟ କୋର୍ଟ ବିଚାରପତିଙ୍କୁ ନିଯୁକ୍ତି ଦେଉଛନ୍ତି, ସେହି କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । ସମ୍ବିଧାନର ଅନୁଚ୍ଛେଦ ୩୬୮ ଅନୁସାରେ ଆଇନ ବନାଇବା ସଂସଦର କାମ । କୋର୍ଟ ଏହାକୁ କେବଳ ବାଖ୍ୟା କରିବ । ଯଦି ସବୁ କାମକୁ ନେଇ ସୁପ୍ରିମକୋର୍ଟ ଯିବେ ତେବେ କ’ଣ ସାଂସଦ ବନ୍ଦ କରିଦିଆଯିବା ଦରକାର । ସବୁକିଛି ପାଇଁ ଆଇନ ରହିଛି । ତେବେ ସୁପ୍ରିମକୋର୍ଟ କେଉଁଠୁ ଓ କେମିତି ନୂଆ ଆଇନ ବନାଉଛନ୍ତି ।

ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କୁ ନେଇ ଏପରି ଟିପ୍ପଣୀରୁ ବିଜେପି ନିଜକୁ ଅଲଗା କରି ନେଇଛି । ନିଜେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରି ନଡ୍ଡା ଉଲ୍ଲେଖ କରିଛନ୍ତି, ‘’ବିଜେପି ସାଂସଦ ନିଶିକାନ୍ତ ଦୁବେ ଏବଂ ଦିନେଶ ଶର୍ମ ନ୍ୟାୟପାଳିକା ଓ ଦେଶର ପ୍ରଧାନ ବିଚାରପତିଙ୍କୁ ନେଇ ଦେଇଥିବା ବୟାନରେ ବିଜେପିର କୌଣସି ନେଣଦେଣ ନାହିଁ । ଏହା ସେମାନଙ୍କ ବ୍ୟକ୍ତିଗତ ମତ । ଦଳ ନା ଏହାକୁ ଗ୍ରହଣ କରୁଛି ନା ଆଗକୁ ଗ୍ରହଣ କରିବ । ବିଜେପି ସବୁବେଳେ ନ୍ୟାୟପାଳିକାକୁ ସମ୍ମାନ ଦେଇ ଆସିଛି । କୋର୍ଟଙ୍କ ଆଦେଶ ଓ ପରାମର୍ଶକୁ ସବୁବେଳେ ଗ୍ରହଣ କରିଛି । କାରଣ ସୁପ୍ରିମକୋର୍ଟଙ୍କ ସମେତ ଦେଶର ସମସ୍ତ ଅଦାଲତ ଆମ ଲୋକତନ୍ତ୍ରର ଏକ ଅଭିନ୍ନ ଅଙ୍ଗ ବୋଲି ବିଜେପି ବିଶ୍ବାସ କରେ । ନ୍ୟାୟପାଳିକା ସମ୍ବିଧାନର ଆଧାର ସ୍ତମ୍ଭ । ମୁଁ ଏ ଦୁଇ ଜଣଙ୍କ ସମେତ ଅନ୍ୟମାନଙ୍କୁ ଏମିତି ବୟାନବାଜିରୁ କ୍ଷାନ୍ତ ରହିବାକୁ ନିର୍ଦ୍ଦେଶ ଦେଉଛି ।