ଟିଭି ମେକାନିକର ପରିଚୟ ଦେଇ ଡାକ୍ତରାଣୀଙ୍କୁ ହତ୍ୟା କଲା ଯୁବକ

ଆଗ୍ରା: ଉତ୍ତର ପ୍ରଦେଶର ଆଗ୍ରାରେ ଜଘନ୍ୟ ହତ୍ୟାକାଣ୍ଡ । ଜଣେ ୩୮ବର୍ଷୀୟ ମହିଳା ଡାକ୍ତରଙ୍କ ତଣ୍ଟିକାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଶୁକ୍ରବାର ଅପରାହ୍ନରେ ଜଣେ ବ୍ୟକ୍ତି ନିଜକୁ କେବୁଲ୍ ଟିଭି ମେକାନିକ୍ କହି ଡକ୍ଟର ନିଶା ସିଂଘଲଙ୍କ ଘରକୁ ଯାଇଥିଲା । ସେଠାରେ ନିଶାଙ୍କୁ ଧାରୁଆ ଛୁରିରେ ପେଟ ଓ ବେକକୁ ଆକ୍ରମଣ କରିଥିଲା ।

ଆକ୍ରମଣ ପରେ ଘରେ ପାଖାପାଖି ଘଣ୍ଟାଏ କାଳ ରହି ଲୁଟ୍‌ କରିଥିଲା ଦୁର୍ବୃତ୍ତ । ଡାକ୍ତର ନିଶାଙ୍କର ୨ ପିଲାଙ୍କୁ ମଧ୍ୟ ଆକ୍ରମଣ କରିଥିଲା ଦୁର୍ବୃତ୍ତ । ନିଶାଙ୍କ ବଡ଼ଝିଅର ବୟସ ୮ ବର୍ଷ ହୋଇଥିବା ବେଳେ ସାନପୁଅର ବୟସ ୪ ବର୍ଷ । ସେମାନେ କୌଣସି ପ୍ରକାରେ ଅନ୍ୟଘରକୁ ଖସି ପଳାଇଥିଲେ । ସେଠାରୁ ବାହାରକୁ ଆସି ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ । ନିଶାଙ୍କ ସ୍ୱାମୀ ଡାକ୍ତର ଅଜୟ ସିଂହଲ ହସ୍ପିଟାଲରେ ଥିବା ବେଳେ ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇଥିବା ସୂଚନା ଦେଇଛି ପୋଲିସ ।

ତେବେ ୩୮ ବର୍ଷୀୟା ନିଶା ଆଗ୍ରାରେ ଦାନ୍ତ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ । ୟୁପି ପୋଲିସ ତଦନ୍ତ ଆରମ୍ଭ କରିବା ସହ ସିସିଟିଭି ଫୁଟେଜ୍ ଜବତ କରିଛି । ଏ ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଯୋଗୀ ସରକାରଙ୍କୁ ସମାଲୋଚନା କରିଛନ୍ତି । ଆଗ୍ରାର ବ୍ୟସ୍ତବହୁଳ ସହରରେ ଦିନ ଦ୍ୱିପହରରେ ଡାକ୍ତରଙ୍କୁ ହତ୍ୟା ଘଟଣା ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ପଦାରେ ପକାଇଥିଲା ସେ ଟ୍ୱିଟ୍ କରି କହିଛନ୍ତି ।

ୟୁପି ପୋଲିସ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରି  ତଦନ୍ତ ଆରମ୍ଭ କରିଛି । ଆଜି ସକାଳେ ସହର ବାହାରେ ଏକ ଏନ୍‌କାଉଣ୍ଟରରେ ମୁଖ୍ୟ ଅଭିଯୁକ୍ତ ଶୁଭମଙ୍କୁ ଧରିଛି ପୋଲିସ । ତା’ ଗୋଡ଼ରେ ଗୁଳି ବାଜିଥିବା ବେଳେ ତା’ ନିକଟରୁ ଗୋଟିଏ ବ୍ୟାଗରେ ଟଙ୍କା ଓ ସୁନା ଜବତ କରିଛି ।

 

Leave a Reply