ପୁଣି ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରି..!

ପୁରୀ: ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ନିଆଯାଉନି ପଦକ୍ଷେପ । ଅନଲାଇନରେ ମହାପ୍ରସାଦ ବିକ୍ରି କରୁଛନ୍ତି ଗୋଟିଏ ପରେ ଗୋଟିଏ ସଂସ୍ଥା । କିଏ ନିର୍ମାଲ୍ୟ ବିକୁଛି ତ ଆଉ କିଏ ବିକ୍ରି କରୁଛି ମହାପ୍ରଭୁଙ୍କ ଦୁର୍ମୁଲ୍ୟ ମହାପ୍ରସାଦ । ଆଜି ପୁଣି ଏମିତି ଏକ ଘଟଣା ସାମ୍ନାକୁ ଆସିଛି ।

ପିନ୍‌ରେଷ୍ଟ ନାମକ ଏକ ଅନଲାଇନ୍‌ ସଂସ୍ଥା ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରୁଥିବା ଜଣାପଡିଛି । ଏହାକୁ ନେଇ ସେବାୟତ ମହଲରେ ନିନ୍ଦା କରାଯାଇଥିବା ବେଳେ ସମ୍ପୃକ୍ତ ସଂସ୍ଥା ବିରୁଦ୍ଧରେ ଏତଲା ଦେବା ପାଇଁ ଯୋଜନା କରାଯାଉଥିବା ଜଣାପଡିଛି । ଏନେଇ ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ଏତଲା ଦେବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୂର୍ବରୁ ମଧ୍ୟ ଏଭଳି ଅନେକ ଉଦାହରଣ ଦେଖିବାକୁ ମିଳିଛି ।

ତେବେ ନିକଟ ଅତୀତରେ ଆମାଜନ୍‌ ଇକମର୍ସ ସଂସ୍ଥା ନିର୍ମାଲ୍ୟ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆମାଜନ୍‌ ନାଁରେ ଏତଲା ଦାଏର କରାଯାଇଥିଲା । ଏଭଳି ସମସ୍ତ ବିଷୟ ଉପରେ ଧ୍ୟାନ ଦେବାକୁ ଶ୍ରୀମନ୍ଦିରର ସ୍ୱତନ୍ତ୍ର ଆଇଟି ସେଲ ଥିବା ସତ୍ୱେ, ଏଭଳି ଘଟଣାକୁ କିଭଳି ନଜର ଅନ୍ଦାଜ କରାଯାଉଛି ବୋଲି ସେବାୟତ ମହଲରେ ଓ ସାଧାରଣରେ ପ୍ରଶ୍ନ ଉଠିଛି ।

Leave a Reply