ରଥଯାତ୍ରା ପରେ ମୋହନ ସରକାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ପଦ୍ମ ଶିବିର ଉଷ୍ମ

ନନ୍ଦିଘୋଷ ବ୍ୟୁରୋ: ରଥଯାତ୍ରା ପରେ ମୋହନ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ । ଖାଲି ପଡିଥିବା ୬ଟି ମନ୍ତ୍ରିପଦ ପୂରଣ ହେବା ସହ ବିବାଦୀୟ ମନ୍ତ୍ରୀଙ୍କ ବିଭାଗ ଅଦଳବଦଳ କରିବେ ମୁଖ୍ୟମନ୍ତ୍ରୀ । ତାକୁ ନେଇ ଶାସକ ଦଳରେ ଆରମ୍ଭ ହୋଇଛି ଚର୍ଚ୍ଚା । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ମୋହନଙ୍କ ଟିମରେ କିଏ ସାମିଲ ହେବେ ଓ କିଏ ବାଦ ପଡିବେ ତାହାକୁ ନେଇ ପାଓ୍ବାର କରିଡରରେ କସରତ ଆରମ୍ଭ ହୋଇଛି । ବିଜେପି ମନ୍ତ୍ରୀ ଓ ବିଧାୟକ କହିଛନ୍ତି, ମୁଖ୍ୟମନ୍ତ୍ରୀ ସବୁ ଦୃଷ୍ଟିକୁ ବିଚାର କରି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବେ । ଯାହାକୁ ନେଇ ବିଜେପି ଅନ୍ଦର ମହଲରେ ଉଷ୍ମତା ବଢି ବାରେ ଲାଗିଛି ।

ବର୍ଷେ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମନ୍ତ୍ରିମଣ୍ଡଳରେ ସମ୍ପ୍ରସାରଣ କରିବେ । ମୋହନଙ୍କ ମନ୍ତ୍ରିମଣ୍ଡଳରେ ୧୫ ଜଣ ମନ୍ତ୍ରୀ ସ୍ଥାନ ପାଇଛନ୍ତି । ଅଧାଗଢା ମନ୍ତ୍ରିମଣ୍ଡଳକୁ ନେଇ ବିଜେପି ସରକାର ବର୍ଷେ ହେବ ଚାପରେ ଅଛି । ତାହାରି ଭିତରେ କିଛି ମନ୍ତ୍ରୀଙ୍କ କାର୍ଯ୍ୟକାଳପ ପାଇଁ ବଦନାମ ହୋଇଛି ବିଜେପି ସରକାର । ନିଜ ବିଭାଗର ଦାୟିତ୍ବ ସଠିକ ଭାବେ ତୁଳାଇ ପାରୁ ନଥିବାରୁ ଅଯଥା ସରକାରଙ୍କ ବିରୋଧରେ ବିବାଦ ମୁଣ୍ଡ ଟେକୁଛି । ବିରୋଧୀ ଏସବୁକୁ ମୁଖ୍ୟ ପ୍ରସଙ୍ଗ କରି ସରକାରଙ୍କୁ ଟାର୍ଗେଟ କରିବା ସହ ସିଧା ମୁଖ୍ୟମନ୍ତ୍ରୀଙ୍କୁ ନିଶାଣ କରୁଛନ୍ତି । ଯାହାକୁ ନେଇ ତୃତୀୟ ମହଲା ଚିନ୍ତାରେ ପଡିଯାଇଛି । ଚଳିତ ରଥଯାତ୍ରାରେ ମହାବିଭ୍ରାଟକୁ ନେଇ ହୁଲସ୍ତୁଲ ହେଉଛି ରାଜ୍ୟ । ରଥଯାତ୍ରା ଦାୟିତ୍ବରେ ଥିବା ମନ୍ତ୍ରୀମାନେ ନିଜର ଦାୟିତ୍ବ ଠିକ ସେ ତୁଲାଇ ନଥିବାରୁ ଏପରି ଅଘଟଣ ଘଟିଛି ବୋଲି ଅଭିଯୋଗ ହୋଇଛି । ତେଣୁ ରଥ ପରେ ମୋହନଙ୍କ ଅଧାଗଢା ମନ୍ତ୍ରିମଣ୍ଡଳକୁ ପୂରା କରିବା ସହ ବିବାଦୀୟ ମନ୍ତ୍ରିଙ୍କୁ ବିଭାଗ ପରିବର୍ତ୍ତନ କରାଯିବ । ବିଜେପି ବିଧାୟକ ଓ ମନ୍ତ୍ରୀମାନେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମାପିଚୁପି ବୟାନ ରଖିଛନ୍ତି ।

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚାକୁ ନେଇ ଶାସକ ଦଳରେ ଗୁଞ୍ଜରଣ ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ନିଜ ଟିମରେ କାହାକୁ ରଖିବେ ଓ କାହାକୁ ବାଦ ଦେବେ ତାକୁ ନେଇ ବିଜେପି ଅନ୍ଦର ମହଲର ଚର୍ଚ୍ଚା ଜୋର ଧରିଛି । ଡାଇରିଆ, ରଥଯାତ୍ରା ବିଭ୍ରାଟ, ଆଳୁ ସଙ୍କଟ, ନାରୀ ନିର୍ଯାତନା ପ୍ରସଙ୍ଗରେ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ବିରୋଧୀ । ବହୁମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ଥିବାରୁ ସେମାନଙ୍କଠାରୁ କିଛି ବିଭାଗ କଢା ଯିବ । ୧୭ଟି ଜିଲ୍ଲା ମନ୍ତ୍ରୀ ଶୂନ୍ୟ ଥିବାରୁ ଏହି ଜିଲ୍ଲାରୁ ଦକ୍ଷ ବିଧାୟକଙ୍କୁ ମୋହନ ନିଜ ଟିମରେ ସାମିଲ କରିବା ନେଇ ଚର୍ଚ୍ଚା ହେଉଛି । ଚର୍ଚ୍ଚାରେ ଥିବା ବହୁ ଯୁବ ବିଧାୟକଙ୍କୁ ସମ୍ପ୍ରସାରଣରେ ସୁଯୋଗ ମିଳିପାରେ ।

ବ୍ୟବସ୍ଥା ଅନୁସାରେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ବାଦ ଦେଇ ୨୧ ଜଣ ମନ୍ତ୍ରୀ ରହିପାରିବେ । ମୋହନଙ୍କ ମନ୍ତ୍ରୀ ମଣ୍ଡଳରେ ୧୫ ଜଣ ମନ୍ତ୍ରୀ ସ୍ଥାନ ପାଇଛନ୍ତି । ରଥ ପରେ ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଚର୍ଚ୍ଚା ଏବେ ଜୋରଦାର ହୋଇଛି । ଯାହାକୁ ନେଇ ଆଶାୟୀମାନେ ଲବି ମଧ୍ୟ ଆରମ୍ଭ କରି ଦେଇଛନ୍ତି ।