ପାଞ୍ଚ ବର୍ଷ ପରେ ଝିଅ ଘରେ ପହଞ୍ଚିଲା ବାଲିତୃତୀୟା ଭାର

କୋଣାର୍କ : ପାଞ୍ଚ ବର୍ଷ ପରେ ଝିଅ ଘରେ ପହଞ୍ଚିଲା ବାଲିତୃତୀୟା ଭାର । କାରଣ ପୁରୀ ଚନ୍ଦନପୁର ପୋଷ୍ଟ ଅଫିସରରୁ ଅସ୍ତରଙ୍ଗ ଯିବାକୁ ଲାଗିଗଲା ୫ବର୍ଷ ସମୟ  । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ  । ୨୦୧୮ ମସିହା ଅଗଷ୍ଟ ୨୪ତାରିଖରେ ପୁରୀ ଜିଲ୍ଲା ବିରନରସିଂହପୁରର ପ୍ରକାଶ ରଥ ଝିଅ ଘରକୁ ବାଲିତୃତୀୟ ଭାର ବାଦଦକୁ ହଜାରେ ଟଙ୍କା ପଠାଇଥିଲେ  । ଚନ୍ଦନପୁର ପୋଷ୍ଟ ଅଫିସରୁ ମନିଅର୍ଡର ମାଧ୍ୟମରେ ଏକ ହଜାର ଟଙ୍କା ପୁରୀ ଜିଲ୍ଲା ଅସ୍ତରଙ୍ଗପୁର ବ୍ଲକ ଆଦିକନ୍ଦପୁର ଶାସନ ଠିକଣାରେ ପଠାଇଥିଲେ  । ହେଲେ ବାଲିତୃତୀୟ ଚାଲିଯିବା ପରେ ବି ଝିଅଘରେ ଟଙ୍କା ପହଞ୍ଚିନଥିଲା  । ଡାକ ଘରେ ଯୋଗାଯୋଗ କରିବା ପରେ ବି ଟଙ୍କା ଆସିନଥିବା ଡାକ ବିଭାଗର ଅଧିକାରୀ କହିଥିଲେ  । ପରେ ଘଟଣାକୁ ବିତିଯାଇଥିଲା ୫ ବର୍ଷ  ।

ମନିଅର୍ଡର କଥା ସମସ୍ତେ ଭୁଲିଯାଇଥିବାବେଳେ ଗତ ୪ତାରିଖରେ ଜ୍ବାଇଁ ସୁଧୀରଙ୍କ ନାଁରେ ମନିଅର୍ଡରଟି ଆସି ପହଞ୍ଚିଥିଲା  । ୫ବର୍ଷ ତଳେ ଶ୍ବଶୁର ପଠାଇଥିବା ମନିଅର୍ଡର ଏବେ ଆସି ପହଞ୍ଚିବା ଘଟଣା ସମସ୍ତଙ୍କୁ ଚକିତ କରୁଛି  । ଏହାଛଡ଼ା ଡାକ ବିଭାଗର ଏଭଳି ଅବହେଳା ବାବଦରେ ପ୍ରଶ୍ନ ଉଠୁଛି  । ଗୋଟିଏ ଜିଲ୍ଲା ଭିତରେ ମନିଅର୍ଡର ପହଞ୍ଚିବାକୁ ୫ ବର୍ଷ ଲାଗିଗଲା  । ଏଥିପାଇଁ ଡାକ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି ଜ୍ବାଇଁ ସୁଧୀର  । ଡାକ ବିଭାଗର କମ୍ପ୍ୟୁଟର ଯନ୍ତ୍ରୀଙ୍କର ତ୍ରୁଟି କାରଣରୁ ଏଭଳି ବିଳମ୍ବ ଘଟିଥିବା କୁହାଯାଉଛି  ।