୩୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସ୍ବାସ୍ଥ୍ୟକେନ୍ଦ୍ରରେ ଝୁଲୁଛି ତାଲା

ବୌଦ୍ଧ:  କାମରେ ଆସୁନି ନୂତନ ସ୍ବାସ୍ଥ୍ଯକେନ୍ଦ୍ର । ବୌଦ୍ଧରେ ୩୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ସ୍ବାସ୍ଥ୍ଯକେନ୍ଦ୍ରରେ ଝୁଲୁଛି ତାଲା । ସ୍ବାସ୍ଥ୍ଯକେନ୍ଦ୍ର କାର୍ଯ୍ୟକ୍ଷମ ହେଉ ନଥିବାରୁ ଲୋକେ ହେଉଛନ୍ତି ହନ୍ତସନ୍ତ । ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି ହଜାର ହଜାର ଲୋକ । ଅନ୍ୟପଟେ ଶୀଘ୍ର ନୂତନ ଗୃହରେ ସ୍ୱସ୍ଥ୍ୟକେନ୍ଦ୍ର ନଖୋଲିଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ପଞ୍ଚାୟତବାସୀ । ସେପଟେ ଅସ୍ଥାୟୀ ଭାବେ ପଞ୍ଚାୟତ ଗୃହରେ ଚାଲିଛି ଚିକିତ୍ସା ।

୩୩ ଲକ୍ଷ ଟଙ୍କାରେ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ହୋଇଛି, ହେଲେ କାହାର କାମରେ ଆସୁନି । ଦୀର୍ଘ ଦିନ ହେବ ଗେଟରେ ପଡିଛି ତାଲା । ନୂତନ ଗୃହ ଥିଲେ ସୁଦ୍ଧା କାର୍ଯ୍ୟକ୍ଷମ ହେଉ ନାହିଁ ସ୍ୱାସ୍ଥ୍ୟକେନ୍ଦ୍ର । ବିଜୁଳି ଖୁଣ୍ଟରେ ତାର ଝୁଲୁଛି କିନ୍ତୁ ବିଦ୍ଯୁତ ଯୋଗାଣ ହୋଇନାହିଁ । ବୋରୱେଲ ଅଛି କିନ୍ତୁ ପାନୀୟ ଜଳ ଯୋଗାଣ ହେଉନାହିଁ । ଟିକେ ବର୍ଷା ହେଲେ କୋଠା ଆଗରେ ଜମୁଛି ପାଣି । ଏହି ସ୍ବାସ୍ଥ୍ଯକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି ବୌଦ୍ଧ ଟିକରପଡା ପଞ୍ଚାୟତର ୨୦ ଖଣ୍ଡ ଗାଁର ଲୋକେ । ନୂତନ କୋଠାରେ ତାଲା ଝୁଲୁଥିବା ବେଳେ ଅସ୍ଥାୟୀ ଭାବେ ପଞ୍ଚାୟତ ଗୃହରେ ଚାଲିଛି ଚିକିତ୍ସା ।

ଜିଲ୍ଲାରେ ମୋଟ ୩୭ଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ସେଥିମଧ୍ୟରୁ ବୌଦ୍ଧରେ ୧୧ଟିରୁ ମାତ୍ର ୩ଟିର କାମ ସାରିଥିବା ବେଳେ ଅନ୍ୟ କୌଣସି ଗୃହରେ କାମ ଆରମ୍ଭ ହୋଇପାରିନାହିଁ । ସେଇଭଳି ହରଭଙ୍ଗା ବ୍ଲକରେ ମୋଟ ୧୨ଟି କେନ୍ଦ୍ରରୁ ୪ଟିର କାମ ସରିଛି । କଣ୍ଟାମାଳ ବ୍ଲକରେ ୧୪ଟି ଆରୋଗ୍ୟ କେନ୍ଦ୍ର ପାଇଁ ପ୍ରସ୍ତାବ ରହିଛି । ସେଥିମଧ୍ୟରୁ ମାତ୍ର ୨ଟିର କାମ ସାରିଥିବା ବେଳେ ୩ଟିର କାର୍ଯ୍ୟ ଆରମ୍ଭ ହୋଇନାହିଁ । କିଛି ଲାଭଖୋର ଠିକାଦାର ଓ ଯନ୍ତ୍ରୀଙ୍କ ପାଇଁ ନିର୍ମାଣ କାର୍ଯ୍ୟ ସଠିକ ଭାବେ ଚାଲି ପାରି ନଥିବା ଅଭିଯୋଗ ହୋଇଛି ।