ବାତ୍ୟା ପରେ ବଢିଲା ଦୁଃଖ । ମୁଣ୍ଡରୁ ଉଡାଇ ନେଲା ଛପର, ଚାଷ ଜମିରେ ଲୋଟିଛି ଫସଲ
1 min readଭୁବନେଶ୍ବର : ବାତ୍ୟା ଦାନା ଦେଇଯାଇଛି ଅସୁମାରୀ ଦୁଃଖ । ମୁଣ୍ଡରୁ ଉଡାଇ ନେଇଛି ଛପର । ବର୍ଷକର ଦାନାରେ ଭରିଦେଇଛି ପାଣି । ବାଲେଶ୍ବରରୁ ଭଦ୍ରକ, କେନ୍ଦ୍ରାପଡାରୁ କେନ୍ଦୁଝର ସବୁଠି ବାତ୍ୟା ଜନିତ ବର୍ଷା ବିତ୍ପାତ । ମୟୂରଭଞ୍ଜରେ ବି ମାଡି ଯାଇଛି ବର୍ଷା ପାଣି । ବାଲେଶ୍ବର ରେମୁଣା ବ୍ଲକରେ ଶହ ଶହ ଏକର ଚାଷ ଜମିରେ ଲୋଟିଛି ସୁନାର ଫସଲ । ପରିବା କ୍ଷେତରେ ୬ ଫୁଟ ଉଚ୍ଚର ପାଣି । ବାତ୍ୟା ଓ ବନ୍ୟା ଯୋଗୁ ଜିଲ୍ଲାର ୩ ହଜାର ୧୪୦ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି । ଭୋଗରାଇ, ଜଳେଶ୍ବର ଓ ନୀଳଗିରି ବ୍ଲକରେ ବି ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ସେପଟେ କାଂଶବାଂଶ ନଦୀର ଜଲସ୍ତର ବଢ଼ି ଅନେକ ଗାଁକୁ ପାଣି ପଶୁଥିବା ଦେଖିବାକୁ ମିଳିଛି । ଗଣ୍ଡିବେଡ଼ ମାର୍କୋଣା ଆନନ୍ଦପୁର ନିକଟରେ ରାସ୍ତା ଉପରେ ଚାଲିଛି ପାଣି। ଯାତାୟତ ଏକ ପ୍ରକାର ଠପ ହୋଇ ଯାଇଛି । ଖଇରା ଏବଂ ଔପଦା ବ୍ଲକର ଅନେକ ଲୋକ ପ୍ରଭାବିତ ହୋଇଛନ୍ତି l ବାଉରିପଦାର ଲୋକେ ବାତ୍ୟା ଆଶ୍ରୟସ୍ଥଳୀରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ବାତ୍ୟା ଯୋଗୁ ଭଦ୍ରକ ଜିଲ୍ଲା ଆରଡ଼ି, ଧାମନଗର, ବାସୁଦେବପୁର ଓ ଚାନ୍ଦବାଲି ଆଦି ଅଞ୍ଚଳରେ ବଢ଼ିଛି ଲୋକଙ୍କ ଦୁର୍ଦ୍ଦଶା। ଭାଙ୍ଗିଯାଇଛି ଘର, ଉଜୁଡିଯାଇଛି ସୁନାର ଫସଲ । ବର୍ଷଯାକର ପେଟପାଟଣା ଚିନ୍ତାରେ ଏବେ ଚାଷୀ । ବାସୁଦେବପୁର ବ୍ଲକର ଦାନା ତାଣ୍ଡପ ରଚିଛି । କେଉଁଠି ଘରର ଚାଳ ଛପର ଉଡିଯାଇଛି ତ କେଉଁଠି ଆଜବେଷ୍ଟ ଘର ଭାଙ୍ଗିଯାଇଛି । ଘର ଭାଙ୍ଗି ଯିବା ପରେ ବେସାହାରା ହୋଇଛନ୍ତି ପରିବାର । ଅନ୍ୟର ସାହାଯ୍ୟ ଓ ସହଯୋଗ ଅପେକ୍ଷା କରିଛନ୍ତି ବିପନ୍ନ । ଯାଜପୁର ବିଞ୍ଝାରପୁରରେ ବି ସୀମା ଲଂଘିଛି ଚାଷୀଙ୍କ ଦୁର୍ଦ୍ଦଶା । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି ସମ୍ପୂର୍ଣ୍ଣ ଧାନ ଫସଲ। ହେଲେ ଏପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀ ଚାଷୀଙ୍କ ନିକଟରେ ପହଞ୍ଚିନଥିବା ଅଭିଯୋଗ ହୋଇଛି । ବଡ଼ଚଣା ବ୍ଲକରେ ବି ଏକର ଏକର ବିରି ଫସଲ ସହ ପନିପରିବା ଚାଷ ପ୍ରଭାବିତ ହୋଇଛି। କେନ୍ଦୁଝର ଜିଲ୍ଲାର ଭାତହାଣ୍ଡି କୁହାଯାଉଥିବା ହାଟଡ଼ିହି ବ୍ଲକରେ ଶହ ଶହ ହେକ୍ଟର ଜମିରେ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି । ବୁଢ଼ାବଳଙ୍ଗ ନଦୀର ଜଳସ୍ତରକୁ ଲକ୍ଷ କରି ବାରିପଦା ସହରର ତଳି ଅଂଚଳରେ ରହୁଥିବା ଲୋକମାନଙ୍କୁ ଆଶ୍ରୟସ୍ଥଳୀକୁ ଅଣାଯାଇଛି। ଜିଲ୍ଲା ପ୍ରଶାସନ ଏଵଂ ବାରିପଦା ପୌରପରିଷଦ ଅଧିକାରୀ ମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି ।