ଛତିଶଗଡ଼ ପରେ ଏବେ ଓଡ଼ିଶା ପଟେ ସମୀକ୍ଷା ଟ୍ରିବ୍ୟୁନାଲ ସଦସ୍ୟ

ସମ୍ବଲପୁର: ଛତିଶଗଡ଼ ପରେ ଏବେ ଓଡ଼ିଶା ପଟେ ସମୀକ୍ଷା । ମହାନଦୀ ସିଷ୍ଟମରେ ୧୯ ତାରିଖରୁ ୨୩ ତାରିଖ ଯାଏ ଟ୍ରିବ୍ୟୁନାଲ ସଦସ୍ୟ କ୍ଷେତ୍ର ପରିଦର୍ଶନ କରିବେ। ଦୀର୍ଘଦିନ ଧରି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ସଦସ୍ୟଙ୍କ ଓଡ଼ିଶା ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି ।

ମହାନଦୀ ଜଳ ବିବାଦର ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ ଏ.ଏମ ଖାନଓ୍ବିଲକରଙ୍କ ନେତୃତ୍ବରେ ୫୦ ଜଣିଆ ସଦସ୍ୟ ପର୍ଯ୍ୟାୟକ୍ରମେ ଅନ୍ୟ ସ୍ଥାନ ପରିଦର୍ଶନ କରିବେ  । ଗ୍ରୀଷ୍ମ ଋତୁରେ ମହାନଦୀରେ କେତେ ଜଳ ଉପଲବ୍ଧ ହେଉଛି, କେତେ ବର୍ଷାଜଳ ଗଚ୍ଛିତ ରହୁଛି, ମହାନଦୀରେ ଜଳ ପ୍ରବାହ କେତେ ରହୁଛି ଏସବୁ ରିପୋର୍ଟ ପ୍ରସ୍ତୁତ କରିବେ ଟ୍ରିବ୍ୟୁନାଲ ସଦସ୍ୟ । ଦୁଇଟି ପର୍ଯ୍ୟାୟରେ ଛତିଶଗଡରେ ମହାନଦୀ ଉପରମୁଣ୍ଡରେ କ୍ଷେତ୍ର ପରିଦର୍ଶନ କରିବା ପରେ ଓଡ଼ିଶା ଗସ୍ତରେ ଆସିଛନ୍ତି ଟ୍ରିବ୍ୟୁନାଲ ସଦସ୍ୟ । ଗସ୍ତକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ଦଳ ସଦସ୍ୟ ନରସିଂହ ମିଶ୍ର କହିଛନ୍ତି ଯେ କେନ୍ଦ୍ର ସରକାର ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏକାଠି ବସାଇ ଆଲୋଚନା ମାଧ୍ୟମରେ ସମାଧାନ ବାଟ ଫିଟାଇ ପାରିବେ । ହେଲେ କେନ୍ଦ୍ର ସରକାର ତାହା କରୁନଥିବାରୁ ଓଡ଼ିଶା ତାହାର ହକ ପାଉନାହିଁ । ଅନ୍ୟପଟେ ବିଜେପି କିନ୍ତୁ ଏ ପ୍ରସଙ୍ଗରେ ରାଜ୍ୟ ସ୍ବାର୍ଥକୁ ଭୁଲି ରାଜନୀତିର ଭାଷା କହିଛି ।

ଅନ୍ୟପଟେ ମହାନଦୀ ପ୍ରସଙ୍ଗରେ ଦୁଇ ଜାତୀୟ ଦଳ ରାଜ୍ୟ ସ୍ବାର୍ଥ ଭୁଲି ରାଜନୈତିକ ବୟାନବାଜି କରିବାକୁ ନାପସନ୍ଦ କରିଛି ଶାସକ ଦଳ । ଓଡ଼ିଶାର ହକ ପାଇଁ ଆଇନଗତ ଲଢେଇ କରୁଛି ବିଜେଡି । ଆଗାମୀ ଦିନରେ ଲଢେଇ ମଧ୍ୟ ଜାରି ରହିବ ବୋଲି ବିଜେଡି କହିଛି । ମହାନଦୀରେ ଓଡ଼ିଶା ତାହାର ହକ୍ ପାଇବା ପାଇଁ ଯିଏ ଯେଉଁ ପ୍ରସ୍ତାବ ଦେଉଛି ତାହା ଯଦି ରାଜ୍ୟ ହିତ ପାଇଁ ଉଦ୍ଦିଷ୍ଟ ସେଥିରେ ବିଜେଡିର ସମର୍ଥନ ରହିବ ବୋଲି ଦଳ କହିଛି ।