୫ ବର୍ଷ ହେଲା ସରୁନି ପୋଲ କାମ, ଚାଲିଛି ବିପଦପୂର୍ଣ୍ଣ ଯାତାୟାତ

1 min read

ତାଳଚେର: ଅନୁଗୁଳ-ଢେଙ୍କାନାଳକୁ ସଂଯୋଗ କରୁଛି ବ୍ରାହ୍ମଣୀ ନଦୀ ଉପରେ ଥିବା ଏକ ପୁରୁଣା ପୋଲ । ହେଲେ ଏହି ପୋଲ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ସେପଟେ ଆଉ ଏକ ପୋଲ ପାଇଁ ୨୦୧୯ ମସିହା ଫେବୃଆରୀ ମାସରୁ କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ୫ ବର୍ଷ ବିତିଯାଇଥିଲେ ମଧ୍ଯ କାମ ଶେଷ ହୋଇପାରିନି । ସୁରକ୍ଷା ବାଡ ଭାଙ୍ଗିଯାଇଥିବାରୁ ବିପଦପୂର୍ଣ୍ଣ ଭାବେ ପୋଲ ଉପରେ ଯାତାୟାତ କରୁଛନ୍ତି ଲୋକେ ।

ଅନୁଗୁଳ ଓ ଢେଙ୍କାନାଳକୁ ସଂଯୋଗ କରୁଥିବା ଜଟିଆ ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀ ଉପରେ ଥିବା ପୁରୁଣା ପୋଲ ଏବେ ଜରାଜୀର୍ଣ୍ଣ । ଅନୁଗୁଳର ଜୀବନ ରେଖା କୁହାଯାଉଥିବା ଏହି ପୋଲ ଦେଇ ଦୈନିକ ହଜାର ହଜାର ବସ୍, ଟ୍ରକ୍, କାର, ବାଇକ୍ ଯାତାୟାତ କରିଥାଏ । ୫୫ ନମ୍ବର ଜାତୀୟ ରାଜପଥ ଶୋଚନୀୟ ହୋଇପଡିଥିବାବେଳେ ଦୀର୍ଘ ବର୍ଷ ଧରି ମରାମତି କାମ ଚାଲିଛି । ଏଥିପାଇଁ ଅଧିକାଂଶ ସମୟରେ ଟ୍ରାଫିକ ସମସ୍ୟା ଉପୁଜୁଛି । ତାଳଚେର ଅଞ୍ଚଳରୁ ଲୋକମାନେ ଢେଙ୍କାନାଳ, କଟକ, ଭୁବନେଶ୍ୱର ଯିବା ପାଇଁ ମୁଖ୍ୟତଃ ବଲହର ଛକଠାରୁ କାମାକ୍ଷାନଗର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଦେଇ ଯିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ବଲହର ଛକଠାରୁ କାମାକ୍ଷାନଗର ପର୍ଯ୍ୟନ୍ତ ୪ ଥାକିଆ ରାସ୍ତା କାମ ପ୍ରାୟତଃ ଶେଷ ହୋଇ ଯାଇଛି । ଅନ୍ଯପଟେ ୫ ବର୍ଷ ବିତିଯାଇଥିବା ସତ୍ତ୍ୱେ ସରିପାରୁନି ଜଟିଆ ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀ ଉପରେ ନୂତନ ଭାବେ ନିର୍ମିତ ପୋଲ । ତେଣୁ ସମସ୍ତ ଗାଡି ଗୋଟିଏ ରାସ୍ତା ଦେଇ ଯାତାୟାତ କରିବା ଦ୍ଵାରା ପୋଲ ଉପରେ ଅଧିକାଂଶ ସମୟରେ ଟ୍ରାଫିକ ସମସ୍ୟା ଉପୁଜୁଛି । ଫଳରେ ଆମ୍ବୁଲାନ୍ସ ଭଳି ଜରୁରିକାଳୀନ ଗାଡି ମଧ୍ୟ ଘଣ୍ଟା ଘଣ୍ଟା ଧରି ଭିଡ଼ରେ ଫସି ରହୁଛି ।

୫୩ ନମ୍ବର ଜାତୀୟ ରାଜପଥ ତାଳଚେର-ଡୁବୁରୀକୁ ସଂଯୋଗ କରୁଥିବା ୯୫୦ ମିଟରର ଏହି ପୋଲଟି ୧୯୬୯ ମସିହାରେ ନିର୍ମାଣ କରାଯାଇଥିଲା । ଅନୁଗୁଳ, କେନ୍ଦୁଝର, ଯାଜପୁର ଜିଲ୍ଲାକୁ ଗମନାଗମନର ପ୍ରମୁଖ ଭୂମିକା ତୁଲାଇଥିଲେ ମଧ୍ୟ ପୋଲର ଅବସ୍ଥା ଏବେ ବିପଦପୂର୍ଣ୍ଣ । ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ୫୩ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ସହ ଆବଶ୍ୟକ ସ୍ଥାନରେ ପୋଲ ନିର୍ମାଣ ପାଇଁ ୧୫୫୯ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ୨୦୧୯ ମସିହା ଫେବୃଆରୀ ମାସରେ ଜଟିଆ ଗ୍ରାମ ନିକଟ ବ୍ରାହ୍ମଣୀ ନଦୀ ଉପରେ ଆଉ ଗୋଟିଏ ନୂତନ ପୋଲ ନିର୍ମାଣ ପାଇଁ ଶୁଭ ପଡ଼ିଥିଲା । ଏହି ପୋଲ ନିର୍ମାଣ କାର୍ଯ୍ଯ ଶେଷ ପାଇଁ ଫେବୃଆରୀ ମାସ ୨୦୨୩ ଧାର୍ଯ୍ଯ କରାଯାଇଥିଲା । କିନ୍ତୁ ୫ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ଯ କାର୍ଯ୍ଯ ଶେଷ ହେବାର ନାଁ ଧରୁନି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।