୨୦ ଘଣ୍ଟା ପରେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ନିୟନ୍ତ୍ରଣକୁ ଆସିଲା ନିଆଁ, ଜଳିଗଲା ୭ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି

1 min read

ପୁରୀ: ଭୟଙ୍କର ଅଗ୍ନିକାଣ୍ଡରେ ଜଳିପୋଡ଼ି ଛାରଖାର ହୋଇଯାଇଛି ପୁରୀ ମରୀଚିକୋଟରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ । ଦୀର୍ଘ ୨୦ ଘଣ୍ଟା ପରେ ଆୟତ୍ତ ହୋଇଛି ନିଆଁ । ସଂପୂର୍ଣ୍ଣ ନିୟନ୍ତ୍ରଣ ପାଇଁ ଚାଲିଛି ଉଦ୍ୟମ । ହେଲେ ପ୍ରବଳ ଧୂଆଁ ବାହାରୁ ଥିବାରୁ ଏହାକୁ ବନ୍ଦ କରିବାକୁ ଚାଲିଛି ପ୍ରୟାସ । ତଥାପି ହୋଟେଲର କିଛି ଅଂଶରେ ଏବେ ବି ନିଆଁ ଥିବା ସନ୍ଦେହ କରାଯାଉଛି । ନିଆଁକୁ ଆୟତ୍ତ କରିବାକୁ ନୟାନ୍ତ ହୋଇଛନ୍ତି ୧୫୦ରୁ ଅଧିକ ଅଗ୍ନିଶମ କର୍ମଚାରୀ । ଗ୍ରାଉଣ୍ଡ ଫ୍ଲୋରର ନିଆଁ ଲିଭାଯାଇଥିବା ବେଳେ ପ୍ରଥମ ଫ୍ଲୋରରେ ମଧ୍ୟ ସ୍ଥିତିରେ ଆସିଛି ସୁଧାର । ଅଗ୍ନିକାଣ୍ଡରେ ଜଳିପୋଡ଼ି ପାଉଁଶ ହୋଇଯାଇଛି ୭ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି । ଲୁଗା, ଚୁଡ଼ି, ଜୋତା, ବ୍ୟାଗ ଦୋକାନ ସମେତ ଅନେକ ଦୋକାନ ପୋଡ଼ି ଧ୍ବଂସ ହୋଇଯାଇଛି । ୟୁ-ସେପରେ ମାର୍କେଟ୍ କମ୍ପ୍ଲେକ୍ସ ଥିବାରୁ ଏହା ଭିତରେ ପ୍ରବେଶ କରିବାକୁ ହୋଇଥିଲା ଅସୁବିଧା । ଯେଉଁଥି ପାଇଁ କ୍ଷୟକ୍ଷତି ଅଧିକ ହୋଇଥିଲା । ନିଆଁର ଭୟଙ୍କର ଆଁରେ ତରଳି ଯାଇଛି ଅନେକ ଦୋକାନର ସଟର ।

ଗତକାଲି ରାତି ୮ଟାରେ ମାର୍କେଟ୍ କମ୍ପ୍ଲେକ୍ସର ତଳ ମହଲାରେ ଲାଗିଥିଲା ନିଆଁ । ଏକ ଗାରମେଣ୍ଟ ଦୋକାନରେ ପ୍ରଥମେ ଲାଗିଥିଲା ନିଆଁ । ଆଉ ନିମିଷକ ମଧ୍ୟରେ ଏ ଦୋକାନରୁ ସେ ଦୋକାନକୁ ବ୍ୟାପିଥିଲା । ଦେଖୁ ଦେଖୁ ଜଳିବାକୁ ଲାଗିଥିଲା ଗୋଟିଏ ପରେ ଗୋଟିଏ ଦୋକାନ । ନିଆଁର ପ୍ରଭାବ ଏତେ ପ୍ରଖର ଥିଲା, ଯାହାକି ମାର୍କେଟ କମ୍ପ୍ଲେକ୍ସକୁ ଧୂଆଁମୟ କରି ଦେଇଥିଲା । ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଥମେ ୩ଟି ଓ ପରେ ପରେ ବଢ଼ିଥିଲା ଅଗ୍ନିଶମ ବାହିନୀ ଗାଡ଼ି ସଂଖ୍ୟା । ହେଲେ ସ୍ଥିତି ଜଟିଳ ହେବାରୁ ୫ଟି ଟିମରେ ବିଭକ୍ତ ହୋଇଥିଲା ଅଗ୍ନିଶମ ବାହିନୀ । ଗୋଟିଏ ଟିମ୍ ପ୍ରଥମ ମହଲା, ଅନ୍ୟ ୨ଟି ଟିମ୍ ତଳ ମହଲାରେ ନିୟୋଜିତ ହୋଇଥିଲେ । ସେହିପରି ଆଉ ୨ଟି ଟିମ୍ ମାର୍କେଟ କମ୍ପ୍ଲେକ୍ସ ବାହାର ପାର୍ଶ୍ବରେ ପାରା ମିଟର ପ୍ରସ୍ତୁତ କରି ନିଆଁକୁ ଅଧିକ ନବ୍ୟାପିବା ନେଇ ସଜାଗ ରହିଥିଲେ । କିଛି ଅଗ୍ନିଶମ କର୍ମଚାରୀ ଅକ୍ସିଜେନ ନେଇ ଭିତରକୁ ପଶିଥିଲେ ।

ରାତି ୧୨ଟା ପରେ ସାମାନ୍ୟ ନିୟନ୍ତ୍ରଣକୁ ଆସିଥିଲା ସ୍ଥିତି, ହେଲେ ଅନେକ ଦୋକାନ ବନ୍ଦ ଥିବାରୁ ନିଆଁ ଲିଭାଇବା ସଂପୂର୍ଣ୍ଣ ସମ୍ଭବପର ହୋଇନଥିଲା । ତେଣୁ ଅଗ୍ନିଶମ ବାହିନୀର କର୍ମଚାରୀ କଟର ମାଧ୍ୟମରେ ଦୋକାନ ସଟର କାଟି ନିଆଁ ଲିଭାଇବାକୁ ରାତି ତମାମ କରିଥିଲେ କସରତ । ଆଜି ଭୋରରୁ ଭୁବନେଶ୍ବର, ତଥା ଅନ୍ୟ ସ୍ଥାନରୁ ନିୟୋଜିତ ହୋଇଥିଲେ ଅଗ୍ନିଶମ ବିଭାଗର ଅଧିକ ଫୋର୍ସ । ଓଡ୍ରାଫର ସ୍ବତନ୍ତ୍ର ଟିମ୍ ସାଙ୍ଗକୁ NFSC ସଦସ୍ୟ ମଧ୍ୟ ସାମିଲ ହୋଇଥିଲେ । ହେଲେ ଅଚାନକ ତଳ ମହଲାରୁ ନିଆଁ ପ୍ରଥମ ଓ ଦ୍ବିତୀୟ ମହଲାକୁ ବ୍ୟାପିଥିଲା । ଯାହାକି ଭୟଙ୍କର ରୂପ ନେଇଥିଲା । ବରିଷ୍ଠ ଅଧିକାରୀଙ୍କ ପରାମର୍ଶ କ୍ରମେ ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ହୋଇଥିଲା ପ୍ଲାନ୍ ।

ମାର୍କେଟର ଜଟିଳ ନିର୍ମାଣଶୈଳୀ, ଅବସ୍ଥିତି ଓ ଚାରିପାଖରେ କୋଠା ଥିବାରୁ ନିଆଁକୁ ଆୟତ୍ତ କରିବାରେ ଦେଖା ଦେଇଥିଲା ସମସ୍ୟା । ଆଉ ଶେଷରେ ଅଗ୍ନିଶମ ବାହିନୀର କଠିନ ପରିଶ୍ରମ ପରେ ଆୟତ୍ତ ହୋଇଥିଲା ନିଆଁ । ଦୀର୍ଘ ସମୟର ଅଗ୍ନିଶମ ବାହିନୀର ପ୍ରଚେଷ୍ଟାକୁ ସବୁ ମହଲରେ କରାଯାଇଛି ସ୍ବାଗତ ।