ମହିଳା ବିରୋଧୀ ହିଂସାରେ ବିଜେପି ନେତା ଆଗରେ

ଭୁବନେଶ୍ବର: ମହିଳା ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧରେ ଜଡ଼ିତ ଜନ ପ୍ରତିନିଧି । ଏଡିଆର୍ ଓ ଜାତୀୟ ଇଲେକ୍ସନ୍ ଓ୍ବାଚ୍ ରିପୋର୍ଟରେ ଚାଞ୍ଚଲ୍ଯକର ତଥ୍ଯ । ୨୦୨୪ରେ ନିର୍ବାଚିତ ୧୫୧ ଜଣ ସାଂସଦ ଓ ବିଧାୟକଙ୍କ ବିରୋଧରେ ଚାଲିଛି ମହିଳା ବିରୋଧୀ ହିଂସା ମାମଲା । ମହିଳା ବିରୋଧୀ ହିଂସାରେ ସବୁଠୁ ଆଗରେ ରହିଛି ବିଜେପି । ତା’ ପଛକୁ କଂଗ୍ରେସ ଓ ଟିଡିପିର ଜନପ୍ରତିନିଧି । ଏକାଧିକ ଥର ଦୁଷ୍କର୍ମ ଅପରାଧରେ ଅଭିଯୁକ୍ତଙ୍କ ଭିତରେ ୨ ଜଣ ସାଂସଦ ଓ ୧୪ ଜଣ ବିଧାୟକଙ୍କ ନାମ ରହିଛଇ । ରିପୋର୍ଟ କହୁଛି, ଗୁରୁତର ଅପରାଧରେ ଜନ ପ୍ରତିନିଧିଙ୍କ ସଂପୃକ୍ତି ୨୦୦୯ ତୁଳନାରେ ୧୨୪ ପ୍ରତିଶତ ବଢିଛି ।

ସତ୍ୟପାଠ ଧରାଇଛି ସାଂସଦ ଓ ବିଧାୟକଙ୍କ କଳା କାରନାମା । ମହିଳା ବିରୋଧୀ ହିଂସାରେ ଅଭିଯୁକ୍ତ ଥିବା ୧୫୧ ଜଣ ଜନପ୍ରତିନିଧିଙ୍କ ଭିତରୁ ୧୬ ଜଣ ସାଂସଦ ଥିବାବେଳେ ୧୩୫ ଜଣ ବିଧାୟକ ରହିଛନ୍ତି । ରିପୋର୍ଟ ଅନୁଯାୟୀ, ମହିଳା ବିରୋଧୀ ହିଂସାରେ ବିଜେପିର ୫୪, କଂଗ୍ରେସର ୨୩ ଓ ଟିଡିପିର ୧୭ ଜଣ ସାଂସଦ ଓ ବିଧାୟକଙ୍କ ନାମରେ ମାମଲା ଗଡ଼ୁଛି ।

ସଙ୍ଗୀନ ଅପରାଧରେ ଜନ ପ୍ରତିନିଧି ଅଭିଯୁକ୍ତ ହେବା ସଂଖ୍ୟା ପ୍ରତିଥର ନିର୍ବାଚନରେ ବଢି ଚାଲିଛି । ସ୍ଥିତି ଏମିତି ଯେ ୨୦୦୯ ତୁଳନାରେ ଜନ ପ୍ରତିନିଧିଙ୍କ ଅପରାଧିକ କାର୍ଯ୍ୟକଳାପ ୧୨୪ ପ୍ରତିଶତ ବଢିଛି । ରାଜନୀତିରେ ଅପରାଧୀକରଣ ଦିନକୁ ଦିନ ବଢି ଚାଲିଛି । ଏଡିଆର୍ ରିପୋର୍ଟ ୨୮ଟି ରାଜ୍ୟ ଓ ୮ ଟି କେନ୍ଦ୍ରଶାସିତ ଅଞ୍ଚଳର ସାଂସଦ ଓ ବିଧାୟକଙ୍କ ସତ୍ୟପାଠକୁ ଅନୁଶୀଳନ କରିଛି । ସେଥିରୁ ଜଣାପଡ଼ିଛି ମହିଳା ବିରୋଧୀ ହିଂସାରେ ସର୍ବାଗ୍ରେ ରହିଛି ପଶ୍ଚିମବଙ୍ଗ । ୨୫ ଜଣ ସାଂସଦ ଓ ବିଧାୟକଙ୍କ ନାମରେ ମାମଲା ରହିଛି । ତା’ ପଛକୁ ଆନ୍ଧ୍ରପ୍ରଦେଶ ୨୧ ଓ ତୃତୀୟରେ ଓଡ଼ିଶାରେ ୧୭ ଜଣ ଏମପି ଓ ବିଧାୟକଙ୍କ ବିରୋଧରେ ମହିଳା ବିରୋଧୀ ହିଂସା ମାମଲା ରହିଛି । ମହିଳାଙ୍କୁ ସୁଭଦ୍ରା ଭାବେ ବିବେଚନା କରିଆସୁଛି ବିଜେପି । ହେଲେ ତାଙ୍କରି ଦଳର ବିଧାୟକ ଓ ସାଂସଦ ବେଶୀ ମହିଳାଙ୍କ ପ୍ରତି ଅସମ୍ମାନ କାର୍ଯ୍ୟରେ ଲିପ୍ତ ରହିଥିବା ସତ୍ୟପାଠରୁ ଜଣାପଡ଼ିଛି ।

ଯେଉଁମାନେ ବିଧେୟକ ପ୍ରସ୍ତୁତ କରୁଛନ୍ତି ସେମାନେ ହିଁ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ରହୁଛନ୍ତି । ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳ ବି ମୂଲ୍ୟବୋଧ ନଥିବା ବାହୁବଳୀ ନେତାଙ୍କୁ ନିଜ ଦଳରେ ସାମିଲ କରି ଟିକେଟ୍ ଦେବାକୁ ଭୁଲୁନାହାନ୍ତି । ଭାରତୀୟ ନିର୍ବାଚନ ବ୍ୟବସ୍ଥାରେ ସଂସ୍କାର କଥା କହୁଥିବା ରାଜନୈତିକ ଦଳଙ୍କ ଉଚ୍ଚାରଣ ଓ ଆଚରଣରେ ରହୁନି ତାଳମେଳ ।