ବିଶ୍ବସ୍ତରରେ ଝଟକିଲା ଓଡିଶାର କଳା ଓ ସଂସ୍କୃତି

1 min read

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଝଟକିଲା ଓଡିଶାର କଳା ଓ ସଂସ୍କୃତି । ପ୍ରଗତି ମଇଦାନରେ ଆୟୋଜିତ ହୋଇଛି ଆନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୨୨ । ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ସାଜିଛି ଓଡ଼ିଶା ପାଭିଲିୟନ୍ । ଓଡ଼ିଶା ପାଭିଲିୟନରେ ୨୪ଟି ଷ୍ଟଲ ପଡିଥିବା ବେଳେ ଟେରାକୋଟା, କଫି, ଟସର ଶିଳ୍ପ ଆଦିରେ ସମୃଦ୍ଧ ହୋଇଛି ପ୍ରଦର୍ଶନୀ ।

‘ଭୋକାଲ ଫର ଲୋକାଲ ଆଣ୍ଡ ଲୋକାଲ ଟୁ ଗ୍ଲୋବାଲ’ର ବାର୍ତ୍ତା । ଟେରାକୋଟା, ସମ୍ବଲପୁରୀ ଶାଢ଼ୀ, ଜନଜାତି ଅଳଙ୍କାରର ସମ୍ଭାର। ମନ ମୋହୁଛି ଭଳିକି ଭଳି ଖାଦ୍ୟ ସାମଗ୍ରୀ, କୋରାପୁଟ କଫି, ଟସର ଶିଳ୍ପ । ଝଟକୁଛି ଓଡ଼ିଆ ଜାତିର ମଉଡମଣି ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି । କଟକ ତାରକସି, ରାଜ୍ୟ ସରକାରଙ୍କ ମିଲେଟ୍ ମିଶନ ସହିତ ଓରମାସ, ମିଶନ ଶକ୍ତି, ବୟନିକା, ଉତ୍କଳିକା ଓ ନୂତନ ଉଦ୍ୟୋଗୀଙ୍କ ଦ୍ଵାରା ନିର୍ମିତ ଷ୍ଟାର୍ଟଅପ୍ ମଧ୍ୟ ହୋଇଛି ପ୍ରଦର୍ଶିତ ।

ନଭେମ୍ବର ୧୪ରୁ ଆରମ୍ଭ ହୋଇଥିବା ମେଳା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ୨ ବର୍ଷର କୋଭିଡ କଟକଣା ପରେ ମେଳା ଆୟୋଜିତ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅନେକ ଉତ୍କଣ୍ଠା । କୋଭିଡ଼ ସମୟରେ ଓଡ଼ିଶାର ବଦାନ୍ୟତା, ବିଭିନ୍ନ କ୍ଷେତ୍ରରେ ରାଜ୍ୟର ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଭିଡିଓ ବାର୍ତ୍ତା ମଧ୍ୟ ଓଡ଼ିଶା ପାଭିଲିୟନରେ ସ୍ଥାନ ପାଇଛି ।