ସରୁନି ସାରୁଅ ସମର:ବୈଜୟନ୍ତ ଓ ଜଗି ମଙ୍ଗତ ପଣ୍ଡାଙ୍କ ଗିରଫଦାରି ଦାବିରେ ଆଦିବାସୀ ମଞ୍ଚ
ଖୋର୍ଦ୍ଧା: ସରୁନି ସାରୁଅ ସମର । ସାରୁଅ ଜମି କେଳେଙ୍କାରୀ ବିରୋଧରେ ତେଜୁଛି ବିଦ୍ରୋହର ନିଆଁ । ସାରୁଅଠାରୁ ଭୁବନେଶ୍ୱର, ସବୁଠି ଶୁଭୁଛି ବିରୋଧର ସ୍ୱର । ଜମି ହଡ଼ପ ଘଟଣାରେ ବୈଜୟନ୍ତ ଓ ଜଗି ମଙ୍ଗତ ପଣ୍ଡାଙ୍କ ଗିରଫଦାରି ଦାବିରେ ଆଦିବାସୀ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେପଟେ ଆଠ ଦିନ ହେଲା ସାରୁଅ ଷ୍ଟୁଡିଓ ଆଗରେ ଧାରଣାରେ ବସିଛନ୍ତି ଠିକା କର୍ମଚାରୀ ।
ରାଜଧାନୀରେ ସାରୁଅ ତାତି । ଜମି କେଳେଙ୍କାରୀ ନେଇ ତେଜିଲା ବିଦ୍ରୋହର ସ୍ବର । ଜଗି ଓ ବୈଜୟନ୍ତ ପଣ୍ଡାଙ୍କ ଗିରଫ ଦାବି କଲା ଆଦିବାସୀ ମଞ୍ଚ । ତେଜୁଛି ସାରୁଅ ଅସନ୍ତୋଷ । ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲା ଦଳିତ ଓ ଆଦିବାସୀ ମଞ୍ଚ । ଭୁବନେଶ୍ୱର ଲୋୟର ପିଏମ୍ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓଡ଼ିଶା ଇନ୍ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ପକ୍ଷରୁ ସାରୁଅରେ ଚଞ୍ଚକତା କରି ଜମି ହଡ଼ପ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଜଗି ଓ ବୈଜୟନ୍ତ ପଣ୍ଡାଙ୍କ ଗିରଫଦାରି ଦାବି କରିଛି ମଞ୍ଚ । ଜମି ନଫେରାଇଲେ ଆଗାମୀ ଦିନରେ ବଡ଼ ଆନ୍ଦୋଳନ ହେବ ବୋଲି ଆଦିବାସୀ ଓ ଦଳିତ ମଞ୍ଚ ଚେତାବନୀ ଦେଇଛି । ସେହିପରି ଜମି ହଡ଼ପକାରୀଙ୍କୁ ଗିରଫ କରିବାକୁ ଦାବି କରିଛି ନବନିର୍ମାଣ କୃଷକ ସଂଗଠନ ।
ସେଲଫି ନେଲେ ସୁର, ଚମ୍ପାଚମେଲି ସହ ସୁର କଲେ ଆଲୋଚନା ହେଲେ ଏମାନେ ସବୁ କିଏ
ସେପଟେ ଅଷ୍ଟମ ଦିନରେ ପହଞ୍ଚିଛି ସାରୁଅ ଷ୍ଟୁଡିଓ ଆଗରେ ଠିକା କର୍ମଚାରୀଙ୍କ ଆନ୍ଦୋଳନ । ଖରା, କାକରରେ ୮ଦିନ ହେଲା ଆନ୍ଦୋଳନରେ ବସିଛନ୍ତି । ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେନି ବୋଲି କହିଛନ୍ତି ଠିକା କର୍ମଚାରୀ । ସେପଟେ ଓଡ଼ିଶା ଇନ୍ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ର ଦୁଇ କର୍ମଚାରୀ ଦୀନବନ୍ଧୁ ସାମନ୍ତ ଏବଂ ବିଶ୍ୱଜିତ ରାଉତରାୟଙ୍କ ଜାମିନ ଆବେଦନ ଶୁଣାଣି ଆସନ୍ତାକାଲି ହେବ । ଠିକା କର୍ମଚାରୀଙ୍କୁ ମାରଧର ଓ ଧମକ ଚମକ ଅଭିଯୋଗରେ ଗତ ଅକ୍ଟୋବର ୩୧ ତାରିଖରୁ ଉଭୟ ଜେଲରେ ଅଛନ୍ତି । ଆସନ୍ତାକାଲି ଓଡ଼ିଶା ଇନ୍ଫ୍ରାର ପୂର୍ବତନ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଓ ଏଜେଣ୍ଟ ଶିବପ୍ରସାଦ ଶ୍ରୀଚନ୍ଦନଙ୍କର ଜାମିନ ଶୁଣାଣି କାଲି ହେବ । ସେହିପରି ଓଟିଭି ଗ୍ରୁପ୍ର ପୂର୍ବତନ ଡ୍ରାଇଭର ରବି ସେଠୀଙ୍କୁ ଜମି ବିକିଥିବା ସାରୁଅର ୨୨ଜଣ ଗ୍ରାମବାସୀ ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଜଜ କୋର୍ଟରେ ହାଜର ହୋଇ ପକ୍ଷ ରଖିବା ପାଇଁ ନୋଟିସ୍ ହୋଇଛି ।