ଶେଷ ହୋଇଛି ମହାପ୍ରଭୁଙ୍କ ଅଧରପଣା ନୀତି

ପୁରୀ: ମହାପ୍ରଭୁଙ୍କ ଅଧରପଣା ନୀତି ଶେଷ ହୋଇଛି। ରଥରେ ଥିବା ପାର୍ଶ୍ୱ ଦେବାଦେବୀ ଓ ଚଣ୍ଡି ଚାମଣ୍ଡାଙ୍କୁ ତୃପ୍ତ କରିବା ପାଇଁ ରଥ ଉପରେ ଅଧରପଣା ନୀତି କରିବାର ପରମ୍ପରା ରହିଛି । ମଧ୍ୟାହ୍ନ ଧୂପ ପରେ ରଥ ଉପରେ ଅନୁଷ୍ଠିତ ହୋଇଥାଏ ଏହି ଅଧର ପଣା ନୀତି ।

ଶ୍ରୀଜୀଉମାନଙ୍କ ଅଧର ପର୍ଯ୍ୟନ୍ତ ଉଚ୍ଚ ମାଟିହାଣ୍ତିର ବଡ଼ ଓଡ଼ିଆ ମଠ, ରାଘବ ଦାସ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ପଣାକୁ ଭୋଗ କରାଯାଇଥାଏ । ପାଣିଆ ଆପଟ ସେବାୟତମାନେ ଛାଉଣୀ ମଠ କୂଅରୁ ପାଣି ଆଣିବା ପରେ ଛେନା, କଦଳୀ, କ୍ଷୀର, ଗୋଲମରିଚ, ସର, କର୍ପୂର ଓ ଜାଇଫଳ ଗୁଣ୍ତ ଇତ୍ୟାଦି ମିଶାଇ ସୁଆର ସବାୟତମାନେ ପଣା ପ୍ରସ୍ତୁତ କରିଥାନ୍ତି।

ପୂଜାପଣ୍ତାମାନେ ଏହି ପଣାକୁ ଶ୍ରୀଜିଉମାନଙ୍କୁ ସମର୍ପଣ କରିବା ପରେ ହାଣ୍ତିଗୁଡ଼ିକ ରଥ ଉପରେ ଭାଙ୍ଗି ଦିଆଯାଇଥାଏ । ଆସନ୍ତାକାଲି ନୀଳାଦ୍ରିବିଜେ । ବଡ଼ଦାଣ୍ଡରୁ ଲୀଳାଖେଳା ସାରି ଭାଇ ଭଉଣୀଙ୍କ ସହ ନୀଳକନ୍ଦରକୁ ବାହୁଡ଼ି ଯିବେ ନୀଳମଣି ।

 

ତେବେ ଅଧରପଣା ନୀତି ଶୃଙ୍ଖଳିତ ଭାବେ ଆଜି ଶେଷ ହୋଇଥିବା ବେଳେ ଆସନ୍ତାକାଲି ନୀଳାଦ୍ରୀ ବିଜେ ନୀତି ମଧ୍ୟ ଶୃଙ୍ଖଳିତ ଭାବେ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି ।

 

Leave a Reply