ଗୁରୁକୁଳ ଶିକ୍ଷା ପଦ୍ଧତି ଭଲ ମଣିଷର କାରଖାନା

ଖୋର୍ଦ୍ଧା : ବେଗୁନିଆ ପରିଚ୍ଛଳ ସ୍ଥିତ ଦୟାନନ୍ଦ ଆଦର୍ଶ ଗୁରୁକୁଳର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ । ଆଜିଠାରୁ ତିନିଦିନ ଧରି ଚାଲିବାକୁ ଥିବା ଆଶ୍ରମର ଏହି କାର୍ଯ୍ୟକ୍ରମ ଯୋଗ, ୫୧ କୁଣ୍ଡୀୟ ଯଜ୍ଞ, ବୈଦିକ ଭଜନ ଓ ପ୍ରବଚନ ମାଧ୍ୟମରେ ଅନୁଷ୍ଠିତ ହେବାର ନେଇ ଅଧିଷ୍ଠାତା ବିଶିଷ୍ଟ ବୈଦିକ ବିଦ୍ବାନ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ପ୍ରକାଶ କରିଛନ୍ତି । ଆଜିର ପ୍ରବଚନରେ ବକ୍ତା ଭାବରେ ଗୁଜୁରାଟ ରୋଜଡରୁ ଆସିଥିବା ସ୍ବାମୀ ମୁକ୍ତାନନ୍ଦ ସରସ୍ବତୀ ଓ ସ୍ବାମୀ ଶାନ୍ତନନ୍ଦ ସରସ୍ବତୀ ଯୋଗଦେଇଥିଲେ ।

ଅତିଥି ଭାବରେ ଡକ୍ଟର ବିକାଶ ପଣ୍ଡା, ଅଜୟ ନାୟକ, ନୟାଗଡ଼ର ସ୍ବାମୀ ମୁକ୍ତାନନ୍ଦ ସରସ୍ବତୀ, ଶ୍ରୃତିପ୍ରିୟ ବାନପ୍ରସ୍ଥି, ସୁରେନ୍ଦ୍ର ଛୋଟରାୟ ମଞ୍ଚାସୀନ ଥିଲେ । ଗୁରୁକୁଳ ଶିକ୍ଷା ପଦ୍ଧତି ଦ୍ବାରା ସମାଜରେ ଭଲ ମଣିଷ ମାନଙ୍କର ଅଭାବ ହେବନାହିଁ ଓ ଆଧୁନିକ ଶିକ୍ଷା ପଦ୍ଧତିର ବିନାଶ ରୂପ ଦେଖିବାକୁ ମିଳିବନାହିଁ । ଆଜିର ଦିନରେ ପିତାମାତା ନିଜ ପିଲାମାନଙ୍କୁ ଘରେ ସମୟ ଦେଉନାହାନ୍ତି କି ଚାଲି ଚଳନି, ଆଚାର ବ୍ୟବହାରର ଶିକ୍ଷା ଦେଉନାହାନ୍ତି ।

ଘରେ ଆୟା ପାଖରେ ପିଲାକୁ ଛାଡି ମା’ ମାନେ କିଟି ପାର୍ଟ ଓ ମୋବାଇଲରେ ବ୍ୟସ୍ତ ରହୁଛନ୍ତି । ଛୋଟବେଳେ ପିଲାମାନଙ୍କୁ ଆମେ ଯେଉଁ ଶିକ୍ଷା ଦେବା ତାହା ସେ ବଡ ହେଲେ ଆମ କ୍ଷେତ୍ରରେ ମଧ୍ୟ ପ୍ରୟୋଗ କରିବେ ମାନେ ପିଲାକୁ ପିତାମାତା ଏବେ ଆୟା ପାଖରେ ଛାଡୁଛନ୍ତି ପିଲା ବଡ ହେଲେ ପିତାମାତାଙ୍କୁ ବୃଦ୍ଧା ଆଶ୍ରମ ପଠେଇ ଦେଉଛନ୍ତି । ଏହା ଆମର ପରମ୍ପରା ନୁହେଁ ଆମ ଦେଶ ଋଷି ମୁନିର ଦେଶ, ତେଣୁ ଆମର ପିଲାମାନେ କିପରି ସଂସ୍କାରିତ ହେବେ ତାହା ଆମର କର୍ତ୍ତବ୍ୟ । ଯଦି ପିଲାମାନଙ୍କୁ କାର୍ଯ୍ୟ ବ୍ୟସ୍ତତା ପାଇଁ ସମୟ ଦେଇ ପାରୁନାହାନ୍ତି ତାହାଲେ ଭଲ ସଂସ୍କାରୀଟିଏ ପାଇଁ ଉତ୍ତମ ସ୍ଥାନ ଗୁରୁକୁଳ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଗୁରୁକୁଳର ଆଚାର୍ଯ୍ୟ ଧର୍ମରାଜ, ପ୍ରତାପ ପଟ୍ଟନାୟକ, ରବି ନାରାୟଣ ଲେଙ୍କା, ଲକ୍ଷ୍ମୀଧର ପଣ୍ଡା ଓ ସମ୍ପାଦକ ଦୁଷ୍ମନ୍ତ ସ୍ବାଇଁ ପରିଚାଳନା କରିଥିଲେ । ପ୍ରତ୍ୟେକ ଦିନ ଯଜ୍ଞ ଓ ଯୋଗ କାର୍ଯ୍ୟକ୍ରମରେ ଆଶ୍ରମର ଶତାଧିକ ବ୍ରହ୍ମଚାରୀ, ଛାତ୍ରଛାତ୍ରୀ ଓ ଅବିଭାବକ ଯୋଗଦେଇଥିଲେ ।