ଆଉ ନାହାନ୍ତି ଜଣାଶୁଣା ଅଭିନେତା ବିରାଜ ଦାସ

ଭୁବନେଶ୍ୱର: ଆଉ ନାହାନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତା ବିରାଜ ଦାସ । ନିଜର ବଳିଷ୍ଠ ଅଭିନୟ ଓ ଗମ୍ଭୀର ସ୍ୱରରେ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥିବା ବିରାଜ ଦାସ ପରପାରିକୁ ଚାଲି ଯାଇଛନ୍ତି । ସେ ଦୀର୍ଘଦିନ ହେଲା କର୍କଟ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ୬୩ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଏ ସମ୍ପର୍କରେ ବିରାଜଙ୍କ ସାନ ପୁଅ ଅର୍ଣ୍ଣବ ଦାସ ସୂଚନା ଦେଇଛନ୍ତି । ତାଙ୍କ ଦେହାନ୍ତ ପରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି ।

ବିରାଜ ଦାସ ଅନେକ ଓଡ଼ିଆ ଫିଲ୍ମ ସହ ସିରିଏଲରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇଥିଲେ । ଭାଇ ଠାରୁ ଆରମ୍ଭ କରି ମାମୁ ଓ ବାପାଙ୍କ ଭଳି ଚରିତ୍ରରେ ସେ ଅଭିନୟ କରି ଓଡ଼ିଆ ଦର୍ଶକଙ୍କ ମନରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ବଗୁଲା ବଗୁଲି ଫିଲ୍ମରୁ ସେ କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୫ରେ ରିଲିଜ ହୋଇଥିବା ଭାଇ ମୋର ଜଗା, ୧୯୯୯ର ପ୍ରେମ ବନ୍ଧନ ଠାରୁ ଆରମ୍ଭ କରି ମା’ ପରି କିଏ ହେବ ଭଳି ସୁପର ହିଟ୍ ସିନେମାରେ ସେ ଅଭିନୟ କରିଥିଲେ । ପ୍ରେମ ବନ୍ଧନ ଭଳି ଫିଲ୍ମ କରି ସେ ଲୋକଲୋଚନକୁ ଆସିଥିଲେ । ପୁଅ ଭାଙ୍ଗିଦେଲା ସୁନା ସଂସାର, ଗୋଲାମଗିରି ଭଳି ଫିଲ୍ମରେ ମଧ୍ୟ ସେ ଅଭିନୟ କରିଥିଲେ ।

ଏଥିସହିତ ପଢ଼ନ୍ତୁ: ‘ମୋ ସ୍କୁଲ ଅଭିଯାନ’ ଜରିଆରେ ୬ ଲକ୍ଷ ୭୫ ହଜାର ପୁରାତନ ଛାତ୍ରଛାତ୍ରୀ ଅନୁଦାନ ଦେଲେଣି