କର ସଂକ୍ରାନ୍ତ ମାମଲାରେ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ଅନୁଷ୍କା ଶର୍ମା

1 min read

ମୁମ୍ବାଇ: କର ସଂକ୍ରାନ୍ତ ନୋଟିସ ମାମଲାରେ ଅଭିନେତ୍ରୀ ଅନୁଷ୍କା ଶର୍ମା କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ୨୦୧୨-୧୩ ଓ ୨୦୧୩-୧୪ରେ ବିକ୍ରିକର ବିଭାଗ ଡେପୁଟି କମିଶନରଙ୍କ ଦ୍ବାରା ପ୍ରେରିତ ଦୁଇଟି ନୋଟିସ ପ୍ରସଙ୍ଗରେ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଅନୁଷ୍କା । ଅନୁଷ୍କାଙ୍କ ଆବେଦନ ପରେ ଉତ୍ତର ରଖିବା ଲାଗି ବିକ୍ରିକର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ନୀତୀନ ଜାମଦାର ଓ ଜଷ୍ଟିସ ଅଭୟ ଆହୁଜା । ଆସନ୍ତା ଫେବ୍ରୁଆରୀ ୬ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି ।

ନିଜ ଆବେଦନରେ ଅନୁଷ୍କା କହିଛନ୍ତି-ଜଣେ ପରଫର୍ମର ଭାବେ ତାଙ୍କ ଉପରେ କର ଲାଗୁ କରାଯିବା ବଦଳରେ ଅଧିକ କର ଧାର୍ଯ୍ୟ କରାଯାଇଛି । ସେ ୨୦୧୨ରୁ ୨୦୧୬ ମଧ୍ୟରେ ୪ଟି ପିଟିସନ ଦାୟର କରିଥିଲେ । ଗତ ସପ୍ତାହରେ ସେ ସାନି ପିଟିସନ ଦାଖଲ କରିଥିଲେ । ଅନୁଷ୍କା ଦର୍ଶାଇଛନ୍ତି ସେ ଫିଲ୍ମ ଓ ଆଓ୍ବାର୍ଡ ସେରିମନିରେ ଯେଉଁ ଅଭିନୟ କରୁଛନ୍ତି ତାହା ତ୍ରିପାକ୍ଷିକ ରାଜିନାମା ଅନୁସାରେ ହେଉଛି । ସେମାନେ ହେଲେ ତାଙ୍କ ଏଜେଣ୍ଟ ଯଶରାଜ ଫିଲ୍ମସ, ପ୍ରଡ୍ୟୁସର ଓ ଇଭେଣ୍ଟ ଅର୍ଗାନାଇଜର । ତେବେ ତାଙ୍କ ଉପରେ ଜଣେ ଅଭିନେତ୍ରୀ ଭାବେ କର ଲାଗୁ କରାଯାଇନାହିଁ । ବିକ୍ରିକର ବିଭାଗର ନୋଟିସ ଅନୁସାରେ ଅନୁଷ୍କାଙ୍କୁ ୨୦୧୨-୧୩ରେ ୧ କୋଟି ୨୦ ଲକ୍ଷ ଟଙ୍କା ଓ ୨୦୧୩-୧୪ରେ ୧ କୋଟି ୬ ଲକ୍ଷ ଟଙ୍କା ଦେବାକୁ ପଡିବ ।