ଡଙ୍ଗାରେ ଲାଇଫ୍ ଜ୍ୟାକେଟ୍ ନଥିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଏଣିକି ଡଙ୍ଗାରେ ଲାଇଫ ଜ୍ୟାକେଟ୍ ନରଖିଲେ ହେବ କାର୍ଯ୍ୟାନୁଷ୍ଠାନ । ଡଙ୍ଗାରେ ଲାଇଫ ଜ୍ୟାକେଟ ସହ ଲାଇସେନ୍ସ, ରେଟ୍ ଚାଟ ଓ ଆବଶ୍ୟକ ପାଣି ରଖିବେ ଡଙ୍ଗା ମାଲିକ । ନିୟମ ପାଳନ ନକଲେ ସଂପୃକ୍ତ ଯାତ୍ରୀବାହୀ ଡଙ୍ଗାକୁ ବନ୍ଦ କରିଦିଆଯିବ ବୋଲି କଡ଼ା ନିର୍ଦ୍ଦେଶ ଦେଇଛନ୍ତି କୃଷ୍ଣପ୍ରସାଦ ତହସିଲଦାର ଓ ବିଡିଓ ।

ଯାନ୍ତ୍ରିକ ତ୍ରୁଟି ଓ ଚାଳକଙ୍କ ଅସାବଧାନତା ପାଇଁ ଚିଲିକା ମଝିରେ ବାରମ୍ୱାର ଡଙ୍ଗା ଅଟକି ରହୁଥିବା ଅଭିଯୋଗ ହେଉଛି । ଯାତ୍ରୀ ଭୟଭୀତ ଅବସ୍ଥାରେ ଘଣ୍ଟା ଘଣ୍ଟା ଧରି ଚିଲିକା ଭିତରେ ଅଟକି ରହୁଛନ୍ତି । ସମସ୍ୟାର ସମାଧାନ ପାଇଁ ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ନେଇ କୃଷ୍ଣପ୍ରସାଦ ବ୍ଲକ୍ ଅଧିକାରୀ ଅମିୟ କୁମାର ପଣ୍ଡା ଓ ତହସିଲଦାର ଅଭିଷେକ ସାହୁଙ୍କ ତତ୍ବାବଧାନରେ, କୃଷ୍ଣପ୍ରସାଦ ଆଇଆଇସି, ଅଗ୍ନିଶମ ବିଭାଗ ଅଧିକାରୀ, ଫରେଷ୍ଟ ଅଧିକାରୀ, ଡଙ୍ଗା ମାଲିକ ଓ ଚାଳକମାନଙ୍କୁ ନେଇ ଏକ ବୈଠକ କରାଯାଇଥିଲା । ଯେଉଁ ଡଙ୍ଗା ମାଲିକ ଓ ଚାଳକମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ଡଙ୍ଗା ବନ୍ଦ କରି ଦିଆଯିବ ବୋଲି କଡ଼ା ଦିର୍ଦ୍ଦେଶ ଦିଆଯାଇଛି ।