ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ସୌମ୍ୟଙ୍କ ମା’ ଦେଲେ ଚାଞ୍ଚଲ୍ୟକର ବୟାନ, କହିଲେ…
1 min readସୋର: ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ୬ଦିନ ବିତିଲା। ଏପର୍ଯ୍ୟନ୍ତ ଖିଅ ପାଉନି ପୋଲିସ। ବିଭିନ୍ନ ଦିଗକୁ ନେଇ ଚଳାଇଛି ତଦନ୍ତ। ଏହି ଘଟଣାରେ ଆଜି ସୌମ୍ୟରଞ୍ଜନଙ୍କ ପରିବାର ଲୋକଙ୍କ ପଚରାଉଚରା କରୁଛି ପୋଲିସ। ପାରଳାଖେମୁଣ୍ଡିରୁ ଆସିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ମୃତ ସୌମ୍ୟଙ୍କ ମା’ ଓ ମାମୁଙ୍କୁ ପଚରାଉଚରା କରିଛି। ବିଶେଷ କରି ସୌମ୍ୟରଞ୍ଜନ ଓ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ତଥ୍ୟ ସଂଗ୍ରହ କରୁଛି ପୋଲିସ। ପଚରାଉଚରା ବେଳେ, ପୋଲିସ ଆଗରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ସୌମ୍ୟଙ୍କ ମା’।
ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା ବୋଲି କହିଛନ୍ତି ସୌମ୍ୟଙ୍କ ମା’। ଏପରିକି ଝଗଡା ପରେ ବିଦ୍ୟାଭାରତୀ ହାତରୁ ଚୁଡି ଭାଙ୍ଗି ଘରୁ ପଳାଇଥିଲେ । ବହୁ ଖୋଜା ଖୋଜି କରିବା ପରେ ବିଦ୍ୟାଭାରତୀଙ୍କୁ ଡିଏଫଓଙ୍କ ଘରୁ ପାଇଥିଲେ ବୋଲି କହିଛନ୍ତି ସୌମ୍ୟଙ୍କ ମା’ । ଏସବୁ ଦିଗକୁ ନେଇ ତଥ୍ୟ ସଂଗ୍ରହ କରୁଛି ପୋଲିସ । ଏହାପରେ କପ୍ତିପଦା ଯାଇ ବିଦ୍ୟା ଭାରତୀ ବାପା ଓ ପରିବାର ଲୋକଙ୍କୁ ପଚରାଉଚରା କରିବ ପୋଲିସ । ଗତକାଲି ସୌମ୍ୟରଞ୍ଜନଙ୍କ ଡ୍ୟୁଟି ସମ୍ପର୍କିତ ଦସ୍ତାବିଜ ନେଇ ଯାଞ୍ଚ ପାଇଁ ଉଦ୍ୟମ କରିଥିଲେ।
ଏହି ସମୟରେ କାର୍ଯ୍ୟାଳୟରେ ଉପସ୍ଥିତ ସହକାରୀ ବନ ସଂରକ୍ଷକ ଗୈାରୀପ୍ରସାଦ ରଥଙ୍କୁ ତାଙ୍କ ଲଗ୍ ବୁକ୍, ଆଟେଣ୍ଡାନ୍ସ ଏବଂ ଟୁର ଡାଏରି ସହ ଅନ୍ୟାନ୍ୟ ଦସ୍ତାବିଜ ମାଗିଥିଲେ। ତେବେ ସେ ଏସବୁ ଦେବା ପାଇଁ ସମୟ ମାଗିଥିଲେ। ଫଳରେ ସେଠାରୁ ଖାଲି ହାତରେ ଫେରିଥିଲା ପୋଲିସ। ଅଫିସ୍ କାମ ଆଳ ଦେଖାଇ ସୌମ୍ୟରଂଜନଙ୍କୁ ରାତି ଡ୍ୟୁଟି ଦିଆ ଯାଉଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଡିଏଫଓ ଓ ବିଦ୍ୟାଭାରତୀଙ୍କ ମଧ୍ୟରେ ଅନୈତିକ ସଂପର୍କ ଥିବା ଓ ଏଥିରେ ରୋଷେୟା ସହଯୋଗ କରୁଥିବା ଅଭିଯୋଗ ହୋଇଛି। ଏପର୍ଯ୍ୟନ୍ତ ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ବିଦ୍ୟାଭାରତୀଙ୍କ ବୟାନ ରେକର୍ଡ କରିପାରିନି ପୋଲିସ। କେବଳ ରୋଷେୟାକୁ ଜେରା ହୋଇଛି।