ହେବନି ଅଧିକ ଶୀତ, ଦିଲ୍ଲୀ ଦଶା ଭୋଗିବ ଓଡ଼ିଶା !
1 min readଭୁବନେଶ୍ବର: ବର୍ଷା, ବାତ୍ଯା ସତ୍ତ୍ବେ ଶୀତ ଆସିବନି । ଲା-ନିନା ଆସିବାରେ ବିଳମ୍ବ ଯୋଗୁଁ ଏବର୍ଷ ଓଡ଼ିଶାରେ ଶୀତ କମ୍ ହେବ । ନଭେମ୍ବର, ଡିସେମ୍ବର ଓ ଜାନୁଆରୀ ମାସରେ ତାପମାତ୍ରାରେ ହ୍ରାସ ହେବନି । ହିମାଳୟ ପଟୁ ଓଡ଼ିଶାକୁ କମ ପବନ ବହିବ । ଏପରି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ । ସେପଟେ ଭାରତୀୟ ପାଣିପାଗ ରିପୋର୍ଟ ଅନୁସାରେ ୧୯୫୧ ପରେ ଚଳିତବର୍ଷ ଅକ୍ଟୋବରରେ ଦିଲ୍ଲୀ ସବୁଠୁ ଉତ୍ତପ୍ତ ସହର ସାବ୍ଯସ୍ତ ହୋଇଛି । ଧୀରେ ଧୀରେ ଦିଲ୍ଲୀ ଦଶା ଓଡ଼ିଶା ଭୋଗି ପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।
ଶୀତରେ ଥରିବ ମଧ୍ୟ ଭାରତ, ହେଲେ ଓଡ଼ିଶାରେ ହେବନି ଶୀତ । ନଭେମ୍ବର, ଡିସେମ୍ବର ଓ ଜାନୁଆରୀରେ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ । ଫଳରେ ଏହି ସମୟରେ ଶୀତର ପ୍ରକୋପ କମ୍ ଅନୁଭୁତ ହେବ । ଏପରି ପୂର୍ବାନୁମାନ କରିଛନ୍ତି ବିଶିଷ୍ଟ ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକ । ଘନ ଘନ ଲଘୁଚାପ ହେଲା, ବାତ୍ୟା ଯୋଗୁଁ ବର୍ଷିଲା । ଆଶା ଥିଲା ଭଲ ଶୀତ ହେବ । କିନ୍ତୁ ରାଜ୍ୟରେ ସେଭଳି କିଛି ଥଣ୍ଡା ଅନୁଭୁତ ହେବନି ।
ଶୀତ ନହେବାର ୩ଟି କାରଣ
୩ଟି କାରଣ ଯୋଗୁଁ ଓଡ଼ିଶାରେ ଶୀତର ପ୍ରକୋପ ଚଳିତବର୍ଷ ଦେଖିବାକୁ ମିଳିବନି । ସାଧାରଣତଃ ଜୁଲାଇ ପରେ ଲା-ନିନା ଆସିଥାଏ । କିନ୍ତୁ ଅଗଷ୍ଟ, ସେପ୍ଟେମ୍ବର ଓ ଅକ୍ଟୋବର ପରେ ବି ଲା-ନିନା ଆସିନାହିଁ । ଆଶା କରାଯାଉଛି ନଭେମ୍ବରରେ ଆସିପାରେ କିନ୍ତୁ ଶକ୍ତିଶାଳୀ ରହିବନି । ଏହାସହିତ ବହୁତ କମ୍ ସମୟ ପାଇଁ ଓଡ଼ିଶାରେ ରହିବ । ଡିସେମ୍ବର ଓ ଜାନୁଆରୀରେ ବର୍ଷା ହେବା ସମ୍ଭାବନା ରହିଛି । ଫେବ୍ରୁଆରୀ ବେଳକୁ କିଛିଟା ଶୀତ ଅନୁଭୁତ ହେବ । ଏହାସହ ହିମାଳୟ ପଟୁ ଆସୁଥିବା ବାଣିଜ୍ଯିକ ବାୟୁ ବା ଟ୍ରେଡ୍ ଓ୍ବିଣ୍ଡ୍ ପ୍ରବାହିତ ହେବ ଆଶା କମ୍ । ଯାହାଯୋଗୁଁ ତାପମାତ୍ରା କମିବା ପରିବର୍ତ୍ତେ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁଁ ଥଣ୍ଡା କମ୍ ହେବା ନେଇ ଆକଳନ କରାଯାଇଛି ।
ଦିଲ୍ଲୀ ଦଶା ଭୋଗିବ ଓଡ଼ିଶା
ସେପଟେ ଭାରତୀୟ ପାଣିପାଗ ବିଭାଗ ରିପୋର୍ଟ କହୁଛି, ୧୯୫୧ ପରେ ଚଳିତ ଅକ୍ଟୋବରରେ ଦିଲ୍ଲୀ ସବୁଠୁ ଉତ୍ତପ୍ତ ସହର ଭାବେ ଚିହ୍ନଟ ହୋଇଛି । ଏଥର ଓଡ଼ିଶାରେ ମଧ୍ଯ ଅକ୍ଟୋବରରେ ନାହିଁ ନଥିବା ତାତି ଜୀବନକୁ ଅସ୍ତବ୍ଯସ୍ତ କରିଛି । ଦିଲ୍ଲୀ ଦଶା ଓଡ଼ିଶା ଭୋଗିବାକୁ ଯାଉଛି । ଓଡିଶା ଆକାଶରେ ଦିନକୁ ଦିନ ବଢୁଛି ସବୁଜ ଗୃହ ବାଷ୍ପ ପରିମାଣ । ଯାହାଯୋଗୁଁ ଭୂପୃଷ୍ଠର ତାପମାତ୍ରା ନିୟମିତ ଅନ୍ତରରେ ବାୟୁମଣ୍ଡଳକୁ ବିକିରଣ ହେଉନାହିଁ । କଳକାରଖାନା ପ୍ରଦୂଷଣ, ଜୀବାଶ୍ମ ଇନ୍ଧନରେ ଗାଡ଼ି ଚଳାଚଳ ସଂଖ୍ୟା ବଢୁଥିବାରୁ ଏହାର ପ୍ରଭାବ ସମଗ୍ର ଅଞ୍ଚଳରେ ପଡ଼ିବାକୁ ଯାଉଛି । ରାଜଧାନୀ ଭୁବନେଶ୍ବରେ ରାସ୍ତାଘାଟ ସବୁ ଆଡେ କଂକ୍ରିଟ ହେବା ଯୋଗୁଁ ବର୍ଷା ହେଲେ ବି ଭୂତଳକୁ ପାଣି ଯାଉନି । ଏପରିକି ରାସ୍ତା ପାର୍ଶ୍ବରେ ଫେବର ବ୍ଲକ୍ ପଡ଼ିଥିବାରୁ ପାଣି ମାଟି ଭିତରକୁ ପର୍ଯ୍ୟାପ୍ତ ପରିମାଣରେ ଯାଇପାରୁନି । ଏହା ଅତ୍ୟନ୍ତ ବିପଜ୍ଜନକ । ଏଥର ଖାଲି ଓଡ଼ିଶାରେ ଶୀତ କମ୍ ହେବନି ଆନ୍ଧ୍ରପ୍ରଦେଶ, ତାମିଲନାଡୁ ସମେତ ଦକ୍ଷିଣ ଭାରତ ଉପକୂଳ ରାଜ୍ୟଗୁଡ଼ିକ ମଧ୍ୟ ସମାନ ଦଶା ଭୋଗିପାରନ୍ତି ।
ଏଣିକି ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରତିବର୍ଷ ଏକ୍ସଟ୍ରିମ୍ କ୍ଲାଇମେଟ୍ ଦେଖିବାକୁ ମିଳିବ । ପ୍ରତିବର୍ଷ ଅତିବୃଷ୍ଟି, ଅନାବୃଷ୍ଟି, ଘନ ଘନ ଅବପାତ, ବାତ୍ୟା ଦ୍ବାରା ନୂଆ ନୂଆ ଅସ୍ବାଭାବିକ ରେକର୍ଡ ସୃଷ୍ଟି ହେବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ବୈଜ୍ଞାନିକ ।