ଶାଶୁ, ବୋହୂଙ୍କ କଳି ଯୋଗୁ ଦୁର୍ଘଟଣାଗ୍ରସ୍ତ ହେଲା କାର

ଆନନ୍ଦପୁର: ଚଳନ୍ତା କାରରେ ଶାଶୁ ବୋହୂ କଳି ଯୋଗୁ ଦୁର୍ଘଟଣାଗ୍ରସ୍ତ ହେଲା କାର । ଦୁର୍ଘଟଣାଗ୍ରସ୍ତ ହୋଇ କାରଟି ୧୦ ଫୁଟ୍ ତଳକୁ ଖସି ପଡ଼ିଥିଲା । ମେଡିକାଲରୁ ନବଜାତ ଶିଶୁ କନ୍ୟାକୁ ନେଇ ଘରକୁ ଫେରୁଥିବା ସମୟରେ ଚଳନ୍ତା କାର ମଧ୍ୟରେ ଶାଶୁ ବୋହୂଙ୍କ କଳି ପାଇଁ କାରଟି ୧୦ ଫୁଟ୍ ଖାଲକୁ ଖସିଯାଇଥିଲା । କିନ୍ତୁ ସୌଭାଗ୍ୟବଶତଃ କାହାରି କୌଣସି କ୍ଷତି ହୋଇନାହିଁ । ଆଜି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଥାନା ଫକିରପୁର ବାଲୁଙ୍କେଶ୍ୱର ଛକ ନିକଟରେ ।

ସୂଚନା ଅନୁସାରେ ଦୁଡୁଗାଁର ଏକ ପରିବାର ଆନନ୍ଦପୁର ଡାକ୍ତରଖାନାରେ ଦୁଇ ଦିନ ତଳେ ଜନ୍ମିତ ଶିଶୁ କନ୍ୟାକୁ ନେଇ ଘରକୁ ଫେରୁଥିଲେ । କିନ୍ତୁ ହଠାତ୍ ବାଲୁଙ୍କେଶ୍ୱର ଛକ ନିକଟରେ ସାମ୍ନାରେ ଯାଉଥିବା ଏକ ଟାଟା ଏସିଇକୁ ପଛପଟୁ ଧକ୍କା ଦେବାରୁ କାରଟି ରାସ୍ତା ତଳେ ପାଣି ଭିତରେ ପଶିଯାଇଥିଲା । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା  ହେଉଛି କାର୍ ଭିତରେ ଶାଶୁ ବୋହୂଙ୍କ କଳି ଯୋଗୁ ଗାଡ଼ି ଚଳାଉଥିବା ସ୍ୱାମୀ ମାନସିକ ଭାରସ୍ୟାମ ହରାଇ ଦୁର୍ଘଟଣା କରିଥିବା ଅନୁମାନ କରାଯାଉଛି । ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକ କାରରୁ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।