ଅସୁରକ୍ଷିତ ଭୁବନେଶ୍ବର: ଭରତପୁର ପରେ ଖଣ୍ଡଗିରିରେ ଯୁବତୀଙ୍କ ଦୁର୍ବ୍ୟବହାର

ଭୁବନେଶ୍ବର: ଦିନକୁ ଦିନ ଅସୁରକ୍ଷିତ ହୋଇ ଯାଉଛି ଭୁବନେଶ୍ବର । ଆଇନଶୃଙ୍ଖଳା ସ୍ଥିତି ଭୁଶୁଡ଼ି ପଡ଼ିବାକୁ ବସିଛି । କେଉଁଠି ଲୁଟ ତ କେଉଁଠି ରକ୍ତାକ୍ତ ଆକ୍ରମଣର ଶିକାର ହେଉଛନ୍ତି ଲୋକେ । ଭାଇଗିରି ଦେଖାଇବା, ଖଣ୍ଡା, ଭୁଜାଲି ବୁଲିବା ରାଜଧାନୀରେ ଯେମିତି ସାଧାରଣ ଘଟଣା ପାଲଟି ଯାଇଛି । ଏପରିକି ଥାନା ଭିତରେ ବି ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ନିଜେ ପୋଲିସ ଥାନାକୁ ଆସୁଥିବା ଲୋକଙ୍କୁ ନିର୍ଯାତନା ଦେବାକୁ ପଛାଉନାହିଁ ।

ଭରତପୁର ଆଦର୍ଶ ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦିଆଯିବା ଘଟଣାକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି । ରାଜ୍ୟ ପୋଲିସକୁ ଥୁ ଥୁ କରୁଛନ୍ତି ଲୋକେ । ବିରୋଧୀ ଦଳ ଓ ବିଭିନ୍ନ ସଙ୍ଗଠନର ଟାର୍ଗେଟରେ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ । ଏହାରି ଭିତରେ ଭରତପୁର ପରେ ଖଣ୍ଡଗିରିରେ ମଧ୍ୟ ଅପରାଧୀଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି ।

ଜଣେ ଯୁବତୀଙ୍କୁ ଉଦୟଗିରି ପାହାଡ଼ ଉପରେ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ଦୁର୍ବ୍ୟବହାର ପରେ ସୋସିଆଲ ମିଡିଆରେ ଘଟଣାର ଭିଡିଓ ଭାଇରାଲ କରିଛନ୍ତି । ବୀଭତ୍ସକାଣ୍ଡ ନେଇ କମିଶନର ଓ ଡିସିପିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ପୀଡିତା । ଉଦୟଗିରି ଭଳି ଏକ ପର୍ଯ୍ୟଟନ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ଥିବା ବେଳେ ଦୁର୍ବୃତ୍ତମାନେ କେମିତି ଏତେ ବଡ଼ କାଣ୍ଡ ଭିଆଇଲେ ଓ ପୋଲିସ କ’ଣ କରୁଥିଲା ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ଯଦି ଉଦୟଗିରି ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ଝିଅବୋହୁ ସୁରକ୍ଷିତ ନୁହଁନ୍ତି ତେବେ କେଉଁଠି ସୁରକ୍ଷିତ ବୋଲି ପ୍ରଶ୍ନ ଉଠିବାରେ ଲାଗିଛି । ପର୍ଯ୍ୟଟନ ସ୍ଥଳରେ ସୁରକ୍ଷା ବଢାଇବାକୁ ଦାବି କରାଯାଇଛି ।