ରୋହିତଙ୍କ ଗୋଟିଏ ପରାମର୍ଶ, ବଦଳାଇ ଦେଲା କେ.ଏଲ. ରାହୁଲଙ୍କ କ୍ୟାରିୟର

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲରେ କେ.ଏଲ. ରାହୁଲଙ୍କ ଧୂଆଁଧାର ବ୍ୟାଟିଂ ତ ଭୁଲି ନଥିବେ । ଆଉ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ପରାଜିତ ହୋଇଥିଲେ ବି ରାହୁଲଙ୍କ ଶତକୀୟ ପାରି ମନେ ପଡୁଛି କି ? ଏବେ ଭାରତୀୟ କ୍ରିକେଟରେ ସବୁଠାରୁ ଭରଷାଯୋଗ୍ୟ ଓ୍ବିକେଟ କିପର ବ୍ୟାଟର ଯଦି କେହି ଅଛନ୍ତି ତେବେ ସେ ହେଉଛନ୍ତି କେ.ଏଲ. ରାହୁଲ । ହେଲେ, ଟିମ୍ ଇଣ୍ଡିଆରୁ ବାହାର ହେବାର ସ୍ଥିତିରେ ପହଞ୍ଚି ଯାଇଥିବା ରାହୁଲଙ୍କ ହଠାତ ଏହି ପରିବର୍ତ୍ତନ ପଛର କାରଣ କ’ଣ ଜାଣିଛନ୍ତି କି ? ଆଜ୍ଞା ହଁ, ରାହୁଲଙ୍କ କ୍ୟାରିୟରକୁ ନୂଆ ମୋଡ଼ ଦେବା ପଛରେ ଅଛି ପୂର୍ବତନ ଭାରତୀୟ ଅଧିନାୟକ ତଥା ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ହାତ । ଯାହାର ଖୁଲାସା ପୂର୍ବ ସହାୟକ କୋଚ ଅଭିଶେଷ ନାୟର କରିଛନ୍ତି ।

ନାୟରଙ୍କ ଅନୁସାରେ, ରୋହିତଙ୍କ ଗୋଟିଏ ପରାମର୍ଶ ରାହୁଲଙ୍କୁ ଅଧିକ ଆକ୍ରମଣାତ୍ମକ ଖେଳିବାକୁ ସାହାଯ୍ୟ କରିଥିଲା । ଆଉ ରାହୁଲଙ୍କୁ ଏହି ଭୂମିକାକୁ ଆଣିବା ଦାୟିତ୍ବ ରୋହିତ ମୋତେ ଦେଇଥିଲେ ।

ନାୟର କହିଛନ୍ତି, ଯେତେବେଳେ ମୁଁ କୋଚିଂ ଦାୟିତ୍ବ ନେଲି ସେତେବେଳେ ରୋହିତଙ୍କ ସହ ମୋର ଆଲୋଚନା ହୋଇଥିଲା । ଏହି ସମୟରେ କେ.ଏଲ. ରାହୁଲଙ୍କ ଉପରେ କାମ କରିବାକୁ ସେ ମୋତେ କହିଥିଲେ । ତାଙ୍କ ଖେଳକୁ ଅଧିକ ଆକ୍ରମଣାତ୍ମକ କରିବାକୁ ପଡ଼ିବ ଓ ଏହା ମୋତେ କରିବାକୁ ପଡ଼ିବ ବୋଲି ରୋହିତ କହିଥିଲେ । ଏପରି ହେଲେ ରାହୁଲଙ୍କ ପାଖରୁ ସର୍ବଶେଷ୍ଠ ପ୍ରଦର୍ଶନ ବାହାର କରାଯାଇ ପାରିବ ବୋଲି ରୋହିତ ଚିନ୍ତା କରୁଥିଲେ । ଏପରିକି ଚାମ୍ପିୟନ୍ସ ଟ୍ରଫି, ଓ୍ବାର୍ଲ୍ଡ କପ, ବର୍ଡର ଗାଭାସ୍କର ଟ୍ରଫି ଓ ଇଂଲଣ୍ଡ ଟେଷ୍ଟ ପରି ଟୁର୍ଣ୍ଣାମେଣ୍ଟରେ ରାହୁଲ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇ ପାରିବେ ବୋଲି ରୋହିତଙ୍କର ବିଶ୍ବାସ ଥିଲା ।

ଏହାପରେ ରାହୁଲଙ୍କ ଉପରେ କାମ କରିବା ଆରମ୍ଭ କରି ଦେଇଥିଲି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ତାଙ୍କ କ୍ୟାରିୟରର ଭବିଷ୍ୟତ ଲେଖିବ ବୋଲି ବୋଲି ରାହୁଲ ବି ଜାଣି ସାରିଥିଲେ । ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଫ୍ଲପ୍ ହେବା ପରେ ତାଙ୍କୁ ଆଗାମୀ ଦୁଇଟି ମ୍ୟାଚରେ ସୁଯୋଗ ମିଳି ନଥିଲା । ଯାହାକୁ ନେଇ ସେ ଚାପରେ ଥିଲେ । ଏହି ସମୟରେ ତାଙ୍କ ସହ ଘଣ୍ଟା ଘଣ୍ଟା କଥା ହୋଇଥିଲି ବୋଲି ନାୟର କହିଛନ୍ତି । ଏହି ସମୟରେ ରଣନୀତିରେ ପରିବର୍ତ୍ତନ କରିବାକୁ ପଡ଼ିବ ବୋଲି ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲି ।

ନାୟର କହିଛନ୍ତି, ଏପର୍ଯ୍ୟନ୍ତ ସେ କ’ଣ କରିଛନ୍ତି ଓ କ’ଣ ତାଙ୍କୁ ସଫଳତା ଦେଇଛି ଏ ସମ୍ପର୍କରେ ରହୁଲ ମୋତେ କହିଥିଲେ । ମୋ ଚିନ୍ତାଧାରା ତାଙ୍କଠାରୁ ବହୁତ ଅଲଗା ଥିଲା । ଆମେ ଘଣ୍ଟା ଘଣ୍ଟା ଆଲୋଚନା କରିଥିଲୁ । ଧୀରେ ଧୀରେ ସେ ମୋତେ ଭରଷା କରିବା ଆରମ୍ଭ କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ପ୍ରଦର୍ଶନ ତାଙ୍କ ଆତ୍ମବିଶ୍ବାସକୁ ବଢ଼ାଇ ଦେଇଥିଲା । ସେତେବେଳେ ରାହୁଲ ମୋତେ କହିଥିଲେ ଏବେ କ୍ରିକେଟ ମୋତେ ଗୀତ ପରି ଲାଗିଛୁ ।