ପ୍ୟାରିସ ପାରାଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଲେ ଅବନୀ ଲେଖରା

1 min read

ପ୍ଯାରିସ: ପ୍ୟାରିସ ପାରାଅଲିମ୍ପିକ୍ସରେ ଭାରତର ସ୍ବର୍ଣ୍ଣିମ ଆରମ୍ଭ । ସ୍ୱର୍ଣ୍ଣ ପଦକ ସହ ମେଡାଲ ଖାତା ଖୋଲିଛି ଭାରତ । ଦ୍ବିତୀୟ ଦିନରେ ଭାରତକୁ ମିଳିଛି ଦୁଇଟି ପଦକ। ମହିଳା ସୁଟିଂ ପ୍ରତିଯୋଗିତାରେ ଗୋଟିଏ ସ୍ୱର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ ଜିତିଛି ଭାରତ। ଅବନୀ ଲେଖରା ସ୍ୱର୍ଣ୍ଣ ଜିତି ଥିବାବେଳେ ମୋନା ଅଗ୍ରୱାଲ ବ୍ରୋଞ୍ଜ ବିଜୟୀ ହୋଇଛନ୍ତି।

ମହିଳା ୧୦ ମିଟର ଏୟାର ରାଇଫଲ SH1 ଇଭେଣ୍ଟରେ ଉଭୟ ସୁଟର ପଦକ ହାସଲ କରିଛନ୍ତି । ଟୋକିଓ ପାରାଲିମ୍ପିକ୍ସରେ ଉଭୟ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ଜିତିଥିଲେ ଅବନୀ । ପାରାଲିମ୍ପିକ୍ସରେ ଦୁଇଟି ପଦକ ଜିତିବାରେ ଅବନୀ ହେଉଛନ୍ତି ପ୍ରଥମ ମହିଳା ଆଥଲେଟ। ପିଲାଦିନରେ ସଡ଼କ ଦୁର୍ଘଟଣା ପରେ ଭିନ୍ନକ୍ଷମ ହୋଇ ଯାଇଥିଲେ ଅବନୀ। ପ୍ୟାରିସ ପର୍ଯ୍ୟନ୍ତ ତାଙ୍କର ଏ ଯାତ୍ରା ବେଶ ପ୍ରେରଣାଦାୟକ ।

ଫାଇନାଲରେ ଅବନୀ ୨୪୯.୭ ପଏଣ୍ଟ ହାସଲ କରିଥିଲେ, ଯାହା ପାରାଲିମ୍ପିକ୍ ରେକର୍ଡ ଅଟେ। ଅନ୍ୟପଟେ ବ୍ରୋଞ୍ଜ ପଦକ ବିଜେତା ମୋନା ୨୨୮.୭ ପଏଣ୍ଟ ହାସଲ କରିଥିଲେ। ଟୋକିଓ ପାରାଲିମ୍ପିକ୍ସ (୨୦୨୦) ରେ ସମାନ ଇଭେଣ୍ଟରେ ଅବନୀ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ। ପ୍ୟାରିସରେ ସେ ତାଙ୍କର ଦମଦାର ପ୍ରଦର୍ଶନ ବଳରେ ନିଜର ସ୍ବର୍ଣ୍ଣ ପଦକ ବଜାୟ ରଖିଛନ୍ତି। ଏହି ପ୍ରତିଯୋଗିତାରେ ଦକ୍ଷିଣ କୋରିଆର ଲି ୟୁନ୍ରି ରୌପ୍ୟ ପଦକ ଜିତିଛନ୍ତି। ଟୋକିଓ ପାରାଲିମ୍ପିକ୍ସରେ ୫୦ ମିଟର ରାଇଫଲ ୩ ପୋପଜିସନରେ ଅବନୀ ବ୍ରୋଞ୍ଜ ପଦକ ଜିତିଥିଲେ। ପାରାଲିମ୍ପିକ୍ସରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିବା ଅବାନୀ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଆଥଲେଟ୍।