ଏହି ଗାଁରେ କାଦୁଅରେ ନାଚି ବରଯାତ୍ରୀଙ୍କୁ କରାଯାଏ ସ୍ବାଗତ, ଜାଣନ୍ତୁ କେଉଁଠି ?

ରାୟପୁର: ଭାରତରେ ବିବାହର ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ  । ଅଲଗା ଅଲଗା ଧର୍ମ ଓ ସମୁଦାୟରେ ବିବାହର ପରମ୍ପରା ଭିନ୍ନ ହୋଇଥାଏ  । କେଉଁଠି ନାଚଗୀତ ସହ ଧୂମଧାମରେ ବାହାଘର ହୁଏ ତ ପୁଣି କେଉଁଠି ଅତି ସାଧାରଣ ଭାବେ ବିବାହ ସମ୍ପର୍ନ୍ନ ହୋଇଥାଏ  । ଆଜି ଆମେ ଆପଣଙ୍କୁ ଏମିତି ପରମ୍ପରାର ବିବାହ ବିଷୟରେ କହିବୁ ଯାହା ଆପଣ ବିଶ୍ବାସ କରି ପାରିବେ ନାହିଁ  ।

 

ଛତିଶଗଡର ଅମ୍ବିକାପୁର ନିକଟ ମୈନପାଟରେ ମାଝୀ ସମ୍ପ୍ରଦାୟ ବିବାହ ସମୟରେ ବରଯାତ୍ରୀଙ୍କୁ ନିଆରା ଅନ୍ଦାଜରେ ସ୍ବାଗତ କରିଥାନ୍ତି  । କନିଆଁ ଘରେ ଯେତେବେଳେ ବରଯାତ୍ରୀ ପହଞ୍ଚନ୍ତି ସେତେବେଳେ କନ୍ୟାପକ୍ଷ କାଦୁଅରେ ନାଚି ସେମାନଙ୍କ ସ୍ବାଗତ କରିଥାନ୍ତି  । ଥକିପଡିବା ପର୍ଯ୍ୟନ୍ତ ସେମାନେ କାଦୁଅରେ ଗଡି ବରଯାତ୍ରୀଙ୍କ ମନୋରଞ୍ଜନ କରିଥାନ୍ତି  । ଶେଷରେ ଯିଏ ଜିତିଯାଏ ତାଙ୍କୁ ସର୍ବପ୍ରଥମେ ବରଯାତ୍ରୀଙ୍କ ସ୍ବାଗତ କରିବାକୁ ସୁଯୋଗ ମିଳେ  ।

 

ଯେତେବେଳେ ବରଯାତ୍ରୀ କନିଆଁ ଘର ନିକଟରେ ପହଞ୍ଚନ୍ତି ସେତେବେଳେ କନ୍ୟାପକ୍ଷ କାଦୁଅରେ ନାଚିବା ଆରମ୍ଭ କରିଦିଅନ୍ତି  । ବ୍ୟାଣ୍ଡ୍‌ ବାଜା ବଜାଇ ପଶୁଙ୍କ ଭଳି ସେମାନେ ବେଶଭୂଷା ଧାରଣ କରନ୍ତି  । କିଏ ମାଙ୍କଡ ସାଜେ ତ ପୁଣି କିଏ ପଶୁ ମାନଙ୍କ ସ୍ବରରେ ଡାକିଥାନ୍ତି  । ଏହି ପରମ୍ପରା ପୀଢି ଧରି ଚାଲି ଆସୁଥିବା କୁହନ୍ତି ମାଝୀ ସମ୍ପ୍ରଦାୟ  । ପରମ୍ପରା ଦେଖିବାକୁ କନ୍ୟା ଘର ନିକଟରେ ଅନ୍ୟ ସମାଜର ଲୋକେ ଭିଡ ଜମାଇଥାନ୍ତି  ।