ଟ୍ରେନ୍ ଦୁର୍ଘଟଣାରେ ଏଯାଏ ୧୪ ଜଣଙ୍କର ମୃତ୍ୟୁ ହୋଇଛି ସେଥିରୁ ୧୧ଜଣଙ୍କର ପରିଚୟ ମିଳିଛି

ବିଜୟନଗରମ୍ : ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲାର କଣ୍ଟାକାପଲ୍ଲୀ ଏବଂ ଆଲାମଣ୍ଡା ଷ୍ଟେସନ ମଧ୍ୟରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ୧୪ ମୃତକଙ୍କ ମଧ୍ୟରେ ୩ ଜଣ ରେଳ କର୍ମଚାରୀ ଅଛନ୍ତି । ମୃତକଙ୍କ ମଧ୍ୟରୁ ଏଯାଏ ୧୧ ଜଣଙ୍କର ମିଳିଛି ପରିଚୟ । ସେହପରି ଅନ୍ୟ ୩ ଯାତ୍ରୀଙ୍କର ଏଯାଏଁ ମିଳିନି ପରିଚୟ । ମୃତକଙ୍କ ମଧ୍ୟରେ ଓଡ଼ିଶାରୁ କେହି ନଥିବା ଜଣାପଡିଛି । ଡାକ୍ତରଖାନାରେ ୨୯ ଜଣଙ୍କର ଚାଲିଛି ଚିକିତ୍ସା । ମୃତକ ୧୧ ଜଣ ହେଉଛନ୍ତି ବିଜୟନଗରମର କାଞ୍ଚୁ ବାରକି, ଶ୍ରୀକାକୁଲମର ଗିଡିଜଳ ଲକ୍ଷ୍ମୀ, ବିଜୟନଗରମର କରନମ ଆପଲାନାଇଡୁ, ବିଜୟନଗରମର ଚାଲା ସତୀଶଙ୍କ ମୃତ୍ୟୁ ହୋଇଛି । ସେହିପରି ଲୋକୋ ପାଇଲଟ ଏସ.ଏମ.ଏସ ରାଓ, ଗ୍ୟାଙ୍ଗ ମ୍ୟାନ ଚିନ୍ତଲା କ୍ରିଷ୍ଣମନାଇଡୁ, ବିଜୟନଗରମର ପିଲା ନାଗରାଜୁ, ପାସେଞ୍ଜର ଗାର୍ଡ ଏମ. ଶ୍ରୀନିବାସ, ଶ୍ରୀକାକୁଲମର ଟେଙ୍କଲା ସୁଗୁନାମା, ଚେରୁପାଲ୍ଲୀର ରେଡ୍ଡି ସିତମ ନାଇଡୁ ଓ ବିଜୟନଗରମର ମାଜି ରାମୁଙ୍କ ମୃତ୍ୟୁ ହୋଇଛି ।ଅନ୍ୟପଟେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଉଦ୍ଧାର କାର୍ଯ୍ୟ । ରେଳଧାରଣାରୁ ହଟାଯାଉଛି ଦୁର୍ଘଟଣାଗ୍ରସ୍ତ ବଗି ।

ଏନେଇ ବିଜୟନଗରମ୍ ଯୁଗ୍ମ ଜିଲ୍ଲାପାଳ କେ. ମୟୂର ଅଶୋକ ସୂଚନା ଦେଇଛନ୍ତି । ସିନାଲ ଓଭରସୁଟରୁ ଦୁର୍ଘଟଣା ଘଟିଥିବା ସିପିଆରଓ ସୂଚନା ଦେଇଛନ୍ତି । ଟ୍ରେନ୍ ଦୁର୍ଘଟଣା ପରେ ୪୫ଟି ଟ୍ରେନ୍ ବାତିଲ ହୋଇଛି । ୨୬ଟି ଟ୍ରେନର ରୁଟ୍ ପରିବର୍ତ୍ତନ ହୋଇଥିବା ବେଳେ, ୧୧ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି । ଷ୍ଟେସନରେ ଅଟକି ରହିଥିବା ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ କିମ୍ବା ବସ ବ୍ୟବସ୍ଥା କରାଯାଉଛି ବୋଲି ପୂର୍ବତଟ ରେଳ ବାଇ ସିପିଆରଓ ସୂଚନା ଦେଇଛନ୍ତି । ବିଶାଖାପାଟନା ପଲାସା ପାସେଞ୍ଜର ଟ୍ରେନର ୧୧ଟି କୋଚକୁ ପରବର୍ତ୍ତୀ ଷ୍ଟେସନ ଆଲମଣ୍ଡା ଷ୍ଟେସନକୁ ନିଆଯାଇଛି । ସେହିପରି ବିଶାଖାପାଟଣା ରାୟଗଡା ପାସେଞ୍ଜର ଟ୍ରେନର ୯ଟି ବଗିକୁ ପୂର୍ବ ଷ୍ଟେସନ କଣ୍ଟକପାଲିକୁ ଅଣାଯାଇଛି ।