ନନ୍ଦିଘୋଷ ବ୍ୟୁରୋ: ଆଜିଠାରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି । ପଞ୍ଜାବର ନ୍ୟୁ ଚଣ୍ଡୀଗଡ଼ର ମହାରାଜା ଯାଦବୀନ୍ଦ୍ର ସିଂ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଏକ ଆନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍ ଆୟୋଜନ କରାଯାଇଛି । ଏହି ମ୍ୟାଚ୍ରେ ବାମହାତୀ ସ୍ପିନର ମାନବ ସୁଥାର ଭାରତ ପାଇଁ ନିଜର ପ୍ରଥମ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି । ବିଗତ ୧୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଭାରତ ନିଜ ମାଟିରେ ରବିଚନ୍ଦ୍ରନ ଅଶ୍ୱିନ କିମ୍ବା ରବୀନ୍ଦ୍ର ଜାଡେଜାଙ୍କ ବିନା କୌଣସି ଟେଷ୍ଟ ମ୍ୟାଚ୍ ଖେଳିବାକୁ ପଡ଼ିଆକୁ ଓହ୍ଲାଇଛି ।
ଭାରତ ଦଳରେ ଅଛନ୍ତି, ଯଶସ୍ୱୀ ଜୈସୱାଲ, କେ.ଏଲ୍. ରାହୁଲ, ସାଇ ସୁଦର୍ଶନ, ଅଧିନାୟକ ଶୁବମନ ଗିଲ୍, ୱିକେଟ କିପର ଋଷଭ ପନ୍ତ, ଧ୍ରୁବ ଜୁରେଲ, ୱାଶିଂଟନ ସୁନ୍ଦର, ମାନବ ସୁଥାର, କୁଲଦୀପ ଯାଦବ, ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କ୍ରିଷ୍ଣା ।
ଆଫଗାନିସ୍ତାନ ଦଳରେ ଅଛନ୍ତି, ସେଦିକୁଲ୍ଲା ଅଟଲ୍, ରହମାନୁଲ୍ଲା ଗୁରବାଜ, ଅବଦୁଲ ମଲିକ, ରହମତ ଶାହ, ଅଧିନାୟକ ହସମତୁଲ୍ଲା ଶାହିଦି, ଆଫସର ଜାଜାଇ, ଅଜମତୁଲ୍ଲା ଓମାରଜାଇ, ସରାଫୁଦ୍ଦିନ ଅଶରଫ, ନାଙ୍ଗେୟାଲିଆ ଖାରୋଟେ, ଜିଆଉର ରହମାନ ଏବଂ ମହମ୍ମଦ ସଲିମ ।
ଖେଳର ସ୍ଥିତି ବିଷୟରେ କହିବାକୁ ଗଲେ, ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମ ଦିନର ଦ୍ବିତୀୟ ସେସନ୍ ସୁଦ୍ଧା ୧୫୦ ରନ କରି ଯଶସ୍ବୀ ଜୈସୱାଲଙ୍କ ୱିକେଟ ହରାଇଛି । ବର୍ତ୍ତମାନ ଉଭୟ କେ.ଏଲ୍ ରାହୁଲ ଓ ସାଇ ସୁଦର୍ଶନ ଅର୍ଦ୍ଧଶତକୀୟ ପାଳି ଖେଳି ପଡ଼ିଆରେ ଉପସ୍ଥିତ ଅଛନ୍ତି । ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ସଲିମ ଏକମାତ୍ର ୱିକେଟ ହାସଲ କରିଛନ୍ତି ।
ତେବେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏହା ଦ୍ବିତୀୟ ଟେଷ୍ଟ ମ୍ୟାଚ। ଏହାପୂର୍ବରୁ ପ୍ରଥମ ଟେଷ୍ଟ ୨୦୧୮ରେ ବେଙ୍ଗାଲୁରୁରେ ଖେଳାଯାଇଥିଲା, ଯେଉଁଥିରେ ମାତ୍ର ଦୁଇଦିନରେ ଆଫଗାନିସ୍ତାନ ଇନିଂସ ପରାଜୟ ବରଣ କରିଥିଲା ।

