ରାଜଧାନୀ ଗୋଠପାଟଣା-ଦାସପୁରରେ ପ୍ରତିଷ୍ଠା ହେବ ନୂଆ ସହର, ୮୨୧ ଏକର ଜାଗାରେ ହେବ ନିର୍ମାଣ କାର୍ଯ୍ୟ

1 min read

ଭୁବନେଶ୍ୱର: ଭୁବନେଶ୍ୱର ଗୋଠପାଟଣା- ଦାସପୁରରେ ସୃଷ୍ଟି ହେବ ନିୟୁ ସିଟି । କେନ୍ଦ୍ର ସରକାର ଙ୍କ ଅନୁମୋଦନ ପରେ ଏଠାରେ କାର୍ଯ୍ୟ ଆରମ୍ଭ କରାଯିବ। ରାଜ୍ୟ ସରକାର ଏନେଇ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି । ସର୍ବଭାରତୀୟ ସ୍ତରରେ ନୂଆ ସହର ଗଢି ତୋଳିବା ରେସରେ ବିଡିଏ ଆଗରେ ଅଛି । ୮୨୧ ଏକର ଜାଗାରେ ନିର୍ମାଣ ହେବ ନୂଆ ସହର । ଦେଢ଼ରୁ ଦୁଇ ଲକ୍ଷ ଲୋକଙ୍କ ରହଣି ପାଇଁ ହେବ ବ୍ୟବସ୍ଥା । ଅତ୍ୟାଧୁନିକ ସୁବିଧା ସହ ୧୫ ମହଲା ଆପାର୍ଟମେଣ୍ଟ ନିର୍ମାଣ ହେବ । ଆପାର୍ଟମେଣ୍ଟ ନିକଟରେ ଅତ୍ୟାଧୁନିକ ସୁବିଧା ସୁଯୋଗ ସହ ପାର୍କ, ଜିମ୍‌, ମାର୍କେଟ କମ୍ପ୍ଲେକ୍ସ, ହସ୍ପିଟାଲ, ସ୍କୁଲ, ସିନେମା ହଲ, ସପିଂ ମଲ, ସୁଇମିଂ ପୁଲ, ଖେଳ ପଡ଼ିଆ ଆଦି ନିର୍ମାଣ ହେବ । ଏହା ବ୍ୟତୀତ ରାଜଧାନୀରେ ନୂଆ ୫୦୦ ଏକର ଜାଗା ବିଡିଏ ଲୋକଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ହାଉସିଂ ପ୍ରୋଜେକ୍ଟ ଆଣିବାକୁ ଯୋଜନା ରଖିଛି । ବିଡିଏ ଦ୍ଵାରା ନିର୍ମିତ ବରମୁଣ୍ଡା ଆନ୍ତର୍ଜାତୀୟ ବସ୍ ଷ୍ଟାଣ୍ଡ ଆସନ୍ତା ୨ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ।

ଜଟଣୀରେ ଗୃହପାଳିତ ପଶୁଙ୍କ ପାଇଁ ଏକ ସେଣ୍ଟର କରାଯିବ। ସେହିପରି ଭଗବାନପୁରରେ ହୋଲସେଲ ନୂଆ ପରିବା ହାଟ, ଭୁବନେଶ୍ୱରରେ ୧୦ଟି ନୂଆ ପାର୍କ, ୨୦ଟି ଖେଳପଡ଼ିଆ, ଦୟା ସଫେଇ ପାଇଁ ୭ଟି ନୂଆ ଟ୍ରିଟମେଣ୍ଟ ପ୍ଲାଣ୍ଟ, ୩ ନିର୍ବାଚନ ମଣ୍ଡଳୀର ୩ଟି ଶ୍ମଶାନ, ଟ୍ରକ ଟର୍ମିନାଲ, ବିଡିଏ ଷ୍ଟାଫଙ୍କ ପାଇଁ ନୂଆ ଘର ଭଳି ଉନ୍ନୟନ ମୂଳକ କାର୍ଯ୍ୟ ଖୁବଶୀଘ୍ର ଶେଷ କରିବାକୁ ଯୋଜନା କରିଛି ବିଡିଏ । ଓଡ଼ିଶାର ସହରାଞ୍ଚଳରେ ରୂପାନ୍ତରଣର ନିରନ୍ତର ଯାତ୍ରା ଏବଂ 5T ଶାସନ ନୀତି ଅନୁଯାୟୀ ବିଡିଏ ବିଗତ ବର୍ଷମାନଙ୍କରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି । ଜୟଦେବ ଭବନରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କର ୪୧ ତମ ପ୍ରତିଷ୍ଠା ଦିବସ ତଥା ସ୍ୱନକ୍ଷତ୍ର ଅବସରରେ ଏହି ଯୋଜନା ସମ୍ପର୍କରେ ଆଲୋଚନା ହୋଇଛି ।