ବିଧବାଙ୍କ ଚିଠିରୁ ବାର୍ଧକ୍ୟ ଭତ୍ତା ଯାଏଁ
1 min readମୋର ଜନ୍ମ ନବେ ଦଶକର ପ୍ରାରମ୍ଭରେ । ଯେବେଠୁ ହେତୁ ପାଇଛି ନବୀନଙ୍କୁ ଦେଖିଆସିଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚୌକିରେ । ଅନବରତ, ନିରନ୍ତର, ବାରମ୍ବାର । ଲଗାତର ୫ ଥର ସେ ଜିତି ଆସିଛନ୍ତି ଓଡ଼ିଶାବାସୀଙ୍କ ଭରଷା, ବିଶ୍ବାସ ଓ ଭଲପାଇବା । ଗଣତନ୍ତ୍ରର କଷଟି ପଥରରେ ବାରମ୍ବାର ତଉଲି ହୋଇ ସେ ସୁନା ପରି ଚକ୍ଚକ୍ କରିଛନ୍ତି । ନିଷ୍କଳଙ୍କ ଚେହେରା, ନିର୍ବିବାଦୀୟ ବ୍ୟକ୍ତିତ୍ବ । ଭୋଟ୍ ରାଜନୀତିର ସାପ ସିଡ଼ି ଖେଳରେ କେବେ ସେ ବି ପଡ଼ିନାହାନ୍ତି ସାପ ମୁହଁରେ । ସବୁବେଳେ କ୍ଷମତାର ଅଳିନ୍ଦରେ ତାଙ୍କ ଭାଗ୍ୟ ବୁଲୁଛି ସିନା, କେବେ ନିଳୟ ଦେଖିନି ତାଙ୍କ ରାଜନୀତିକ କ୍ୟାରିୟର ।
ପ୍ରବାଦପୁରୁଷ ବାପା ବିଜୁ ବାବୁଙ୍କ ଦେହାନ୍ତ ପରେ ଅପ୍ରତ୍ୟାଶିତ ଭାବେ ଓଡ଼ିଶା ରାଜନୀତିକୁ ପଶନ୍ତି ନବୀନ । ବିଜୁ ଅନୁଗତଙ୍କ ଲଗାତର ଅନୁରୋଧ ପରେ ଓଡ଼ିଶାକୁ କର୍ମଭୂମୀ କରିବାର ବୀଜ ଅଙ୍କୁରୋଦଗମ ହୁଏ ନବୀନଙ୍କ ମନରେ । ସେ ଯାଏଁ ରାଜନୀତିର ପ୍ରାଥମିକ ସ୍କୁଲ ମାଡ଼ି ନଥିବା ନବୀନ, ଏବେ ପାଲଟିଛନ୍ତି ଧୂରୀଣ ରାଜନେତା, କୋଟି ହୃଦୟର ସମ୍ରାଟ। ତାଙ୍କ ସମତୁଲ ନେତା ଏଯାଏଁ ଆସିନାହାନ୍ତି ଓଡ଼ିଶା ରାଜନୀତିକୁ ।
ମୁଁ ରାଜନୀତି କଣ ବୁଝିବା ଓ ବୁଝେଇବା ବେଳଠୁ ଆପଣ ଅଛନ୍ତି ଶୀର୍ଷନାୟକ । ହେତୁ ପରଠୁ ଏଯାଏଁ ଆଉ କାହାକୁ ବି ମୁଖ୍ୟମନ୍ତ୍ରୀ ଆସନରେ ଦେଖିନି। ୨୦୦୩ ମସିହା । ନବୀନଙ୍କ ପ୍ରଥମ ପାଳି ଚାଲିଥାଏ। ମୋ ଗାଁ ପାଣିକୋଇଲିର କଥା । ଭତ୍ତା ଦି’ ଟା, ଇନ୍ଦିରା ଆବାସ ଖଣ୍ଡେ ଓ ପେଟକୁ ଚାଉଳ ମୁଠେ ପାଇବା ପାଇଁ ଏ ଅଫିସରୁ ସେ ଅଫିସ ଦୌଡୁଥାଏ ଆମ ସେପଟ ସାହିର ଜଣେ ବିଧବା ମାଆ ନାଭା ବଣିଆ । ଓ୍ବାର୍ଡମେମ୍ବରଠୁ ଆରମ୍ଭ କରି ସରପଞ୍ଚ, କେତେ କାହାକୁ ଗୁହାରୀ କରିବ ! କହି କହି ପାଟି ଥେଇଆ ହୋଇଯାଇଥାଏ, ଚପଲ ଘୋରି ହୋଇଗଲାଣି । ପୂର୍ବର କଂଗ୍ରେସ ସରକାରରେ ତାଳୁରୁ ତଳିପା ଯାଏଁ ଦୁର୍ନୀତିରେ ବୁଡ଼ି ରହିଥିବା ସରକାରୀ ବାବୁ କଥା କଥାକେ ଲାଞ୍ଚ ମାଗୁଥାନ୍ତି । ଆମ ଘରେ ଆସି ତା ଦୁଃଖର କାହାଣୀ ନଇତି କୁହେ ନାଭା । ଥରେ ମୋ ଜେଜେବାପା କହିଲେ, ‘ ଆରେ ନାଭା, ଆସିଲୁ ଦେଖିବା ଗୋଟେ ଚିଠି ଲେଖିବା ବିଜୁ ପୁଅ ପାଖକୁ, ଦେଖିବା କଣ ହେଉଛି ‘ । ବିଶ୍ବାସ ଥିଲା କିଛି ହୋଇପାରେ ।
ଲେଖାହେଲା ଚିଠି…’’ମାନନୀୟ ମୁଖ୍ୟମନ୍ତ୍ରୀ…ମୁଁ ବିଧବା ମାଆ ନାଭା ବଣିଆ…..ମୋ ସଂଘର୍ଷ ୪ ବର୍ଷର…….ଇତି’’ । ଆପଣ ବିଶ୍ବାସ କରିବେ କି ନାହିଁ ମୁଁ ଜାଣିନି, ଚିଠି ଯିବାର ଏକ ମାସ ଭିତରେ ଯାଜପୁର ଜିଲ୍ଲାପାଳ, କୋରାଇ ବ୍ଲକ ବିଡ଼ିଓ ଓ ନାଭା ମାଆ ପାଖକୁ ଆସିଲା ସିଧାସଳଖ ଉତ୍ତରର ନକଲ । ନାଭାର ଅସୁବିଧା ସଂପର୍କରେ ଯାଞ୍ଚ କରି ତୁରନ୍ତ ସବୁ ସୁବିଧା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଦେଲା ନିର୍ଦ୍ଦେଶ । ତାପରେ ୨୦ଦିନ ଭିତରେ ୬ମାସର ବକେୟା ଭତ୍ତା ସହ ମିଳିଲା ବିପିଏଲ୍ କାର୍ଡ । ଇନ୍ଦିରା ଆବାସ ଘର ପାଇଁ ବି ମଂଜୁର ହେଲା ଟଙ୍କା । ୨୦୦୩ ମସିହାର ଏ ଘଟଣା ମୋ ମନରେ ଗଭୀର ରେଖାପାତ କରିଥିଲା । ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରତି ସମ୍ମାନ ଆପଣାଛାଏଁ ବଢ଼ିଯାଇଥିଲା ବହୁଗୁଣା । ଜେଜେଙ୍କ ପାଖରୁ ସେତେବେଳେ ତାଙ୍କ ବାପା ବିଜୁବାବୁଙ୍କ ବିଷୟରେ ଶୁଣିଥିଲି । ପରେ ଲାଗିଲା ‘ବାପ୍ ସେ ବେଟା ଯାଦା ହେ’ ।
୧୯୯୯ ମହାବାତ୍ୟାରେ ଉଜୁଡ଼ି ଯାଇଥିବା ଓଡ଼ିଶାକୁ ଦେଖିଛି। ଦେଖିଛି ନବୀନ ଯୁଗରେ ଓଡ଼ିଶାର ନବକଳେବ । ଅର୍ଥନୀତିକୁ ଉଜାଡ଼ି ଦେଇଥିବା କଂଗ୍ରେସ ସରକାରର କଥା ବି ଜେଜେଙ୍କ ପାଖରୁ ଶୁଣିଥିଲି । ଶୁଣିଥିଲି କେମିତି ରାଜ୍ୟ ରାଜକୋଷ ଓଭରଡ୍ରାପ୍ଟ ହୋଇଥିଲା ଓ ସରକାରୀ କର୍ମଚାରୀ ମାସ ମାସ ଧରି ଦରମା ପାଉନଥିଲେ । ତା ଭିତରେ ଥିଲେ ଶିକ୍ଷକତାକୁ ପେସା କରିଥିବା ମୋ ଜେଜେ ଓ ମାଆ । ସେ ସମୟର ଅସୁବିଧା ଓ ଦହଗଞ୍ଜକୁ ମଧ୍ୟ ଖୁବ୍ ପାଖରୁ ଅନୁଭବ କରିଛି । କିନ୍ତୁ ନବୀନ ମୁଖ୍ୟମନ୍ତ୍ରୀ ହେବା ପରେ ଓଡ଼ିଶା କେମିତି ପୁର୍ନଜନ୍ମ ପାଇଗଲା ଭଳି ଲାଗିଲା ।
ଦୁର୍ନୀତିର ଛିଟା ଟୋପାଏ ଲାଗିଲେ ନବୀନ କେମିତି ମନ୍ତ୍ରୀମାନଙ୍କୁ ବରଖାସ୍ତ କରୁଥିଲେ ସେ ସମୟରେ ତାହା ଥିଲା ଚର୍ଚ୍ଚାର ବିଷୟ । ନବୀନଙ୍କ ବଳିଷ୍ଠ ବ୍ୟକ୍ତିତ୍ବ ବିରାଟ ସୌଧରେ ପରିଣତ ହେବାର ଇଟା ବି ସେ ସମୟରୁ ପଡ଼ିବା ଆରମ୍ଭ ହୋଇଥିଲା ।
ପରବର୍ତ୍ତୀ ସମୟରେ ଜନ୍ମରୁ ମୃତ୍ୟୁ ଯାଏଁ ଗୋଟିଏ ପରେ ଗୋଟିଏ ଯୋଜନା ଖଞ୍ଜି ନବୀନ ପାଲଟି ଯାଇଥିଲେ କୋଟି ହୃହୟର ସମ୍ରାଟ । ସେ ଗରିବର ଦାତା, ଅନାଥର ପିତା ଓ ଅସହାୟର ସାହା । ତାଙ୍କ ବୟସ ସହ ସମାନ୍ତରାଳ ଭାବେ ବଢ଼ିଚାଲିଥାଏ ଶାସନର ଅବଧି । ‘କଥା କମ୍ କାମ ବେଶୀ’ରେ ବିଶ୍ବାସ କରୁଥିବା ମଣିଷ ସେତେବେଳେ ମୋତେ ଆହୁରୀ ପ୍ରଭାବିତ କରିଥିଲା । ଓଡ଼ିଶା ରାଜନୀତିରେ ପ୍ରବେଶରୁ ଆଜି ଯାଏଁ ନବୀନ ଚିର ପ୍ରାସଙ୍ଗିକ ହୋଇ ରହିଛନ୍ତି।
ନବୀନଙ୍କ ଶାସନ ପାଳି ସହ ବି ବଢ଼ିଚାଲିଛି ମୋ ବୟସ । ନାବାଳକରୁ ସାବାଳକ । ଅବିବାହିତରୁ ଏବେ ମୁଁ ବିବାହିତ । ୨୦୦୦ ମସିହାରୁ ନବୀନଙ୍କୁ ଦେଖି ଆସିଥିବା ଲୋକଟି ଏବେ ଓଡ଼ିଶାର ଜଣେ ସଚେତନ ନାଗରିକ। ଭଲଲାଗେ ତାଙ୍କ ସରଳ-ସାଧାରଣ ଜୀବନଶୈଳୀ, ନିଷ୍କଳଙ୍କ ଓ ନିର୍ବିବାଦୀୟ ବ୍ୟକ୍ତିତ୍ବ । ତାଙ୍କ ଅହିଂସା ମନୋଭାବ ସବୁବେଳେ ପ୍ରେରଣା ଯୋଗାଏ । ଆଶା ଚିରନ୍ତନ ପ୍ରବାହମାନରେ ଆଗେଇଚାଲୁ ରାଜ୍ୟ ବିକାଶର ଧାରା, ପ୍ରଗତି ଓ ଉନ୍ନତିର ଶୀଖର ଛୁଉଁ ଶସ୍ୟ ଶ୍ୟାମଳା ଓଡ଼ିଶା ।
ହେ’ କୋଟି ଓଡ଼ିଆଙ୍କ ପ୍ରାଣାରବିନ୍ଦ ଆପଣଙ୍କୁ ଜନ୍ମଦିନରେ ଶୁଭାଭିନନ୍ଦନ ।
ଅବିନାଶ ଷଡ଼ଙ୍ଗୀ ')}