ନିଦରେ ଭୁଲ ଖାତାକୁ ୧୯୯୦ କୋଟି ଟଙ୍କା ଛାଡ଼ି କ୍ଲର୍କଙ୍କର ଗଲା ଚାକିରି,ଅଦାଲତ କହିଲେ ଫେରାଅ ଚାକିରି

ନନ୍ଦିଘୋଷ ବ୍ୟୁରୋ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ୧୨ବର୍ଷର ଏକ ପୁରୁଣା ଘଟଣା । ଜର୍ମାନୀର ଏହି ଘଟଣା ସେତେବେଳେ ଚହଳ ସୃଷ୍ଟି କରିଥିଲା । ନିଦ ବାଉଳାରେ ଜଣେ ବ୍ୟାଙ୍କ କର୍ମଚାରୀ ଭୁଲ ଖାତାକୁ ପଠାଇଦେଇଥିଲେ ୨୨୨ମିଲିୟନ ୟୁରୋ ପାଖାପାଖି ୧୯୯୦କୋଟି ଟଙ୍କା । ଆଜ୍ଞା ହଁ ଘଟଣାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ବ୍ୟାଙ୍କ କର୍ମଚାରୀଙ୍କ ଏହି ଭୁଲ ଯୋଗୁ ତାଙ୍କୁ ଚାକିରୀରୁ ବହିଷ୍କାର ମଧ୍ୟ କରିଦିଆଯାଇଥିଲା । କିନ୍ତୁ କୋର୍ଟ ତାଙ୍କୁ ଚାକିରୀ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ସମ୍ପର୍ଣ୍ଣ ଘଟଣା ସମ୍ପର୍କରେ ..

୧୨ବର୍ଷ ପୂର୍ବେ ଘଟିଥିଲା ଘଟଣା :

ଏହି ଘଟଣା ୨୦୧୨ ମସିହାର । ବ୍ୟାଙ୍କର ଜଣେ କ୍ଲର୍କ ବାଉଳାରେ ଭୁଲ ଖାତାକୁ ଏତେ ଟଙ୍କା ପଠାଇଦେଇଥିଲେ । ବାସ୍ତବରେ ବିଜନେସ ଟୁଡେର ଏକ ରିପୋର୍ଟ ମୁତାବିକ ଜର୍ମାନୀର ଏକ ବ୍ୟାଙ୍କରେ କର୍ମଚାରୀ ଜଣକ ଗ୍ରାହକଙ୍କ ଖାତାକୁ ୬୪.୨୦ୟୁରୋ ପଠାଇବାର ଥିଲା କିନ୍ତୁ ସେହି ସମୟରେ କର୍ମଚାରୀଙ୍କୁ ନିଦ ଲାଗିଯାଇଥିବା ବେଳେ ଭୁଲରେ ୬୪ ବଦଳରେ ସହ ୨୨୨ୟୁରୋ ଟାଇପ କରିଦେଇଥିଲେ । ଯାହାପଳରେ କି ଏକସଙ୍ଗରେ ଭୁଲଖାତାକୁ ଏତେ ଟଙ୍କା ଟ୍ରାନ୍ସଫର ହୋଇଯାଇଥିଲା ।

ଚାଲିଗଲା ଚାକିରୀ:

ରିପୋର୍ଟ ମୁତାବିକ ଏହି ଭୁଲକୁ ଅନ୍ୟ ଏକ କର୍ମଚାରୀ ଦ୍ବାରା ସଂଶୋଧନ କରାଯାଇଥିବା ବେଳେ ଅନ୍ୟମନସ୍କତା କାରଣରୁ ଏପରି ଭୁଲ ହୋଇଥିବାରୁ କର୍ମଚାରୀ ଏବଂ ସୁପରଭାଇଜରଙ୍କୁ ଦଣ୍ଡିତ ଆକାରରେ ଚାକିରୀରୁ ବହିଷ୍କୃତ କରାଯାଇଥିଲା । ଯେଉଁଥିପାଇଁ କର୍ମଚାରୀ ଏବଂ ବ୍ୟାଙ୍କ ମଧ୍ୟରେ ଆଇନଗତ ଲଢେଇ ଆରମ୍ଭ ହୋଇଥିଲା ।

କୋର୍ଟଙ୍କ ଫଇସଲା :

ଲମ୍ବା ସମୟ ପର୍ଯ୍ୟନ୍ତ କୋର୍ଟରେ ମାମଲା ଚାଲିଥିବା ବେଳେ କୋର୍ଟ ନିଜର ନିଷ୍ପତ୍ତି ଶୁଣାଇଥିଲେ । ଏହି ଘଟଣାରେ କୋର୍ଟ କର୍ମଚାରୀଙ୍କୁ ନିର୍ଦ୍ଦୋଷ କହିଥିଲେ ଏବଂ ଜାଣିଶୁଣି ବା ଉଦ୍ଦେଶ୍ୟମୂଳକ ଭାବେ ଏହା ହୋଇନଥିବାରୁ ଭୁଲରେ ଏପରି ଘଟଣା ଘଟିଥିବାରୁ ତାଙ୍କୁ ଚାକିରୀ ଫେରାଇଦେବାକୁ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲେ ।

ବହିଷ୍କାର ନୁହେଁ, ଚେତାବନୀ ଦିଅ:

ଏହାସହିତ କୋର୍ଟ ନିର୍ଦ୍ଦେଶ ଦେଇଥିଲେ କି କର୍ମଚାରୀଙ୍କ ଉପରେ କାମପ୍ରେସର ଥିଲା । ସେ ପ୍ରତିଦିନ କୋଟି କୋଟି ଟଙ୍କା ନେଣଦେଣ କରୁଥିଲେ । ତେଣୁ ଭୁଲବଶତଃ ଏହା ହୋଇଯାଇଛି । ସେ ଜାଣିଶୁଣି କରିଥିବାର କୌଣସି ପ୍ରମାଣ ନଥିବାରୁ ତାଙ୍କୁ ଦଣ୍ଡିତ କରାଯାଇପାରିବ ନାହିଁ  । ତେଣୁ ଏହି ମାମଲା ପାଇଁ ତାଙ୍କୁ ବହିଷ୍କାର ନକରାଯାଇ ଚେତାବନୀ ଦେବାର ଥିଲା ।