କରୋନା ଯୋଗୁଁ ଚଳିବାକୁ ପାଖରେ ଟଙ୍କା ନଥିଲା, ସେଥିପାଇଁ ମୋ ଝିଅକୁ ବିକ୍ରି କରିଦେଲି

କୋଲକାତା: କରୋନା କରାଳ ରୂପର ଚିତ୍ର ଏବେ ଆଙ୍କି ହୋଇଛି ସାରା ଦେଶରେ । ଦେଶର ଧଳା ମଚ୍‌ ମଚ୍‌ କାଗଜରେ ଆଙ୍କି ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ କରୁଣ ଚିତ୍ର । କେତେବେଳେ ପାଦରେ ପାଉଣ୍ଡେ ଚାଲିବା ପାଇଁ ବଳ ସରିଯାଇଛି ତ ପୁଣି କେତେବେଳେ ଶହ ଶହ କିଲୋମିଟର ରାସ୍ତା ପାର କରିବା ପାଇଁ ଶକ୍ତି ଯୋଗାଇଛି ୫ ଟଙ୍କିଆ ବିସ୍କୁଟ ପ୍ୟାକେଟ । ଧଳା ଫର୍ଦ୍ଦରେ ଚିତ୍ରିତ ହୋଇଛି ୫ଇଞ୍ଚିରର ପକେଟରେ ୫ଟଙ୍କା ନଥିବା ବ୍ୟକ୍ତିର ଚିତ୍ର । ଆଙ୍କି ହୋଇଛି ମୃତ ମାଆର ପଣତ ସାହାରା ପାଲଟିଥିବା ଅସହାୟ ଅନାଥ ଶିଶୁର ଭାଗ୍ୟ । କେତେବେଳେ ଖୋଲା ଆକାଶ ତଳେ ଫେରନ୍ତାଙ୍କ ଗର୍ଭରୁ କୁଆଁ କୁଆଁ ଡ଼ାକ ସୁଭିଛି ତ ପୁଣି ରାସ୍ତା ଦେଖିଛି ଭିଟାମାଟିରେ ପହଞ୍ଚିବା ପୂର୍ବରୁ ଅଟକି ଯାଇଛି ବ୍ୟସ୍ତ ପାଦ । ଏଭଳି ଅଭାବିର ଅନେକ ଚିତ୍ର କରୋନା କାଳରେ ଆଙ୍କି ହୋଇଛି ।

କରୋନା ଦେଖାଇଛି ଟଙ୍କାର ଅଙ୍କରେ କସି ହେଉଥିବା ଜୀବନକୁ । ଦେଖାଇଛି ଗରିବର ପକେଟରେ ନୋଟ ବଦଳରେ ଥାକ ଥାକ ହୋଇ ସାଇତି ହୋଇଯାଉଥିବା ଅଭାବକୁ । ଏସବୁତ ସେହି କରୋନା ପାଇଁ । ତେବେ ଆଉ ଏକ ଦାରୁଣ ଚିତ୍ର ଯୋଡ଼ି ହୋଇଛି କରୋନା ସହ । ଏଭଳି ପରିସ୍ଥିତିରେ ଆସାମରେ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ବ୍ୟକ୍ତି ୪ ମାସର ଝିଅକୁ ଟଙ୍କା ଅଭାବରୁ ୪୫ ହଜାର ଟଙ୍କାରେ ବିକ୍ରି କରି ଦେଇଛି । ଏହି ଘଟଣା କୋକରାଜ ଜିଲ୍ଲା ଦେଖିବାକୁ ମିଳିଛି । ନିଜ ଝିଅକୁ ବିକ୍ରି କରିଥିବା ବ୍ୟକ୍ତି ଆଉ କେହି ନୁହନ୍ତି । ସେ ବ୍ୟକ୍ତି ଜଣକ ହେଉଛନ୍ତି ଜନ୍ମ କଲା ବାପା । ଯେଉଁ ବାପା ଦିନେ ହାତ ଧରି ଚାଲିବା ସିଖାଇଥିଲା ସେହି ବାପା ଆଜି ବଇରି ସାଜିଲା । ତେବେ ଏହି ଘଟଣାରେ ଲିପ୍ତ ଥିବା ବ୍ୟକ୍ତି ମାନଙ୍କୁ ପୋଲିସ ଗିରଫ କରିଛି । ସ୍ଥାନୀୟ ଏନ୍‌ଜିଓ ଗାଁ ଲୋକଙ୍କ ସହାୟତାରେ ଉଦ୍ଧାର କରିଛି ନାବାଳିକା ଝିଅକୁ ।

ସୂଚନା ଅନୁଯାୟୀ, କରୋନା ପାଇଁ ଲକ୍‌ଡାଉନ କାରଣରୁ ଏହି ବାପା ଜଣକ ବହୁତ ଅସୁବିଧାର ସମ୍ମୁଖିନ ହୋଇଥିଲେ । ଲକ୍‌ଡାଉନରେ ରୋଜଗାରର ସମସ୍ତ ମାଧ୍ୟମ ଚାଲିଯାଇଥିଲା । ଯାହାଫଳରେ ଖୁସିର ଦୂଆରରେ ଅଭାବି ପାଦ ଥାପିଥିଲା । ଆଉ ତାପରେ ଆରମ୍ଭ ହୋଇଥିଲା ପରିବାର ପ୍ରତିପୋଷଣର ପ୍ରହାର । ଏହି ବ୍ୟକ୍ତିଙ୍କ ନାମ ଦୀପକ ବ୍ରହ୍ମା, ଯିଏ ଏକ ପ୍ରବାସୀ ଶ୍ରମିକ । ଦୀପକ ଗୁଜୁରାଟରେ କାମ କରନ୍ତି । କିନ୍ତୁ ଲକଡଡାଉନ ପାଇଁ ତାଙ୍କୁ ଆସାମକୁ ଆସିବାକୁ ପଡ଼ିଥିଲା । ଘରେ ପହଞ୍ଚିବା ପରେ ତାଙ୍କ ପାଖରେ ଟଙ୍କା କିମ୍ବା ଚାକିରୀ ନଥିଲା । ଯାହାଫଳରେ ବେକାରୀ ଏହି ବ୍ୟକ୍ତିଙ୍କୁ ନିଜ ଶିଶୁ କନ୍ୟାକୁ ବିକ୍ରି କରିବାକୁ ବାଧ୍ୟ କରିଥିଲା ।

 

Leave a Reply