ଆଜି ଭୁବନେଶ୍ବରରୁ ଦୁବାଇ ଉଡ଼ିବ ବିମାନ, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଉ ଭାୟା ନୁହେଁ, ଓଡ଼ିଶାରୁ ଡାଇରେକ୍ଟ ବିଦେଶକୁ ଯିବେ ଯାତ୍ରୀ । ଆଜିଠୁ ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ଉଡ଼ିବ ବିମାନ । ବିମାନ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଦିନରେ ରାଜ୍ୟ ସରକାରଙ୍କ ୭୦ ଜଣିଆ ଟିମ ସହ ମୋଟ ୧୭୦ଜଣ ଯାତ୍ରୀ ଯାତ୍ରା କରିବେ ।

ଯାତ୍ରୀମାନଙ୍କ ମଧ୍ୟରେ ମିଶନ ଶକ୍ତି ସଦସ୍ୟା, ଛାତ୍ରଛାତ୍ରୀ ଓ କ୍ରୀଡାବିତଙ୍କ ସମେତ କର୍ମଜୀବୀ ରହିଛନ୍ତି । ଇଣ୍ଡିଗୋ ଏୟାରଲାଇନ୍ସ ୧୮୦ ସିଟ ବିଶିଷ୍ଟ ୩୨୦ ଏୟାରବସ ସପ୍ତାହରେ ତିନି ଦିନ ସୋମବାର, ବୁଧବାର ଓ ଶୁକ୍ରବାର ଦୁବାଇକୁ ସିଧାସଳଖ ସେବା ଯୋଗାଇବ । ଦୁବାଇକୁ ଯିବାଆସିବା ଦର ରହିଛି ୨୦ ହଜାର ଟଙ୍କା ।

ଦୁବାଇ ସହିତ ସିଧାସଳଖ ସଂଯୋଗ, ସବୁଠୁ ବଡ ବିମାନ ଚଳାଚଳ ହବ ମଧ୍ୟରୁ ଅନ୍ୟତମ । ଏହାଦ୍ବାରା ବିଶ୍ବକୁ ସିଧାସଳଖ ଗେଟଓ୍ବେ ଖୋଲିବା ସହ ରାଜ୍ୟରେ ଆଇଟି, ଉତ୍ପାଦନ ଓ ପର୍ଯ୍ୟଟନର ବିକାଶ ଘଟିବ। ଦୁବାଇରେ ମେକ ଇନ ଓଡିଶା କନକ୍ଲେଭରେ ବିମାନ ଚଳାଚଳ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

କେବଳ ଓଡିଶା ପାଇଁ ନୁହେଁ ବିଦେଶରୁ ଓଡ଼ିଶାକୁ ଆସୁଥିବା ଯାତ୍ରୀମଧ୍ୟ ଏହାଦ୍ବାରା ସୁବିଧା ପାଇବେ । ଗତ ଉତ୍କଳ ଦିବସରେ ଏଥିପାଇଁ ଅଗ୍ରୀମ ଟିକେଟ ବୁକିଂ ସେବାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ସେପଟେ ଆସନ୍ତା ମାସ ୩ ତାରିଖରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ।