ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା: ଗୋଟିଏ ଗୋଡ଼ ହରାଇଥିଲେ ବି ହାର ମାନି ନାହାନ୍ତି ମମତା

ଆନନ୍ଦପୁର: ଦିବ୍ୟାଙ୍ଗ ହୋଇ ବି ସକ୍ଷମ । ଦୁର୍ବାର ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା । ସବୁ ପ୍ରତିବନ୍ଧକକୁ ମାତ ଦେଇ ଜୀବନ ଯୁଦ୍ଧରେ ଆଗେଇ ଚାଲିଛନ୍ତି ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ପୁରୁଣା ବାନ୍ଧଗୋଡା ଗାଁର ସଂଘମିତ୍ରା । ସେ ଆଖପାଖ ଅଞ୍ଚଳରେ ମମତା ନାନୀ ଭାବେ ବେଶ ପରିଚିତ । ମମତା ପିଲାବେଳୁ ପୋଲିଓରେ ଆକ୍ରାନ୍ତ ହୋଇ ଗୋଟେ ଗୋଡ ହରାଇ ବସିଛନ୍ତି । ତଥାପି ସେ କେବେ ହାରମାନି ଯାଇନାହାଁନ୍ତି । ପରିବାରର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆଣିବା ନିମନ୍ତେ ସେ ବଡି ତିଆରି କରି ବିକ୍ରି କରୁଛନ୍ତି ।
ମମତା ପ୍ରସ୍ତୁତ କରୁଥିବା ବଡିର ସ୍ଥାନୀୟ ଅଞ୍ଚଳରେ ବେଶ ଚାହିଦା ରହିଛି । ଲୋକ ମାନେ ତାଙ୍କ ଘର ନିକଟକୁ ଯାଇ ବଡି କିଣି ନେଇଯାଉଛନ୍ତି । ଖାଲି ଏତିକି ନୁହେଁ ନଡିଆ କଞ୍ଚିରୁ ଖଇଞ୍ଚି ତିଆରି କରି ବିକ୍ରିବଟା କରୁଛନ୍ତି ମମତା । ନିଜର ଦୃଢ ଇଚ୍ଛାଶକ୍ତି ବଳରେ ନିଜେ ଦିବ୍ୟାଙ୍ଗ ହୋଇ ମଧ୍ୟ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ସ୍ୱାବଲମ୍ବୀ କରିବାକୁ ପ୍ରେରଣା ଯୋଗାଉଛନ୍ତି। ମମତା ଏବେ ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।