ପାହାଡ଼ର ଛାତି ଚିରି କୁଳୁ କୁଳୁ ନାଦ କରି ଝରି ପଡ଼ୁଛି ଝରଣା, ମନକୁ କରୁଛି ଓଦା ସହ ଆନମନା
କେନ୍ଦୁଝର: ଧିରେ ଧିରେ ଧରାକୁ ଛୁଉଁଛି ଶୀତ । ଭ୍ରମର ମନ ଏବେ ଖୋଲା ଆକାଶରେ ଉଡ଼ିବାକୁ ତୟାର ହେଲାଣି । କାରଣ ଥଣ୍ଡା ଆସିଲେ ବାହାରେ ବୁଲିବା ପାଇଁ ମନ ବଳାଏ । ମନ ଖୋଜେ ଭଲ ଭଲ ପିକ୍ନିକ୍ ସ୍ପଟ । ସେହିଭଳି ଏକ ସ୍ପଟ ହେଉଛି ଗୁଣ୍ଡିଚାଘାଇ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଗୁଣ୍ଡିଚାଘାଇ ଜଳ ପ୍ରପାତ । କେନ୍ଦୁଝର ଜିଲ୍ଲାର ଘଟଗାଁ ମା’ ତାରିଣୀ ମନ୍ଦିର ଠାରୁ ମାତ୍ର ୧୨ କିଲୋମିଟର ଦୂରରେ ରହିଛି ଏହି ପର୍ଯ୍ୟଟନସ୍ଥଳୀ ।
ପାହାଡ଼ର ଛାତି ଚିରି ପଥର ଶଯ୍ୟାରେ କୁଳୁ କୁଳୁ ନାଦ କରି ଝରି ଆସୁଥିବା ଝରଣାର ଶୁଭ୍ର ରଙ୍ଗର ଜଳ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଆଉ ଏହା ସାଙ୍ଗକୁ ବଣ ପାହାଡ଼ରେ ଭର୍ତ୍ତି ସବୁଜ ବନାନୀ ପର୍ଯ୍ୟଟକଙ୍କୁ କ୍ଷଣିକ ପାଇଁ ସ୍ତବ୍ଧ କରିଦେଉଛି । ହେଲେ ମହାମାରୀ କରୋନା ଏଠିକାର କୋଳାହଳ ଏବେ ସିଥଳି ଯାଇଛି ।
ବର୍ଷ ତମାମ ମା’ ତାରିଣୀଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଗୁଣ୍ଡିଚାଘାଗିର ମନୋରମ ଦୃଶ୍ୟକୁ ଉପଭୋଗ କରିବା ପାଇଁ ଏଠାକୁ ଆସିଥାନ୍ତି । ମାତ୍ର କରୋନା ପାଇଁ ପର୍ଯ୍ୟଟକଙ୍କ ଆଗମନ କମିଥିବା ବେଳେ ବଣ ଭୋଜିର ଆସର ମଧ୍ୟ କମିଛି । ଫଳରେ ଏହି ସ୍ଥାନ ଉପରେ ନିର୍ଭର କରି ଦୁଇ ପଇସା ରୋଜଗାର କରୁଥିବା ଆଦିବାସୀ ଏବେ ବେରୋଜଗାର ହୋଇଛନ୍ତି ।
ପର୍ଯ୍ୟଟକଙ୍କୁ ଉପଭୋଗ କରିବାର ଖୋରାକ୍ ଯୋଗାଉଥିବା ଏହି ଜଳପ୍ରପାତରେ ଏପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ହୋଇନଥିବା ବେଳେ ଅନେକ ବିକାଶ କାର୍ଯ୍ୟ ବାକି ରହିଛି । ତେବେ ଏହି ପର୍ଯ୍ୟଟନସ୍ଥଳୀ ଅଧିକ ଆକର୍ଷଣୀୟ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସ୍ଥାନୀୟ ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି ।