ପେଶାରେ ସରକାରୀ କର୍ମଚାରୀ, ନିଶା ସାପଙ୍କୁ ସୁରକ୍ଷା ଦେବା

ବଲାଙ୍ଗୀର: ସାପ ନାଁ ଶୁଣିଲେ ସମସ୍ତଙ୍କ ମନରେ ଛନକା ପଶିଥାଏ । ଆଉ ଯଦି ସାପ ଘର ଭିତରକୁ ଚାଲି ଆସେ ତା’ହେଲେ କଥା ସରିଲା । ଅନେକ ସ୍ଥାନରେ ଲୋକେ ସାପକୁ ଦେଖି ଭୟଭିତ ହୋଇଥାନ୍ତି, କେହି କେହି ସାପକୁ ମାରି ଦେଇଥାନ୍ତି । ହେଲେ ସାପଙ୍କ ସୁରକ୍ଷା ପାଇଁ ବଲାଙ୍ଗିର ସହରରେ କିଛି ସ୍ୱେଚ୍ଛାସେବୀ ଆଗେଇ ଆସିଛନ୍ତି । ବିଭିନ୍ନ ପ୍ରଜାତିର ବିଷଧର ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଉଛନ୍ତି । ବଲାଙ୍ଗିରର ସାପ ମଣିଷ ଦେବରାଜ ବାରିକ୍ । ପେଶା ଜଣେ ସରକାରୀ କର୍ମଚାରୀ ।

ହେଲେ ନିଶା ତାଙ୍କର ସାପଙ୍କୁ ସୁରକ୍ଷା ଦେବା । କର୍ମ କ୍ଷେତ୍ରରେ ବ୍ୟସ୍ତତା ମଧ୍ୟରେ ହେଉ କିମ୍ବା ବିଳମ୍ବିତ ରାତିରେ, ଯେତେ ବେଳେ ଡାକରା ଆସେ ତୁରନ୍ତ ବାହାରି ପଡିଛନ୍ତି ଦେବରାଜ । ବଲାଙ୍ଗିର ରାଜେନ୍ଦ୍ର କଲେଜର ଏହି ଚତୁର୍ଥ ଶ୍ରେଣୀ କର୍ମଚାରୀ ବର୍ତ୍ତମାନ ସୁଦ୍ଧା ହଜାରେ ପ୍ରଜାତିର ବିଷଧର ସାପ ଉଦ୍ଧାର କରି ଜଙ୍ଗଲରେ ଛାଡିନ୍ତି । ଏଥିପାଇଁ କୌଣସି ପାରିଶ୍ରମିକ ନିଆନ୍ତି ନାହିଁ ଦେବରାଜ । ତେବେ ଏଭଳି ସ୍ୱେଚ୍ଛାସେବୀ କାମ ପାଇଁ ତାଙ୍କୁ ବନବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ପରିଚୟ ପତ୍ର ମଧ୍ୟ ମିଳିଛି ।

ସେହିପରି ବଲାଙ୍ଗିର ସହର ଅନ୍ୟ ଜଣେ ସାପ ପ୍ରେମୀ ହେଉଛନ୍ତି ଧ୍ରୁବରାଜ ସିଂହଦେଓ । ଜଣେ ବସ ମାଲିକ ହୋଇଥିଲେ ମଧ୍ୟ ସାପଙ୍କୁ ସୁରକ୍ଷା ଦେବା ପାଇଁ ସଙ୍ଗେ ସଙ୍ଗେ ତତ୍ପରାତ ଦେଖାଇଥାନ୍ତି । ନାଗ, ଚିତି, ଅଜଗର ଆଦି ବିଭିନ୍ନ ପ୍ରଜାତିର ସାପଙ୍କୁ ସତର୍କତାର ସହ ଉଦ୍ଧାର କରି ଲୋକଙ୍କ ଜୀବନ ବଞ୍ଚାଇଥାନ୍ତି ଧ୍ରୁବରାଜ । ତେବେ ଏହି ଦୁଇ ସ୍ୱେଚ୍ଛାସେବୀ ଦୀର୍ଘ ଦିନ ହେବ ସାପଙ୍କୁ ସୁରକ୍ଷା ଦେଇଆସୁଥିବା କହିଛନ୍ତି, ବଲାଙ୍ଗିର ସହକାରୀ ବନ ସଂରକ୍ଷକ । ଯେତେ ଭୟଙ୍କର ସାପ ହେଉ ତାକୁ କ୍ଷତି ନପହଞ୍ଚଇଲେ, ସେ  କାହାରିକୁ ଆକ୍ରମଣ କରିନଥାଏ । ତେଣୁ ସାପକୁ ନମାରି ଉଦ୍ଧାର କରି ଜଙ୍ଗଲରେ ଛାଡି ଦେବାକୁ ଆହ୍ୱାନ ଦେଇଛନ୍ତି ସାପ ଉଦ୍ଧାରକାରୀ ।

Leave a Reply