ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବାକୁ ମିଛ ଖବର ପ୍ରସାରଣ କରିଛି ଓଟିଭି: AAI
1 min readଭୁବନେଶ୍ୱର: ପ୍ରଥମେ କୋଭିଡ୍ ଚିକିତ୍ସା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ମିଛ ଖବର ପ୍ରସାରଣ । ଆଉ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଦନାମ ପାଇଁ ଷଡ଼ଯନ୍ତ୍ର । ଗତକାଲି ଓଟିଭି ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ଉପରେ ପ୍ରଶ୍ନ ଉଠାଇ ଖବର ପ୍ରସାରଣ କରିଥିଲା । ଯେଉଁ ଖବରରେ କୁହାଯାଇଥିଲା ୨୦୨୦ ଅଗଷ୍ଟ ୩୧ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରୁ ୧୯ ମିନିଟରେ କେଉଁ ବନ୍ୟାଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କଲେ । ଓଟିଭିର ଏହି ମିଛ ଖବରର ପୋଲ୍ ଖୋଲିଛନ୍ତି ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ।
VVIP ଶ୍ରେଣୀରେ ଆସନ୍ତି ନାହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ
ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି- କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ VVIP ଶ୍ରେଣୀରେ ଆସନ୍ତି ନାହିଁ । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଉଡ଼ାଣକୁ VVIP ମୁଭମେଣ୍ଟରେ ଉଲ୍ଲେଖ କରାଯାଇନାହିଁ ।
୧୯ ନୁହେଁ ୩୦ ମିନିଟ୍ ଉଡ଼ାଣ
ହେଲିକପ୍ଟରଟି ଟେକ୍ ଅଫ୍ ଓ ଲ୍ୟାଣ୍ଡିଂକୁ ମିଶାଇ ୧୯ ମିନିଟ୍ ଉଡ଼ିଥିବା ଓଟିଭି ଖବର ପ୍ରସାରଣ କରିଥିଲା । ଏହାକୁ ବି ମିଛ ବୋଲି କହିଛି ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ । ମୁଖ୍ୟମନ୍ତ୍ରୀ ବ୍ୟବହାର କରିଥିବା ହେଲିକପ୍ଟରଟି ଟେକ୍ ଅଫ-ଲ୍ୟାଣ୍ଡିଂକୁ ମିଶାଇ ୧୯ ମିନିଟରୁ ଅଧିକ ସମୟ ଉଡ଼ିଥିଲା । ମୁଖ୍ୟମନ୍ତ୍ରୀଙ୍କ ଯାତ୍ରା ସମୟ ୩୦ ମିନିଟରୁ ଅଧିକ ଥିବାବେଳେ ୧୯ ମିନିଟ୍ ଉଡ଼ାଣ କରିଥିବା ଖବର ପ୍ରସାରଣ କରିଥିଲା ଓଟିଭି ।
ଭୁବନେଶ୍ୱରରୁ ବନ୍ୟାଞ୍ଚଳ ଲାଗେ ୬ ମିନିଟ୍
ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ମାତ୍ର ୧୯ ମିନିଟରେ ବନ୍ୟାଞ୍ଚଳ ବୁଲି ଫେରିବା ସମ୍ଭବ ନୁହେଁ ଓଟିଭି ପ୍ରସାରଣ କରିଥିଲା । ସତ ହେଉଛି- ମୁଖ୍ୟମନ୍ତ୍ରୀ ବ୍ୟବହାର କରୁଥିବା ହେଲିକପ୍ଟର ଉଚ୍ଚକ୍ଷମତା ସମ୍ପନ୍ନ । ଏହି ହେଲିକପ୍ଟର ୨ଟି ଇଞ୍ଜିନ୍ ବିଶିଷ୍ଟ । ଏହି ଅତ୍ୟାଧୁନିକ ହେଲିକପ୍ଟର ଭୁବନେଶ୍ୱରରୁ ମାତ୍ର ୫ରୁ ୬ ମିନିଟ୍ ମଧ୍ୟରେ ବନ୍ୟାଞ୍ଚଳ ପହଞ୍ଚିବାରେ ସକ୍ଷମ । ମୁଖ୍ୟମନ୍ତ୍ରୀ ସେହିଦିନ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ ସାରିବା ପରେ ଗଣମାଧ୍ୟମକୁ ସେ ସମ୍ପର୍କିତ ଫଟୋ ଓ ଭିଡିଓ ମଧ୍ୟ ଜାରି କରାଯାଇଥିଲା ।
ସକାଳେ ନୁହେଁ ଅପରାହ୍ଣରେ ଯାଇଥିଲେ ମୁଖ୍ୟମନ୍ତ୍ରୀ
ପ୍ରସାରିତ ଖବରରେ ଓଟିଭି ଦର୍ଶାଇଥିଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ସକାଳ ୧୦ଟା ୧୨ରେ ବିମାନବନ୍ଦର ଛାଡ଼ିଥିବା ବେଳେ ୧୦ଟା ୩୧ରେ ଫେରି ଆସିଥିଲା । ଏହା ବି ଡାହା ମିଛ । ଓଟିଭି ବିନା ଅନୁସନ୍ଧାନରେ ଭୁଲ୍ ସମୟ ଦର୍ଶାଇଛି । ଭାରତୀୟ ବିମାନ ବନ୍ଦର ପ୍ରାଧିକରଣଙ୍କ ଅନୁସାରେ ଭାରତୀୟ ସମୟ (+5.30 IST) ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅପରାହ୍ଣ ୩ଟା ୪୨ରେ ଉଡ଼ାଣ ଭରି ୪ଟା ୧ରେ ଫେରିଥିଲା । ତେବେ ଏହା କେବଳ ଉଡାଣ ସମୟ ଅଟେ । ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ସମୁଦାୟ ଯାତ୍ରା ୩୦ ମିନିଟର ଅଟେ । ହେଲିକପ୍ଟର ଲ୍ୟାଣ୍ଡିଂ ଓ ଟେକ ଓଭର ସମୟକୁ ଉଡାଣ ସମୟ ସହ ମିଶାଇ ମୋଟ୍ ୩୦ ମିନିଟର ଯାତ୍ରା ହୋଇଛି । ଏଣୁ ମୋଟ ଯାତ୍ରା ସମୟ ୩୦ ମିନିଟ୍ ହୋଇଥିବା ବେଳେ ଓଟିଭି ୧୯ ମିନିଟ୍ ଦର୍ଶାଇ ମିଛ ଓ ଭୁଲ୍ ଖବର ପ୍ରସାରଣ କରିଥିଲା ।
ଓଟିଭିକୁ ସବୁ ମହଲରୁ ନିନ୍ଦା
ପୂର୍ବରୁ କୋଭିଡ୍ ପରିଚାଳନାରେ ଅବ୍ୟବସ୍ଥା ଦର୍ଶାଇ ଓଟିଭି ଏକ ଅଡିଓ ଭାଇରାଲ୍ କରିଥିଲା । ଆଉ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣ କରିବାକୁ ମିଛ ଓ ଭୁଲ୍ ଖବର ପ୍ରସାରଣ କରିଛି । ଯାହାକୁ ସବୁ ମହଲରେ ନିନ୍ଦା କରାଯାଉଛି ।