ବଦଳିଲେ ଜଗତସିଂହପୁର ଜିଲାପାଳ, ବରିଷ୍ଠ ଓଏଏସ୍ ଅଧିକାରୀ ସରୋଜ କୁମାର ମିଶ୍ରଙ୍କୁ ନୂଆ ଦାୟିତ୍ୱ
![](https://nandighoshatv.com/wp-content/uploads/2020/10/ବଦଳିଲେ-ଜିଲାପାଳ-1-1024x576.jpg)
ଭୁବନେଶ୍ୱର : ଓଡ଼ିଶା ପ୍ରଶାସନର ବରିଷ୍ଠ ଅଧିକାରୀ ତଥା ଓଏଏସ୍ ଅଫିସର ସରୋଜ କୁମାର ମିଶ୍ରଙ୍କୁ ରବିବାର ଗୁରୁତ୍ୱପୂର୍ଣ୍ଣ ଜଗତସିଂହପୁର ଜିଲାର ଜିଲାପାଳ ଭାବେ ନିଯୁକ୍ତି କରାଯାଇଛି । ଏସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଏଏସ୍ ଅଧିକାରୀ ସରୋଜ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗର ଅତିରିକ୍ତ ସଚିବଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ । ସେହିପରି ଜଗତସିଂହପୁର ଜିଲାପାଳ ଥିବା ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ନୂଆ ନିଯୁକ୍ତି ମିଳିଛି । ସଂଗ୍ରାମଙ୍କୁ ଗୁରୁତ୍ୱପୂର୍ଣ୍ଣ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅଫିସର ଅନ୍ ସ୍ପେଶିଆଲ ଡ୍ୟୁଟି (ଓଏସଡି)ଭାବେ ନିଯୁକ୍ତି ଦିଆଯାଇଛି ।
ଆସନ୍ତା ନଭେମ୍ବର ୩ରେ ଏହି ଜିଲାର ତିର୍ତ୍ତୋଲ ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ଏହି ନିର୍ବାଚନର ସୁପରିଚାଳନା ନୂତନ ଜିଲାପାଳଙ୍କ ପ୍ରାଥମିକ ଚ୍ୟାଲେଞ୍ଜ ହେବ । ସେହିପରି ନିକଟରେ ଏହି ଜିଲାର ଦୀର୍ଘଦିନର ଦୁଇଟି ସମସ୍ୟାର ସମାଧାନ ପାଇଁ ୨ଟି ନୂଆ ସେତୁର ଶିଳାନ୍ୟାସ କରାଯାଇଛି । ଏହି କାର୍ଯ୍ୟ ଆରମ୍ଭ ସହ ଏହାର ଅଗ୍ରଗତି ମଧ୍ୟ ଜିଲାପାଳଙ୍କ ପ୍ରାଥମିକ ଦାୟିତ୍ୱ ହେବ ।